ଶ୍ରେୟା ଫେଷ୍ଟ୍‌, ପ୍ରେମ ବର୍ଷିଲା, ଧୂଳି ଉଡ଼ିଲା

ଗୀତରେ ଗୀତରେ ବହୁଥିଲା ପ୍ରେମର ମଳୟ। ପ୍ରଦର୍ଶନୀ ପଡ଼ିଆ କିଛି କ୍ଷଣ ପାଇଁ ପାଲଟିଥିଲା ପ୍ରେମ ରାଇଜ। ବେପନ୍‌ହା ପ୍ୟାର୍‌ ହେ ଆଜା.., ହସ୍‌ମତ୍‌ ପଗ୍‌ଲେ ପ୍ୟାର୍‌ ହୋ ଜାଏଗା.., ତୁଝ୍‌ମେ ରବ୍‌ ଦିଖ୍‌ତା ହୈ.., ତୁ ମିଲେ୍‌ ଦିଲ୍‌ ଖିଲେ.., ଯାଦୁ ହୈ ନଶା ହୈ.., ଓରେ ସାଜନ ଆୟୋ ତେରା ଦେଶ..ଭଳି ପ୍ରେମର ରାଗିଣୀରେ ଦର୍ଶକଙ୍କୁ ପ୍ରେମ ମନସ୍କ କରିଥିଲେ ‌ବଲିଉଡ୍‌ ମେଲୋଡି ରାଣୀ ଶ୍ରେୟା ଘୋଷାଲ୍‌। ଡଟ୍‌ ଫେଷ୍ଟ୍ ଆଜି ସାଜିଥିଲା ପ୍ରେମ ଫେଷ୍ଟ୍‌। ଶ୍ରେୟାଙ୍କ ଗୀତ ସହ ତାଳ ଦେଇ ଦର୍ଶକ ନାଚିବାକୁ ଲାଗିଥିଲେ। ଶ୍ରେୟାଙ୍କ ସଂଗୀତ ଶୁଣିବାକୁ ଆଜି ଯେମିତି ‌ପ୍ରତିଯୋଗିତା ଲାଗିଥିଲା। ସ୍ବତନ୍ତ୍ର ବ୍ୟାରିକେଡ୍‌ ନିର୍ମିତ ‌ହୋଇଥିବା ବେଳେ ପ୍ରଦର୍ଶନୀ ପଡ଼ିଆକୁ ପ୍ରବେଶ ପୂର୍ବରୁ ଲୋକଙ୍କୁ ଲମ୍ବା ଲାଇନ୍‌ରେ ଛିଡ଼ା ହେବାକୁ ପଡ଼ିଥିଲା। ଶ୍ରେୟାଙ୍କୁ ଦେଖିବା ପାଇଁ ପଡ଼ିଆ ବାହାରେ ମଧ୍ୟ ଦର୍ଶକଙ୍କ ସମାଗମ ହୋଇଥିଲା। ଦର୍ଶକ ଗ୍ୟାଲେରି ଭିତରେ ଯେତିକି ଭିଡ଼ ଜମିଥିଲା, ତା’ଠୁ ଅଧିକ ଭିଡ଼ ଜମିଥିଲା ଗ୍ୟାଲେରି ବାହାରେ। ଦର୍ଶକଙ୍କ ନାଚରେ ଧୂଳି ଉଡ଼ିଥିଲା। ଲୋକେ ଛିଡ଼ା ହୋଇ ଅଢ଼େଇ ଘଣ୍ଟା କାଳ ଶ୍ରେୟାଙ୍କ ସଂଗୀତରେ ଝୁମିଥିଲେ। କିଞ୍ଜଲ୍‌ ଚଟ୍ଟୋପାଧ୍ୟାୟ ସଂଗୀତରେ ସହଯୋଗ କରିଥିଲେ।

ଭାରତୀୟ ଦଳକୁ ଚିୟର୍‌-ଅପ୍‌ କଲେ ଶ୍ରେୟା
କଳିଙ୍ଗ ଷ୍ଟାଡିୟମରେ ଭାରତ-କାନାଡ଼ା ହକି ବିଶ୍ବକପ୍‌ ମ୍ୟାଚ୍‌ ଚାଲିଥିବା ବେଳେ ସଂଗୀତ ମଞ୍ଚରୁ ଶ୍ରେୟା ଭାରତୀୟ ଦଳକୁ ନିଜେ ଚିୟର-ଅପ୍ କରିବା ସହ ଦର୍ଶକଙ୍କୁ ତାଙ୍କ ସହ ଚିୟର-ଅପ୍ କରିବା ପାଇଁ କହିଥିଲେ। ହକି ଷ୍ଟାଡିୟମରେ ଚିୟର-ଅପ୍ ସ୍ବର ଯେତିକି ଶୁଭୁନଥିବ ତାହା ଆଜି ପ୍ରଦର୍ଶନୀ ପଡ଼ିଆରେ ୧୫ ହଜାରରୁ ଅଧିକ ଦର୍ଶକଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା।

ଗହଳି ନିୟନ୍ତ୍ରଣ କଲେ ବିଏମ୍‌ସି କମିସନର
ବିଶାଲ୍‌-ଶେଖର ଏବଂ ସୋନା ମହାପାତ୍ରଙ୍କ ଗୀତରେ ନାଚିବା ପାଇଁ ଦର୍ଶକ ଲୁହା ବ୍ୟାରିକେଡ୍‌ ଡେଇଁ ମଞ୍ଚ ନିକଟକୁ ଚାଲି ଆସିଥିଲେ। ତେଣୁ ଆଜି ଯେମିତି ସେଭଳି ‌ପରିସ୍ଥିତି ସୃଷ୍ଟି ନହୁଏ, ସେଥିପ୍ରତି ସଜାଗ ଥିଲା ପୁଲିସ୍‌। ତଥାପି ମଂଚ ସାମ୍ନାରେ ବସିଥିବା ଦର୍ଶକ ମଂଚ ସାମ୍ନାକୁ ଚାଲି ଆସି ଛିଡ଼ା ହୋଇ ନାଚିଥିଲେ। ଏହା ଦେଖିବା ପ‌ରେ ପୁଲିସ୍‌ ଭିଡ଼ ନିୟନ୍ତ୍ରଣ କରିଥିଲା। ତେବେ ଭିଡ଼ ଏଡ଼ାଇବା କାଠିକର ହେବାରୁ ଖୋଦ୍‌ ବିଏମ୍‌ସି କମିସନର ମଞ୍ଚ ସାମ୍ନାକୁ ଆସି ଆଗରେ ଛିଡ଼ା ହୋଇଥିବା ଦର୍ଶକଙ୍କୁ ସାମ୍ନାରୁ ହଟାଇଥିଲେ।

 

ସମ୍ବନ୍ଧିତ ଖବର