ମସ୍ତିଷ୍କ ଶୂନ୍ୟ.. ହୃଦୟ ପୂର୍ଣ୍ଣ

ଚନ୍ଦ୍ରଶେଖରପୁର: ମାନନୀୟ ଅଧ୍ୟକ୍ଷ ମହୋଦୟ, ମୋର ଗୁହାରି ଶୁଣିବା ହେଉ। ଦୀର୍ଘ ଦିନ ହେବ ମୁଁ ଘରକୁ ଯାଇନାହିଁ। ଘରକୁ ଯିବାକୁ ବହୁତ ଇଚ୍ଛା ହେଉଛି। ଘରକୁ ଯିବା ପାଇଁ ମୋର ଭଡ଼ା ବାବଦ ୨୫୦ଟଙ୍କା ଦେଇ ଅନୁମତି ଦେଲେ ମୁଁ ଚିରୋପକୃତ ହେବି। ହୃଦୟର କଥାକୁ ଶବ୍ଦ ଆକାରରେ ପ୍ରକାଶ କରି ଏମିତି ମର୍ମଭେଦୀ ଦରଖାସ୍ତ ଖଣ୍ଡେ ଧରି ମିଲୁ ବିଭିନ୍ନ ସାର୍‌ଙ୍କ ପାଖକୁ ଯାଇ ଘରକୁ ଯିବାକୁ ଗୁହାରି କରୁଥାନ୍ତି। ପୃଥ୍ଵୀରାଜ ପଟ୍ଟନାୟକ; ଡାକ ନାଁ ମିଲୁ। ବୟସ ୩୦। କିନ୍ତୁ କଥାବାର୍ତ୍ତା ଆଚାର ବ୍ୟବହାର ୬-୭ବର୍ଷର ପିଲାଙ୍କ ଭଳି। ୩୦ବର୍ଷ ବୟସରେ ମଧ୍ୟ ମିଲୁଙ୍କ ମସ୍ତିଷ୍କ ଶୂନ୍ୟ। କିନ୍ତୁ ହୃଦୟ ପୂର୍ଣ୍ଣ। ଖୋର୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ କୁହୁଡ଼ି ଅଞ୍ଚଳର ମିଲୁ ଆଜକୁ ପ୍ରାୟ ୧୫ବର୍ଷ ହେଲା ରାଜଧାନୀସ୍ଥିତ ମାନସିକ ଅନଗ୍ରସର ପିଲାଙ୍କ ନିମନ୍ତେ ଉଦ୍ଦିଷ୍ଟ ଚେତନା କଲେଜ୍‌ ଅଫ୍‌ ସ୍ପେସିଆଲ୍‌ ଏଜୁକେସନରେ ରହୁଛନ୍ତି। ଘର କେଉଁଠି ପଚାରିଲେ, ଚେତନା ବୋଲି କହନ୍ତି। ପିଲାଟି ବେଳୁ ବାପା, ମା’ଙ୍କୁ ହରାଇଥିବା ମିଲୁ ସ୍ନେହ, ଶ୍ରଦ୍ଧା ଓ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏପରି ମାନସିକ ରୋଗରେ ପୀଡ଼ିତ ଅଛନ୍ତି।
୪ ଭାଇ ଓ ୨ ଭଉଣୀଙ୍କ ମଧ୍ୟରେ ପିତାମାତାଙ୍କ ଚତୁର୍ଥ ସନ୍ତାନ ପୃଥ୍ଵୀରାଜ। ପୃଥିବୀକୁ ଜୟ କରି ନ ପାରିଲେ ମଧ୍ୟ ନିଜର ନିଷ୍କପଟ ଭାବନା, ସରଳତା ଯୋଗୁଁ ମିଲୁ ସମସ୍ତଙ୍କ ମନକୁ ଜିଣି ପାରିଛନ୍ତି। କ’ଣ ଖେଳିବାକୁ ଭଲ ଲାଗେ ପ୍ରଶ୍ନରେ ଉତ୍ସାହିତ ହୋଇ ସେ କ୍ରିକେଟ ଓ ଭଲିବଲ୍‌ ବୋଲି କହିଥିଲେ। ଚେତନା ଅନୁଷ୍ଠାନରେ ଭୀମ ଭାଇ ଓ ଅରକ୍ଷିତ ହେଉଛନ୍ତି ତାଙ୍କର ପ୍ରିୟ ସାଙ୍ଗ। ସୋମବାର ଦ୍ୱିପ୍ରହରରେ ଖେଳୁଥିବା ବେଳେ ମୁଣ୍ଡ ଉପରେ ଉଡ଼ାଜାହାଜ ଉଡ଼ିଯାଏ ବୋଲି ଏକ ସାକ୍ଷାତକାରରେ ସେ କହିଥିଲେ।
ଦରଖାସ୍ତ ଖଣ୍ଡକ ଧରି ଶେଷରେ ଅଧ୍ୟକ୍ଷଙ୍କ ନିକଟରେ ପହଞ୍ଚି ଅନୁମତି ପ୍ରଦାନର ପ୍ରମାଣ ପୂର୍ବକ ଷ୍ଟାମ୍ପ୍‌ ଲଗାଇବାକୁ ପୃଥ୍ଵୀରାଜ ଗୁହାରି କରିଥିଲେ। ଅଧ୍ୟକ ପି.କେ ପଟ୍ଟନାୟକ ମଧ୍ୟ ସ୍ନେହବୋଳା କଥାରେ ତା’ ଦରଖାସ୍ତରେ ଷ୍ଟାମ୍ପ୍‌ ଲଗାଇ ଦେଇଥିଲେ। ଏହା ପରେ ଖୁସି ମନରେ ସେଠାରେ ଉପସ୍ଥିତ ସମସ୍ତ ସାର୍‌ମାନଙ୍କୁ ତା’ ଘରକୁ ଯିବା କଥା କହି ମିଲୁ ମନେ ମନେ ଭାରି ଖୁସି ହେଉଥିଲା। କିନ୍ତୁ ଏ ଥିଲା କେବଳ ମିଲୁଙ୍କ ନିଷ୍ପାପ ମନକୁ ବୁଝାଇବା ପାଇଁ। କାରଣ ମିଲୁ ଚାହିଲେ ବି ଘରକୁ ଯାଇପାରିବେ ନାହିଁ। କେବଳ ଖରା ଛୁଟିରେ କିଛି ଦିନ ପାଇଁ ତା’ର ଭାଇମାନେ ମିଲୁକୁ ଘରକୁ ନେଉଥିବା ସୂଚନା ଦେଇଥିଲେ ଅଧ୍ୟକ୍ଷ।
ପରେ ସେଠାରେ ଉପସ୍ଥିତ ଶିକ୍ଷକମାନଙ୍କୁ ଔଷଧ ଖାଇବା ସମୟ ହୋଇଯାଇଥିବା ମିଲୁ ସୂଚାଇ ଦେଇଥିଲା। ଅଧ୍ୟକ୍ଷ ନିଜେ ତା’ ପାଟିରେ ଔଷଧ ଖୁଆଇ ଦେଇଥିଲେ। ଭଗବାନ ତା ଭଳି ଅନେକ ପିଲାଙ୍କ ନିକଟରେ କିଛି ଭିନ୍ନ ପ୍ରତିଭା ଦେଇଛନ୍ତି। ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ମିଲୁ ଭଳି ଅନେକ ପିଲାଙ୍କ ପାଇଁ ସମସ୍ତଙ୍କ ମନରେ ଅସୀମିତ ସ୍ନେହ ରହିବା ଆବଶ୍ୟକ। ସମାଜ ସେମାନଙ୍କୁ ବୋଝ ନ ଭାବି ଭଗବାନଙ୍କ ଆଶୀର୍ବାଦ ଭାବରେ ଗ୍ରହଣ କରିବା ଆବଶ୍ୟକ ବୋଲି ସମସ୍ତେ ସଚେତନ ହେବା ଆବଶ୍ୟକ।

ସମ୍ବନ୍ଧିତ ଖବର