ଜମି ଫେରାଇବାକୁ କହିବାରୁ ବିଡିଏର ନୂଆ ଯୋଜନା: ସା‌‌ଟେଲାଇଟ୍‌ ସିଟି ଉଭାନ୍‌, ଏବେ ସାଉଥ୍ ସିଟି ଯୋଜନା

ଜାଗସରାରେ କରିପାରିଲେନି, ଗୋଠପାଟଣାରେ କରିବେ,

ଭୁବନେଶ୍ବର : ୨୦୦୭ ମସିହାରେ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଭୁବନେଶ୍ବର ଉପକଣ୍ଠ ଜାଗସରାରେ ସାଟେଲାଇଟ୍‌ ସିଟି କରିବାକୁ ଯୋଜନା କରିଥିଲା। ଏଥିରେ ବିଡିଏ ବହୁ ସୁନେଲି ସ୍ବପ୍ନ ଦେଖାଇଥିଲା। ବିଡିଏ ନିଜର ୬୭ଏକର ଜମି ଏବଂ ୪୪୫ଏକର ଘରୋଇ ଜମିକୁ ନେଇ ଏକ ଅତ୍ୟାଧୁନିକ ସହରାଞ୍ଚଳ ନିର୍ମାଣ କରିବାର ସ୍ବପ୍ନ ଦେଖାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ପ୍ରକଳ୍ପର ଅଗ୍ରଗତି ନେଇ ଏକାଧିକ ଥର ସମୀକ୍ଷା କରିଥିଲେ। ହେଲେ ଏହି ପ୍ରକଳ୍ପ ନେଇ ସରକାରୀ ତତ୍ପରତା ଆଉ ନାହିଁ। ଏବେ ବିଡିଏ ସାଟେଲାଇଟ୍‌ ସିଟିକୁ ଭୁଲି ସାଉଥ୍‌ ସିଟି ଯୋଜନାରେ ଲାଗିଲାଣି। ଏହି ପ୍ରକଳ୍ପ କିପରି ହେବ ସେନେଇ ନୀଳ ନକ୍ସା ପ୍ରସ୍ତୁତ କରୁଛି।

୧୨ବର୍ଷ ତଳେ ବିଡିଏ ଇନଫୋସିଟି-୨ ଏବଂ ଇନଫୋଭ୍ୟାଲିକୁ ନଜରରେ ରଖି ଏହି ସାଟେଲାଇଟ୍‌ ସିଟିର ନୀଳ ନକ୍ସା ଆଙ୍କିଥିଲା। ଇନଫୋସିଟି-୨ ଏବଂ ବିଭିନ୍ନ ଆଇଟି କମ୍ପାନି ଏହି ଅଞ୍ଚଳରେ ନିର୍ମାଣ ହେବାକୁ ଥିବାରୁ ଏଠାକାର କର୍ମଚାରୀଙ୍କୁ ନଜରରେ ରଖି ଜାଗସରାରେ ସାଟେଲାଇଟ୍‌ ସିଟି ଯୋଜନା ହୋଇଥିଲା। ଏଥିରେ ଜଟଣୀ ତହସିଲର ୪ଟି ଏବଂ ଭୁବନେଶ୍ବର ତହସିଲର ୩ଟି ରାଜସ୍ବ ଗ୍ରାମକୁ ନେଇ ଏହି ସାଟେଲାଇଟ୍‌ ସିଟି ଯୋଜନା ହୋଇଥିଲା। ମୋଟ୍‌ ୫୧୨ ଏକର ଜମିରେ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ବିଡିଏ ୯୦ଏକର ଜମି ଅଧିଗ୍ରହଣ କରିଥିଲା। ପିପିପି ମୋଡରେ ହେବାକୁ ଥିବା ଏହି ସିଟିରେ ପ୍ରଶସ୍ତ ରାସ୍ତା ସହ ସପିଂ ମଲ୍‌, ଡାକ୍ତରଖାନା, ସ୍କୁଲ, କଲେଜ ଆଦି ଖୋଲିବାକୁ ଯୋଜନା ହୋଇଥିଲା।

ଏପରିକି ଜାଗସରାରେ ଏକ ଅତ୍ୟାଧୁନିକ ସହରାଞ୍ଚଳ ଗଠନ ହେବ ବୋଲି ଜାଣିବା ପରେ ଏହା ନିକଟରେ ବହୁ ଲୋକ ଜମି କିଣିଥିଲେ। ଏପରିକି ବହୁ ରିଅଲ ଇ‌େଷ୍ଟଟ୍ ସଂସ୍ଥା ଏହା ନିକଟବର୍ତ୍ତୀ ଅଞ୍ଚଳରେ ପ୍ରକଳ୍ପ କରିବାକୁ ଜମି କିଣିଥିଲେ। କିନ୍ତୁ ଇନଫୋଭ୍ୟାଲିରେ ଇନଫୋସିଟି-୨ ବ୍ୟତୀତ ଅନ୍ୟ ଆଇଟି କମ୍ପାନି ନଆସିବାରୁ ସବୁ ପ୍ରକଳ୍ପ ଅନ୍ଧାରକୁ ଠେଲି ହୋଇଗଲା। ବିଡିଏ ବି ଏଠାରେ ସାଟେଲାଇଟ୍‌ ସିଟି ନିର୍ମାଣ ପାଇଁ ୨୦୧୬ ପର୍ଯ୍ୟନ୍ତ ତନାଘନା କରୁଥିଲେ ହେଁ ସବୁ ବୈଠକରେ ସୀମିତ ରହିଗଲା।

ସାଟେଲାଇଟ୍‌ ସିଟି ଯୋଜନା ଫେଲ୍‌ ମାରିବା ପରେ ଏବେ ବିଡିଏ ସାଉଥ୍ ସିଟି କରିବାକୁ ଯୋଜନା କରିଛି। ଏହି ପ୍ରକଳ୍ପ କେଉଁଠି ହେବ ସେନେଇ ଯଦିଓ ବିଡିଏ କର୍ତ୍ତୃପକ୍ଷ କିଛି ସ୍ପଷ୍ଟ କରିନାହାନ୍ତି କିନ୍ତୁ ସାଉଥ୍‌ ସିଟି କିପରି ହେବ ସେନେଇ ନୀଳ ନକ୍ସା ପ୍ରସ୍ତୁତ ହେଲାଣି। ଗୋଠପାଟଣା ମୌଜାରେ ବିଡିଏ ବିଭିନ୍ନ ଗୃହ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ଠାରୁ ଜମି ନେଇଥିବାବେଳେ ଏହାକୁ କରିପାରିନି। ଏବେ ଏହି ଜମି ଫେରାଇବାକୁ କଥା ଉଠିବାରୁ ବିଡିଏ ସାଉଥ୍‌ ସିଟି ଯୋଜନା ପୂରାଇଛି।

ଏଥିରେ ସାଟେଲାଇଟ୍‌ ସିଟି ପାଇଁ ଯେଉଁ ସବୁ ଯୋଜନା ହୋଇଥିଲା ତାହାକୁ ରଖିବାକୁ ଯୋଜନା ହୋଇଛି। ଏହି ସାଉଥ୍‌ ସିଟି ସ୍ମାର୍ଟ ସିଟି ଭଳି ହେବ ବୋଲି କୁହାଯାଉଛି। ସ୍ମାର୍ଟ ସିଟିରେ ଲୋକଙ୍କୁ ଯେଉଁ ଯେଉଁ ସରକାରୀ ସୁବିଧା ସୁଯୋଗ ମିଳିବ ବୋଲି ଯୋଜନା ହୋଇଛି ତାହା ସବୁ ଏଠାରେ ମିଳିବ। ପୂରା ଯୋଜନାବଦ୍ଧ ଭାବେ ଏକ ସହରାଞ୍ଚଳ ଗଢ଼ିବାକୁ ଯୋଜନା ହୋଇଛି। ହେଲେ ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୩୦୦ଏକର ଜମି ଦରକାର ଥିବାରୁ ବିଡିଏ ଏବେ ଜମି ଯୋଗାଡ଼ରେ ଲାଗିପଡ଼ିଛି।

ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସାଉଥ୍‌ ସିଟିରେ ମୁଖ୍ୟତଃ ଗୃହ ପ୍ରକଳ୍ପ ହେବାକୁ ଥିବାବେଳେ ଏଠାରେ ପ୍ରାୟ ୧୦ହଜାର ଲୋକଙ୍କ ପାଇଁ ଘର ନିର୍ମାଣ ହେବ। ଏଥିରେ ମୁଖ୍ୟତଃ ଏଚ୍‌ଆଇଜି ଓ ଏମ୍‌ଆଇଜି ଘର ରହିବ। ଏହାସହ ଏଲ୍‌ଆଇଜି ଏବଂ ଆର୍ଥିକ ଦୁର୍ବଳବର୍ଗଙ୍କ ପାଇଁ ବି ଘର ନିର୍ମାଣ କରାଯିବ। ଯେଉଁଥିରେ ସୁନ୍ଦର ଓ ପ୍ରଶସ୍ତ ରାସ୍ତା ରହିବ, ପାର୍କ, ସପିଂ ମଲ୍‌ ଏବଂ ବ୍ୟାବସାୟିକ ପ୍ରତିଷ୍ଠାନ ପାଇଁ ବହୁ ଖୋଲା ଅଞ୍ଚଳ, ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ଜାଗା ଆବଣ୍ଟନ ହେବ, ଜାତୀୟସ୍ତରର ହସ୍ପିଟାଲ ଖୋଲିବ।

ସାଉଥ୍ ସିଟି ପାଇଁ ପ୍ରାୟ ୩୦୦ ଏକର ଜମି ଆବଶ୍ୟକ ଥିବାବେଳେ ବିଡିଏ କର୍ତ୍ତୃପକ୍ଷ ଗୋଠପାଟଣା ମୌଜାରେ ବିଡିଏ ଏବଂ ବିଭିନ୍ନ ସରକାରୀ ସଂସ୍ଥା ଦଖଲରେ ଥିବା ଜମିକୁ ମିଶାଇ ୩୧୩ଏକର ଜମି ସାଉଥ୍‌ ସିଟି ପାଇଁ ଆବଣ୍ଟନ କରିବାକୁ କହିଛନ୍ତି। ଏଥିରେ ବିଡିଏ ପୂର୍ବରୁ ଗୃହ ପ୍ରକଳ୍ପ କରିବାକୁ ନେଇଥିବା ୯୬.୨୪୫ଏକର ଜମିରେ ଘର କରିନଥିବାରୁ ନିଜ ଦଖଲରେ ଥିବା ଜମିକୁ ସାଉଥ୍‌ ସିଟି ପାଇଁ ଆବଣ୍ଟନ କରିବାକୁ କହିଛନ୍ତି। ଏହାସହ ଶାମପୁର ବିଡିଏ ଗୃହ ପ୍ରକଳ୍ପ ପାଇଁ ପାଇଥିବା ୪୦ଏକର ଏବଂ ଖାଲି ପଡ଼ିଥିବା ଆଉ ୪୦ଏକର ଜମିକୁ ବି ମାଗିଛନ୍ତି। ଏହାବ୍ୟତୀତ ଦାସପୁରରେ ଥିବା ୧୩୭.୨୬୦ଏକର ଜମିକୁ ବି ସାଉଥ୍ ସିଟି ଯୋଜନା ପାଇଁ ଦେବାକୁ କର୍ତୃପକ୍ଷ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।

ଟିପି ସ୍କିମ୍ ଅଞ୍ଚଳକୁ ସାଉଥ୍ ସିଟି କରାଯାଇପାରେ
ବିଡିଏର ଅନ୍ୟ ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସାଉଥ୍ ସିଟି ପାଇଁ ବିଡିଏ ପକ୍ଷରୁ ଦୁଇଟି ଅଞ୍ଚଳକୁ ଯୋଜନା କରାଯାଉଛି। ଏଥିରେ ଗୋଠପାଟଣା ଅଞ୍ଚଳରେ ସରକାରୀ ଜମି ଥିବାରୁ ଏଠାରେ ଆମେ ୩୧୩ଏକର ଜମିରେ ସାଉଥ୍‌ ସିଟି କରିବାକୁ ଯୋଜନା କରିଛୁ। ଏଥିପାଇଁ ଜମି ଦେବାକୁ ରାଜ୍ୟ ସରକାରଙ୍କୁ କହିଛୁ। କିନ୍ତୁ ଏହି ଜମିଗୁଡ଼ିକ ପୂର୍ବରୁ ଅନ୍ୟ ଉଦ୍ଦେଶ୍ୟରେ ଆବଣ୍ଟନ ହୋଇଥିବାରୁ ଏହାକୁ ପୁଣି ରାଜ୍ୟ ସରକାର ଅନ୍ୟ ପ୍ରକଳ୍ପ ପାଇଁ ଦେବେ କି ନାହିଁ ତାହା କହିହେବନି। ତେଣୁ ଆମେ ଟିପି ସ୍କିମ୍‌ରେ ଉନ୍ନତୀକରଣ ହେବାକୁ ଥିବା ୪ଟି ମୌଜାକୁ ନେଇ ସାଉଥ୍‌ ସିଟି କରିବାକୁ ଦ୍ବିତୀୟ ପ୍ରସ୍ତାବ ରଖିଛୁ। ସାଉଥ୍‌ ସିଟି ପାଇଁ ଆମେ ଯେଉଁଭଳି ଯୋଜନା କରୁଛୁ ସେହିଭଳି ଭାବେ ଟିପି ସ୍କିମ୍‌ ଅଞ୍ଚଳଗୁଡ଼ିକର ଉନ୍ନତୀକରଣ କରିବାକୁ ଯୋଜନା ଅଛି। ତେଣୁ ଆମେ ଏହି ପ୍ରସ୍ତାବ ଉପରେ ବି ବିଚାର କରୁଛୁ।

ଏଥିରେ ଟିପି ସ୍କିମ୍‌ -୧ରେ ୭୪୬.୭୦ ଏକର ଜମି ଥିବା ବେଳେ ଏଥିରୁ ପାଇକରାପୁରର ୩୧୭.୯୩ ଏକର ଜମିରେ ପ୍ରଥମ ପର୍ଯ୍ୟାୟରେ ଉନ୍ନତୀକରଣ ହୋଇଛି। କିନ୍ତୁ ପାଇଲଟ୍‌ ପ୍ରକଳ୍ପ ଭାବେ ଏଥିରୁ ୧୪୫ ଏକର ଜମିର ଉନ୍ନତୀକରଣ କରାଯାଇଛି। ପରେ ନାରଗୋଦାରେ ୧୪୮.୪୨ଏକର, ସିଜିପୁଟରେ ୧୭୬.୨୦ଏକର, ସହଜପୁରରେ ୧୦୪.୧୭ଏକର ଅଞ୍ଚଳର ଉନ୍ନତୀକରଣ ହେବ। ସେହିପରି ଟିପି ସ୍କିମ୍‌-୨‌ରେ ତମାଣ୍ତୋ ଓ ବିଜିପୁର ମୌଜାର ୧୯୯ଏକର ଜମି ଥିବାବେଳେ ଟିପି-୩ରେ ପାଇକରାପୁର ଓ ନୂଆ ଗାଁ ମୌଜାର ୨୮୦ଏକର ଜମି, ଟିପି-୪ରେ ଶ୍ୟାମସୁନ୍ଦରପୁର ମୌଜାର ୩୭୧ଏକର ଜମି ରହିଛି। ଏହି ସବୁ ଜମିକୁ ନେଇ ମଧ୍ୟ ସାଟେଲାଇଟ୍‌ ସିଟି ହୋଇପାରିବ। ହେଲେ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତିି ନେବେ।

ସମ୍ବନ୍ଧିତ ଖବର