ଥକା ମେଣ୍ଟାଉଛି ସ୍ପା

ବ୍ୟସ୍ତବହୁଳ ଜୀବନକୁ ବିରାମ ଦେଇ ଶରୀରକୁ ଟିକେ ଆରାମ ଦେବା ପାଇଁ ସ୍ପା’କୁ ଏବେ ଅନେକ ଜୀବନ ଶୈଳୀରେ ସାମିଲ୍‌ କରିଛନ୍ତି। ନିଜକୁ ଫିଟ୍‌ ରଖିବା ପାଇଁ ଅନେକ ଯୋଗରୁ ଆରମ୍ଭ କରି ବ୍ୟାୟାମକୁ ଆପଣାନ୍ତି। ତେବେ ଧାଁ ଦଉଡ଼ ଜୀବନରେ କ୍ଳାନ୍ତ ଶରୀରର ଥକାପଣ ଦୂର କରିବା ସହ କୋଷକୁ ଫିଟ୍‌ ପାଇଁ ଆଧୁନିକ ଟ୍ରେଣ୍ଡରେ ସାମିଲ୍‌ ହୋଇଥିବା ସ୍ପା ଏବେ ପାଲଟିଛି ପ୍ରଥମ ପସନ୍ଦ। କିଶୋରଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ନିଜର ସୁନ୍ଦରତା ପାଇଁ ସ୍ପାରେ ବିଭିନ୍ନ ପ୍ରକାର କସ୍‌ମେଟିକ୍‌ ବ୍ୟବହାର କରିଥାନ୍ତି। ଆଜିକାଲି କେବଳ ସୁନ୍ଦରତା ଫିଲ୍ମ ଜଗତରେ ସୀମିତ ନୁହେଁ। ସାଧାରଣ ଯୁବପିଢ଼ି ନିଜକୁ ସବୁବେଳେ ଫିଟ୍‌ ରଖିବା ପାଇଁ ସ୍ପା ଓ ମସାଜର ଉପଚାରକୁ ଫ୍ୟାସନ୍‌ ଭାବେ ଆପଣେଇ ନେଇଛନ୍ତି। ଗ୍ରାହକଙ୍କ ଆବଶ୍ୟକତା ଓ ଥେରାପିକୁ ନେଇ ରାଜଧାନୀର ବିଭିନ୍ନ ସ୍ଥାନରେ ସ୍ପା ସେଣ୍ଟରମାନ ଖୋଲାଯାଇଛି। କେଶର ସୁନ୍ଦରତା ପାଇଁ ହେଉ ଅବା ଶରୀରର ସୁନ୍ଦରତା ସ୍ପା ବି ଅନେକ ଗୁରୁତ୍ୱ ରଖୁଛି। ଥକାପଣ ଦୂର କରିବା ପାଇଁ ଅନନ୍ୟ ବିକଳ୍ପ ପାଲଟିଛି ସ୍ପା।

ଥାଇ ସ୍ପା’ର ଡିମାଣ୍ଡ୍‌

ସ୍ପା କେବଳ ଥକାପଣ ଦୂର କରେନାହିଁ। ତ୍ୱଚାର ଉଜ୍ଜ୍ୱଳତାକୁ ମଧ୍ୟ ବୃଦ୍ଧି କରିବାରେ ସହାୟକ ହୁଏ। ମୁହଁ ଠାରୁ ଆରମ୍ଭ କରି ପାଦ ପର୍ଯ୍ୟନ୍ତ ପ୍ରତ୍ୟେକ କୋଷକୁ ଆରମ ଦିଏ ସ୍ପା। ବିଭିନ୍ନ ମସାଜ ଓ ଥେରାପିରେ ଥକାପଣକୁ ହଟାଇ ଶରୀରକୁ ହାଲୁକା କରିଦିଏ। କୋକୋ ବଟର ସ୍ପା, ଅଲିଭ ଅଏଲ, ମି ବାଥ୍‌, ଥାଇ ସ୍ପା, ଡିପ୍‌ ଟିସୁ, ସ୍ୱେଦିଶ୍‌, ଲୁମି ଲୁମି, ଏରୋମା, ଇଣ୍ଡୋନେସିଆନ୍‌, ବାଲିମିସ୍‌, ଆର୍ୟୁବେଦିକ୍‌ ଓ ଅଭୟଙ୍ଗମ୍‌ ଭଳି ବିଭିନ୍ନ ପ୍ରକାର ସ୍ପାର ଉପଚାର ଦିଆଯାଉଛି। କର୍ମରତ ଯୁବପିଢ଼ି ଅଧିକାଂଶ ସମୟ ବ୍ୟସ୍ତ ରହୁଥିବାରୁ ଅଣ୍ଟା, ହାତ ଓ ବେକ ଅଧିକାଂଶ ସମୟ ଦରଜ ହୁଏ। ସେଥିପାଇଁ ଯୁବପିଢ଼ିଙ୍କ ପାଖରେ ଥାଇ ସ୍ପାର ଚାହିଦା ଅଧିକ ରହିଛି। ଏହି ସ୍ପା ଦ୍ୱାରା ଦୁଇ ହାତ, ବେକ ଓ ବାହୁକୁ ମସାଜ କରାଯାଏ। ମସାଜ ପରେ ଇଲୋକ୍ଟ୍ରାନିକ୍‌ ଭାଇବ୍ରେସନ୍‌ ମଧ୍ୟ ଦିଆଯାଇଥାଏ। ଯାହାଦ୍ୱାରା ରକ୍ତସଞ୍ଚାଳନ ସହିତ ଶରୀର ଉଜ୍ଜ୍ୱଳ ଦେଖାଯିବାରେ ସାହାଯ୍ୟ କରେ।

୮୦୦ ଟଙ୍କାରୁ ୫ହଜାର

ବିଭିନ୍ନ ପ୍ରକାର ସ୍ପାର ଦାମ୍‌ ଭିନ୍ନ ଭିନ୍ନ ରହିଛି। କ୍ଲିଜିଙ୍ଗ୍‌, ସ୍କ୍ରବିଂ, ସ୍ମଥିଙ୍ଗ୍‌, ପଲିସିଙ୍ଗ୍‌, ଫେସିଆଲ୍‌, ମ୍ୟାନିକିଓର, ପେଡିକିଓର, ସ୍ଟିମିଙ୍ଗ୍‌ ଓ ଗୋଧୁଆ ଆଦି ବିଭିନ୍ନ ପ୍ରକାର ଉପଚାର ରହିଛି। କେଶକୁ ମଧ୍ୟ କୋମଳ କରାଯିବା ସହ ଦୁର୍ବଳ କେଶର ଯତ୍ନ ପାଇଁ ଏହି ଉପଚାର ଦିଆଯାଉଛି। ବିଭିନ୍ନ ବଡି ସ୍ପା ପାଇଁ ସମୟକୁ ଗୁରୁତ୍ୱ ଦିଆଯାଉଛି। ଶରୀର ଉପଚାର ପାଇଁ ପ୍ରାୟ ୩୦ମିନିଟ୍‌ରୁ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ସମୟ ଲାଗୁଛି। ହେୟାର୍‌ ସ୍ପାର ଦାମ୍‌ ୮୦୦ଟଙ୍କାରୁ ଆରମ୍ଭ କରି ୩୦୦୦ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିପରି ବଡି ସ୍ପା ର ଦାମ୍‌ ୧୦୦୦ଟଙ୍କାରୁ ଆରମ୍ଭ କରି ୫୦୦୦ଟଙ୍କା ପର୍ଯ୍ୟନ୍ତ ରହିଛି। ଶରୀର ଥକାପଣ ସହିତ ଚିନ୍ତାରୁ ମୁକ୍ତି ପାଇଁ ମାସରେ ଥରେ ସ୍ପା ଜରୁରୀ ବୋଲି ନୂଆପଲ୍ଲୀସ୍ଥିତ ନାଚୁରାଲ ପାର୍ଲରର ମ୍ୟାନେଜର ଲକ୍ଷ୍ମୀକାନ୍ତ କହିଛନ୍ତି।

ରୋଗ ନିୟନ୍ତ୍ରଣ କରେ

ରୋଗୀର ରୋଗ ଭଲ ପାଇଁ ଯେପରି ଆବଶ୍ୟକ ଔଷଧ ସହ ଉତ୍ତମ ପରିବେଶ ଆବଶ୍ୟକ ପଡ଼ିଥାଏ। ସେହିପରି ଶରୀର ଭିତରର ରୋଗ ପାଇଁ ଯୁବପିଢ଼ି ଆଧୁନିକ ଟ୍ରେଣ୍ଡ୍‌କୁ ଆପଣାଉଛନ୍ତି। ଶରୀରର ଶିଥିଳତା, ମୋଟାରୁ ପତଳା, ମସ୍ତିସ୍କ ସ୍ଥିରତା, ମାନସିକ ଶାନ୍ତି, ଶରୀରର କଷ୍ଟ, ରାତି ଅନିଦ୍ରା, ରକ୍ତଚାପ, ରକ୍ତ ସଞ୍ଚାଳନ ବୃଦ୍ଧି, କୋଷର ଦୃଢ଼ତା ବଜାୟ ରଖିବାରେ ସହାୟକ ହେଉଛିି। ଏହା ସହିତ ସ୍ପା ଦିଆଯାଉଥିବା କୋଠରୀର ଭିତର ପରିବେଶ ମଧ୍ୟ ଶରୀରର ଥକା ଦୂର ପାଇଁ ୨୦ ପ୍ରତିଶତ ସାହାଯ୍ୟ କରିଥାଏ। ସୁନ୍ଦର ଫୁଲ ସହିତ ଆରାମଦାୟକ ଶଯ୍ୟା ଏବଂ ଧିମା ଆଲୋକରେ ସ୍ପାର ମଜା ନିଆରା। କାରଣ ଧିମା ଆଲୋକ ଆଖି, ମୁହଁ ଓ ଶରୀର ଶିଥିଳତା ବଜାୟ ରଖିବାରେ ସାହଯ୍ୟ କରିଥାଏ। ବିଭିନ୍ନ ପ୍ରକାର ଆକ୍ୟୁପ୍ରେସର ଦ୍ୱାରା ଶରୀର ରୋଗ ମଧ୍ୟ ଦୂର ହୋଇଥାଏ ବୋଲି ସହିଦ ନଗରସ୍ଥିତ ଗଙ୍ଗା ସ୍ପା ଓ ସେଲୁନ୍‌ର ମ୍ୟାନେଜର ରିୟା କହିଛନ୍ତି।

ସମ୍ବନ୍ଧିତ ଖବର