ପୁସ୍ତକମେଳାରେ ଶ୍ରୀଜଗନ୍ନାଥଙ୍କ ବଡ଼ସିଂହାର ବେଶ

ଉଲାଗି ଧ୍ୱଜା ପାଇଁ ବି ଭକ୍ତଙ୍କ ନାହିଁ ନ ଥିବା ଭିଡ଼

ଭୁବନେଶ୍ୱର: ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ପ୍ରାୟ ସବୁବେଳେ ମେଳାର ଆସର ଜମୁଥିବା ବେଳେ ଏବେ ଶ୍ରୀମନ୍ଦିରର ବାତାବରଣ ସୃଷ୍ଟି ହୋଇଛି। ପୁରୀ ନ ଯାଇ ଭକ୍ତମାନେ ମହାପ୍ରଭୁଙ୍କ ବଡ଼ସିଂହାର ବେଶ ମଧ୍ୟ ଏଠାରେ ଦେଖିବାର ସୁଯୋଗ ପାଉଛନ୍ତି। ବିନାମୂଲ୍ୟରେ ଭକ୍ତଙ୍କୁ ମହାପ୍ରଭୁଙ୍କ ନିର୍ମାଲ୍ୟ ଓ ତୁଳସୀ ମଧ୍ୟ ବଣ୍ଟାଯାଉଛି। ‘ଅଷ୍ଟଦଶ ରାଜଧାନୀ ପୁସ୍ତକ ମେଳା’ରେ ଶ୍ରୀମନ୍ଦିର ପ୍ରଶାସନ, ପୁରୀ ପକ୍ଷରୁ ଖୋଲା ଯାଇଥିବା ଷ୍ଟଲ୍‌ରେ ପ୍ରତିଦିନ ସନ୍ଧ୍ୟାରେ ଜମୁଛି ଏଭଳି ଭକ୍ତି ଭାବାମୟ ପରିବେଶ। ଷ୍ଟଲ୍‌ ମଧ୍ୟରେ ତିନି ଠାକୁରଙ୍କର ପ୍ରାୟ ଅଢ଼େଇ ଫୁଟରୁ ୩ ଫୁଟର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଷ୍ଟଲ୍‌ର ସବୁଠାରୁ ଆକର୍ଷଣୀୟ ହୋଇଛି ଏହାର ପ୍ରବେଶ ଓ ପ୍ରସ୍ଥାନ ଫାଟକ। ପ୍ରବେଶ ଫାଟକକୁ ଶ୍ରୀମନ୍ଦିରର ସିଂହଦ୍ୱାର ଭଳି ଓ ପ୍ରସ୍ଥାନ ଫାଟକକୁ ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାର ଭଳି ଅବିକଳ ସଜାଯାଇଛି। ପୁସ୍ତକ ମେଳା ବୁଲି ଆସୁଥିବା ପାଠକ ଏଠାରେ ଘଡ଼ିଏ ରହିବା ସହ ମହାପ୍ରଭୁଙ୍କୁ ପ୍ରଣାମ ହେଉଥିବା ଦେଖିିବାକୁ ମିଳୁଛି।

ଷ୍ଟଲ୍‌ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ପ୍ରାୟ ୧୦୦ରୁ ଅଧିକ ବିଭାଗରେ ୩୦୦ରୁ ଊର୍ଧ୍ୱ ପୁସ୍ତକ ଉପଲବ୍ଧ। ଏହାଛଡ଼ା ଶ୍ରୀଜଗନ୍ନାଥଙ୍କ ଭଜନ ସିଡି ଓ ଭକ୍ତଙ୍କ ପାଇଁ ଦାନ ବାକ୍ସ ମଧ୍ୟ ଏଠାରେ ଉପଲବ୍ଧ। ଏଠାରେ ମହାପ୍ରଭୁଙ୍କ ବେଶ ବୈଶିଷ୍ଟ୍ୟ, ରାଜଭୋଗ, ରୋଷଶାଳା ଐତିହ୍ୟ, ଦୈନନ୍ଦିନ ନୀତି, ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟମ୍‌, ଶ୍ରୀମନ୍ଦିର ପୁରୁଷୋତ୍ତମ ରହସ୍ୟ, ଭକ୍ତ ଚରିତମାଳା ଆଦି ପୁସ୍ତକ ହିନ୍ଦୀ, ଇଂରାଜୀ, ସଂସ୍କୃତ ଆଦି ବହୁ ଭାଷାରେ ଉପଲବ୍ଧ।

ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଏଭଳି ଷ୍ଟଲ୍‌ କରିବାର ମୂଳ ଉଦ୍ଦେଶ୍ୟ ରହିଛି ବୋଲି କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନର ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀ ନାରାୟଣ ପୂଜାପଣ୍ଡା। ଏହାସହ ଷ୍ଟଲ୍‌ ମଧ୍ୟରେ ୧୪ ହାତର ଉଲାଗି ଧ୍ୱଜା ମଧ୍ୟ ବିକ୍ରି ହେଉଛି। ଧ୍ୱଜାର ମୂଲ୍ୟ ୨୦୦ ଟଙ୍କା ଥିବା ବେଳେ ଏହା କିଣିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର