ସିବିଏସ୍‌ଇ ଦ୍ୱାଦଶ ବିଜ୍ଞାନରେ ଶ୍ରୀଚନ୍ଦନ ଦ୍ୱିତୀୟ

ଭୁବନେଶ୍ୱର : ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ପରୀକ୍ଷାରେ କେଦାରଗୌରୀର ସେଣ୍ଟ୍‌ ଜାଭିୟର୍‌ ହାଇସ୍କୁଲ୍‌ର ଛାତ୍ର ଶ୍ରୀଚନ୍ଦନ ଦାଶ ୯୮ ପ୍ରତିଶତ ମାର୍କ ରଖି ରାଜ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ବିବେକାନନ୍ଦ ଦାଶ ଓ ସୁପ୍ରଭା ମିଶ୍ରଙ୍କ ପୁଅ ଶ୍ରୀଚନ୍ଦନ ନିଜ ସଫଳତା ସମ୍ପର୍କରେ କୁହନ୍ତି, ପରୀକ୍ଷା ପାଇଁ ଦିନକୁ ୧୦ରୁ ୧୨ଘଣ୍ଟା କରୁଥିଲି ଓ ପରିଶ୍ରମ ଅନୁସାରେ ମାର୍କ ମଧ୍ୟ ରଖିଛି। ପରୀକ୍ଷା ସମୟ ବହୁତ କମ୍‌ ଥିବାରୁ ମୁଁ ସବୁ ସମୟର ସଦୁପଯୋଗ କରୁଥିଲି। ସାଙ୍ଗମାନେ ଗ୍ରୁପ୍‌ ଡିସକସନ୍‌ କରୁଥିଲୁ। ବୁଝି ନ ପାରୁଥିବା ପାଠ ବାରମ୍ବାର ପଢ଼ୁଥିଲି। ଆମ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀମାନେ ପରୀକ୍ଷା ପାଇଁ ବହୁତ ସହଯୋଗ କରୁଥିଲେ। ସେଥିପାଇଁ ମୋ ପରିଶ୍ରମ ଓ ତାଙ୍କ ଦାୟିତ୍ୱ ପାଇଁ ମୁଁ ଏହି ସ୍ଥାନ ଅଧିକାର କରିବାରେ ସଫଳ ହୋଇଛି। ତା’ଛଡ଼ା ମୋ ସଫଳତା ପାଇଁ ଅଧିକରୁ ଅଧିକ ଶ୍ରେୟ ମୋ ଜେଜେଙ୍କର। ସେ ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହୋଇଥିବାରୁ ମୋର ପଢାରେ ଯାହା ସନ୍ଦେହ ଥାଏ, ସେ ଭଲ ଭାବେ ବୁଝାଇ ଦିଅନ୍ତି। ମୋର ଇଚ୍ଛା ଆଇଆଇଟିରେ କମ୍ପ୍ୟୁଟର ସାଇନ୍ସ ପଢି ରୋବଟିକ୍‌ ଓ ଆର୍ଟିଫିସିଆଲ କମ୍ପ୍ୟୁଟର ସାଇନ୍ସରେ ଗବେଷଣା କରିବ। ତେବେ ପ୍ରଥମେ ମୁଁ ଜଣେ ଭଲ ମଣିଷ ହେବା ପାଇଁ ଚାହେଁ।

ସମ୍ବନ୍ଧିତ ଖବର