ୟୁନିଟ୍‌-୪ ଡାକ୍ତରଖାନାରେ ଖୋଲିଲା ସ୍ପୋର୍ଟସ୍‌ ମେଡିସିନ୍‌ ୟୁନିଟ୍‌

ଖେଳାଳିଙ୍କ ସ୍ୱାସ୍ଥ୍ୟ ଚିନ୍ତା

ଭୁବନେଶ୍ୱର : ୟୁନିଟ-୪ ଡାକ୍ତରଖାନାରେ ଖୋଲିଛି ସ୍ପୋର୍ଟସ୍‌ ମେଡିସିନ୍‌ ଓପିଡି ବା ବହିର୍ବିଭାଗ। ରାଜଧାନୀରେ ଅନେକ ସମୟରେ ଚାଲୁଥିବା କ୍ରୀଡ଼ା ମହୋତ୍ସବକୁ ନଜରରେ ରଖି ସ୍ୱାସ୍ଥ୍ୟ ବିଭାଗ ଏଭଳି ଏକ ଯୋଜନା କରିଛି।

ତେବେ ୟୁନିଟ୍‌-୪ ଡାକ୍ତରଖାନା ପରିସରରେ ଏହି ଓପିଡି ଖୋଲିବାକୁ ନେଇ ଡାକ୍ତର-କର୍ମଚାରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଡାକ୍ତରଖାନାକୁ ରାଜ୍ୟ ସରକାର କେବଳ ମହିଳା ଓ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ରଖିଥିବା ବେଳେ ଏଭଳି ସ୍ଥାନରେ କ୍ରୀଡ଼ା ପାଇଁ ୟୁନିଟ୍‌ ଖୋଲାଯିବା ସାଧାରଣ ଚିକିତ୍ସାରେ ବାଧା ପହଞ୍ଚିବ ବୋଲି ସେମାନେ କହିଛନ୍ତି। ଅପରପକ୍ଷରେ ଏବେ ଅସ୍ଥାୟୀ ଭାବେ ଏହି ୟୁନିଟ୍‌ କାର୍ଯ୍ୟ କରୁଥିବା ବେଳେ ଆଗାମୀ ଦିନରେ ନୂତନ ବିଲ୍ଡିଂରେ ଏହା କାର୍ଯ୍ୟ କରିବ ବୋଲି ସ୍ୱାସ୍ଥ୍ୟସେବା ନିର୍ଦେଶକ କହିଛନ୍ତି।

ୟୁନିଟ୍‌-୪ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ପୋର୍ଟସ ମେଡିସିନ୍‌ ଏବଂ ପୁନର୍ବାସ କେନ୍ଦ୍ର ଖୋଲାଯାଇଛି। ଏଭଳି ଚିକିତ୍ସା କେନ୍ଦ୍ର ରାଜ୍ୟରେ ପ୍ରଥମ। ରାଜଧାନୀରେ ଏବେ ହକି ବିଶ୍ୱ ଲିଗ୍‌ ଫାଇନାଲ ଜାରି ରହିଥିବା ବେଳେ ଦେଶ ତଥା ବିଦେଶରୁ ବହୁ ଖେଳାଳି ଆସିଛନ୍ତି। ଏହାସହ ଆଗାମୀ ଦିନରେ ମଧ୍ୟ ଅନେକ କ୍ରୀଡ଼ା ମହୋତ୍ସବ ରାଜଧାନୀରେ ହେବାର ପ୍ରସ୍ତାବ ରହିଛି। ତେଣୁ ଖେଳାଳିମାନଙ୍କ ଆହତ ସମସ୍ୟାକୁ ନଜରରେ ରଖି ଏକ ସ୍ପୋର୍ଟସ ମେଡିସିନ୍‌ ୟୁନିଟ୍‌ ଖୋଲାଯାଇଛି। ଏହି ୟୁନିଟ୍‌ରେ ଏକ ଫିଜିଓଥେରାପି କେନ୍ଦ୍ର ମଧ୍ୟ କାର୍ଯ୍ୟ କରିବ। ଖେଳାଳିମାନଙ୍କ ସ୍ପ୍ରେନ୍‌ କିମ୍ବା ଫ୍ରାକ୍ଚର ହେବା ସହିତ ରେଡିଏସନ୍‌ ମଧ୍ୟ ଏଠାରେ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଜଣେ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଓ ଜଣେ ଫିଜିଓଥେରାପିଷ୍ଟଙ୍କୁ ନିଯୁକ୍ତି ଦିଆଯାଇଛି। କେବଳ ଜାତୀୟ କିମ୍ବା ଅନ୍ତର୍ଜାତୀୟ ଖେଳାଳି ନୁହନ୍ତି ସ୍ଥାନୀୟ ଖେଳାଳିମାନେ ମଧ୍ୟ ସେମାନେ ଏଠାରେ ଚିକିତ୍ସା ସୁବିଧା ପାଇପାରିବେ।

ଅସ୍ଥାୟୀ ଭାବେ ଚଳିତମାସ ୧ତାରିଖରୁ ୧୦ତାରିଖ ପର୍ଯ୍ୟନ୍ତ ଏହି ୟୁନିଟ୍‌ କାର୍ଯ୍ୟ କରିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷଙ୍କୁ ଆସିଥିବା ଚିଠିରୁ ଏହା ଜଣାପଡ଼ିଛି। ଏହି ସ୍ପୋର୍ଟସ ମେଡିସିନ୍‌ ୟୁନିଟ୍‌ ପାଇଁ ୟୁନିଟ୍‌-୪ ଡାକ୍ତରଖାନାରେ ଏଥିପାଇଁ ସାଧାରଣ ଓପିଡି ବା ବହିର୍ବିଭାଗ ଓ ଟିକାକରଣ ଗୃହକୁ ସ୍ପୋର୍ଟସ୍‌ ମେଡିସିନ୍‌ ୟୁନିଟ୍‌ ପାଇଁ ସଂରକ୍ଷିତ ରଖାଯାଇଛି। ଡାକ୍ତରଖାନାରେ ଥିବା ସ୍ତ୍ରୀ ଓ ପ୍ରସୂତି ବହିର୍ବିଭାଗକୁ ମଧ୍ୟ ଏଥିପାଇଁ ସଂରକ୍ଷିତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତରଖାନା କର୍ତୃପକ୍ଷଙ୍କୁ ଚିଠି ଦିଆଯାଇଛି। ମାତ୍ର ଏ ପର୍ଯ୍ୟନ୍ତ ହସ୍ପିଟାଲ କର୍ତୃପକ୍ଷ ଏହାକୁ ଖାଲି କରିବେ କି ନାହିଁ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଟିକାକରଣ ଗୃହକୁ ସ୍ପୋର୍ଟସ ମେଡିସିନ୍‌ର ପରାମର୍ଶ କେନ୍ଦ୍ର କରାଯାଇଥିବା ବେଳେ ସାଧାରଣ ବହିର୍ବିଭାଗକୁ ଫିଜିଓଥେରାପି କେନ୍ଦ୍ର ପାଇଁ ସଂରକ୍ଷିତ ରଖାଯାଇଛି। ଯାହାକୁ ନେଇ ଡାକ୍ତର-କର୍ମଚାରୀ ମହଲରେ ଅସନ୍ତୋଷ ଦେଖା ଦେଇଛି। ପ୍ରତ୍ୟେକ ବୁଧବାର ସେଠାରେ ଟିକାକରଣ କାର୍ଯ୍ୟ କରାଯାଉଥିବା ବେଳେ ଏହାସହ ବିଭିନ୍ନ ସ୍ୱାସ୍ଥ୍ୟ ବୈଠକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯାଉଛି। ତେଣୁ ଏହି ଗୃହକୁ ସଂରକ୍ଷିତ କରାଗଲେ ଲୋକଙ୍କ ଚିକିତ୍ସା ପାଇଁ ସମସ୍ୟା ଉପୁଜିବ ବୋଲି ଡାକ୍ତରଖାନାର କର୍ମଚାରୀମାନେ କହିଛନ୍ତି।

ୟୁନିଟ୍‌-୪ ଡାକ୍ତରଖାନାରେ ଏକ ନୂତନ ବିଲ୍ଡିଂର ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ବିଲ୍ଡିଂର ପ୍ଲାନ୍‌ ମଞ୍ଜୁର ମଧ୍ୟ ହୋଇଛି। ପୂର୍ବରୁ ଏକ ଠିକାଦାର ସଂସ୍ଥା ଏହାର ବିଲ୍ଡିଂ କାର୍ଯ୍ୟ ନେଇଥିବା ବେଳେ ଏବେ ଆଉ ଏକ ସଂସ୍ଥାକୁ ଏହି ଦାୟିତ୍ୱ ଦିଆଯାଇଛି। ନିକଟରେ ଏଥିପାଇଁ ୧.୨୫ କୋଟି ଟଙ୍କା ପ୍ରଦାନ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ସ୍ପୋର୍ଟସ୍‌ ମେଡିସିନ୍‌ ୟୁନିଟ୍‌କୁ ନେଇ ସେଠାରେ ସମସ୍ୟା ଉପୁଜିପାରେ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସ୍ୱାସ୍ଥ୍ୟସେବା ନିର୍ଦେଶକ ଡା.ବ୍ରଜ କିଶୋର ବ୍ରହ୍ମା କହିଛନ୍ତି, ରାଜଧାନୀରେ ବିଭିନ୍ନ କ୍ରୀଡ଼ା ମହୋତ୍ସବକୁ ନଜରରେ ରଖି ଏହି ୟୁନିଟ୍‌ ଖୋଲାଯାଇଛି। ରାଜ୍ୟରେ ଏଭଳି କେନ୍ଦ୍ର ପ୍ରଥମ। ଏଠାରେ ଜଣେ ଅସ୍ଥିଶଲ୍ୟ ବିଶେଷଜ୍ଞ ଓ ଫିଜିଓଥେରାପିଷ୍ଟ ରହିବେ। ଖେଳାଳିମାନଙ୍କ ସ୍ୱାସ୍ଥ୍ୟ ସମସ୍ୟାର ଏଠାରେ ଚିକିତ୍ସା କରାଯିବ। ତେବେ ୟୁନିଟ୍‌-୪ ଡାକ୍ତରଖାନାକୁ କେବଳ ମହିଳା ଓ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ରଖା ଯାଇଥିବାରୁ ଏବେ ଅସ୍ଥାୟୀ ଭାବେ ଏହି ୟୁନିଟ୍‌ କାର୍ଯ୍ୟ କରୁଛି। ଆଗାମୀ ଦିନରେ ନୂତନ ବିଲ୍ଡିଂରେ ସଂପୂର୍ଣ୍ଣଭାବେ ଏହା କାର୍ଯ୍ୟକ୍ଷମ ହେବ ବୋଲି ଡା.ବ୍ରହ୍ମା କହିଛନ୍ତି।

ସମ୍ବନ୍ଧିତ ଖବର