ସରିଲା ଆଧ୍ୟାତ୍ମିକ ପୁସ୍ତକ ମେଳା : ମାନବବାଦ ହିଁ ଭାରତୀୟ ସଂସ୍କୃତିର ଆତ୍ମା

ଭୁବନେଶ୍ୱର : ଆଧ୍ୟାତ୍ମିକ ପୁସ୍ତକର ସମ୍ମିଳନୀ ଷଷ୍ଠ ଆଧ୍ୟାତ୍ମିମ ପୁସ୍ତକ ମେଳା ଶେଷ ହୋଇଛି। ସହିଦନଗର ଦୁର୍ଗା ମଣ୍ଡପ ପଡ଼ିଆରେ ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ୍‍ ପକ୍ଷରୁ ଅନୁଷ୍ଠିତ ଏହି ମେଳାର ଉଦ୍‌ଯାପନୀ ସନ୍ଧ୍ୟାରେ ରାମାନନ୍ଦଚାର୍ଯ୍ୟ ସ୍ୱାମୀ ଅରୂପାନନ୍ଦଜୀ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ବକ୍ତବ୍ୟରେ କହିଲେ, ମାନବବାଦ ହିଁ ଭାରତୀୟ ସଂସ୍କୃତିର ଆତ୍ମା। ଏହି ମାନବାତ୍ମା ପାଇଁ ସନ୍ଥ ଓ ଗ୍ରନ୍ଥର ଆବଶ୍ୟକତା ରହିଛି। ସନାତନ ଧର୍ମର ତତ୍ତ୍ୱ ଆଧ୍ୟାତ୍ମିକ ପୁସ୍ତକରୁ ହିଁ ମିଳିଥାଏ ବୋଲି ସେ କହିଥିଲେ। ପୁସ୍ତକ ମେଳା କମିଟିର ଅଧ୍ୟକ୍ଷ ମୁରଲୀ ମନୋହର ଶର୍ମା କହିଲେ, ଆଧ୍ୟାତ୍ମ ବିନା ମନୁଷ୍ୟ ଜୀବନ ନର୍କ ପରି। ଆଧ୍ୟାତ୍ମିକ ଭାବନା ଜାଗ୍ରତ ହେଲେ ଈଶ୍ୱରଙ୍କ ସାନ୍ନିଧ୍ୟ ମିଳିଥାଏ ବୋଲି ସେ କହିଥିଲେ। ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ୍‍ର ଅଧ୍ୟକ୍ଷ ଡ.ଭାଗୀରଥି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଯମୁନେତ୍ରୀର ସନ୍ଥ ସଖାନନ୍ଦଜୀ ମହାରାଜ, ଡ.ରବୀନ୍ଦ୍ର ନାରାୟଣ ସାମନ୍ତ, ରକ୍ଷକ ନାୟକ, ଇଂ ସୂର୍ଯ୍ୟ ରଥ, ଅନୀଲ ଧୀର୍‌ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଡ.ରମାକାନ୍ତ କର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଭବାନୀ ପ୍ରସାଦ, ସାଗର କୁମାର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଟ୍ରଷ୍ଟ୍‍ର ଉପାଧ୍ୟକ୍ଷ ବିନୋଦ କୁମାର ପଣ୍ଡା, ସମ୍ପାଦକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ପ୍ରମୁଖ ସଭାରେ ଉପସ୍ଥିତ ଥିଲେ। ଶେଷରେ ମଦନମୋହନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର