ଲକ୍‌ଡାଉନ୍‌ : ଚିନ୍ତାରେ ମଞ୍ଚ କଳାକାର, ସଂସ୍କୃତି ବିଭାଗ ଦୃଷ୍ଟି ଦେଉ

ଭୁବନେଶ୍ବର: ରାଜଧାନୀକୁ ଅନେକ ନିଜର ସ୍ବପ୍ନ ସାକାର କରିବା ପାଇଁ ଧାଇଁ ଆସନ୍ତି। କଳାକାରଟିଏ ହେଉ ଅବା ସାଂସ୍କୃତିକ ଅନୁଷ୍ଠାନ, ରାଜଧାନୀ ହେଉଛି ଅଧିକାଂଶଙ୍କ ଭାତ ହାଣ୍ଡି। ମାତ୍ର କରୋନା ଦାଉରେ ଏବେ ସବୁ ବନ୍ଦ। ଫଳରେ ଅଭିନୟ ହେଉ ଅବା ସଂଗୀତ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ସଂଘର୍ଷ କରୁଥିବା ସେଇ କଳାକାରମାନେ ବି କରୋନା ଲକ୍‌ଡାଉନ୍‌ରେ ଚିନ୍ତାରେ ପଡ଼ିଛନ୍ତି। ‌ସ୍ବାଭିମାନୀ ସ୍ବଭାବ ପାଇଁ କଳାକାରଟିଏ ମୁହଁ ଖୋଲୁ ନଥିଲେ ହେଁ ଏବେ କିଛି କଳାକାର ସୋସିଆଲ ମିଡିଆରେ ନିଜର କୋହ ପ୍ରକାଶ କରିବା ଆରମ୍ଭ କରିଛନ୍ତି। ମଞ୍ଚରେ ତାଲା ପଡ଼ିଥିବାରୁ ସେମାନଙ୍କ ରୋଜଗାରର ପନ୍ଥା ବନ୍ଦ ହୋଇଯାଇଛି। ତେଣୁ ଘର ଭଡ଼ା, ପିଲାଙ୍କ ପଢ଼ା, ଗାଁ’ରେ ବୁଢ଼ା ବାପା ମା’ଙ୍କ ଔଷଧ କଥା ଭାବି ସେମାନଙ୍କ ଆଖିରୁ ନିଦ ହଜିଗଲାଣି।

କଳାକାର ଶିବ ତ୍ରିପାଠୀଙ୍କ କହିବା ଅନୁଯାୟୀ, ମଞ୍ଚରେ ଏମିତି କିଛି କଳାକାର ଅଭିନୟ କରନ୍ତି, ଯେଉଁମାନେ ଅଧିକାଂଶ ସମୟରେ ଷ୍ଟ୍ରିଟ୍‌ ପ୍ଲେ’, କିମ୍ବା ଚଳଚ୍ଚିତ୍ରରେ ଛୋଟ ଛୋଟ ଭୂମିକାରେ ଅଭିନୟ କରି ସେଥିରୁ କିଛି ଅର୍ଥ ଉପାର୍ଜନ କରନ୍ତି। କିଛି ନୃତ୍ୟ ଓ ସଂଗୀତ ଅନୁଷ୍ଠାନ ମଧ୍ୟ ବର୍ଷତମାମ ସରକାର ଓ ବିଭିନ୍ନ ସଂସ୍ଥା ଜରିଆରେ କାର୍ଯ୍ୟକ୍ରମ କରି ଅର୍ଥ ଉପାର୍ଜନ କରି ନିଜ ସଂସ୍ଥାକୁ ବଞ୍ଚେଇ ରଖନ୍ତି। ଏହାଦ୍ବାରା କିଛି କଳାକାର ନିଜର ଗୁଜୁରାଣ ମେଣ୍ଟାନ୍ତି। ମାତ୍ର ଭୋକରେ ମରିଯିବେ ପଛେ ଅନେକ ଏ ବାବଦରେ ମୁହଁ ଖୋଲିବାକୁ ଚାହାନ୍ତି ନାହିଁ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କିମ୍ବା ଓଡ଼ିଶା ସଂଗୀତ ନାଟକ ଏକାଡେମି ଜରିଆରେ ରାଜ୍ୟର ବହୁ କଳାକାର କାର୍ଯ୍ୟକ୍ରମ କରିବାର ସୁଯୋଗ ପାଇ ଆର୍ଥିକସ୍ତରରେ ଉପକୃତ ହୁଅନ୍ତି। ତାହା ବି ଅନେକ ଦିନ ପର୍ଯ୍ୟନ୍ତ ହେବାର ସମ୍ଭାବନା ଦେଖାଯାଉନାହିଁ। ଯଦିଓ ଦୁଃସ୍ଥ ବରିଷ୍ଠ କଳାକାରଙ୍କ ପାଇଁ ପେନସନ୍‌ର ବ୍ୟବସ୍ଥା ଅଛି, କିନ୍ତୁ ଏହି ଅନାଲୋଚ୍ୟ କଳାକାରଙ୍କର ନା ସଂଗଠନ ଅଛି ନା ଏ‌ମାନେ କେତେ ସଂଖ୍ୟାରେ ଅଛନ୍ତି ତା’ର ହିସାବ ଅଛି। ମାତ୍ର ଯଦି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏ କ୍ଷେତ୍ରରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଏହି କଳାକାରମାନଙ୍କୁ ସହାୟତା କରିବାକୁ ଆଗେଇ ଆସନ୍ତା, ତେବେ ଏହି କଳାକାରମାନଙ୍କର ମରିଯାଉଥିବା ଆଶା ପୁନର୍ଜୀବିତ ହୋଇପାରନ୍ତା। ଓଡ଼ିଶା ନାଟ୍ୟସଂଘ ସମେତ ବହୁ ବରିଷ୍ଠ କଳାକାରମାନେ ମଧ୍ୟ ଏ ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସେ ନିବେଦନ କରିଛନ୍ତି। ବରିଷ୍ଠ ନାଟ୍ୟ ନିର୍ଦେଶକ ଧୀରେନ୍ଦ୍ରନାଥ ମଲ୍ଲିକ କହିଛନ୍ତି, ବହୁ କଳାକାରଙ୍କ ସମେତ କିଛି ମଞ୍ଚ ନିର୍ଦ୍ଦେଶକ, ଅଭିନେତ୍ରୀ, କଣ୍ଠଶିଳ୍ପୀ, ବାଦ୍ୟଶିଳ୍ପୀ ବିଭିନ୍ନ ସରକାରୀ ବିଭାଗର ବାର୍ଷିକ ଉତ୍ସବରେ ପରିବେଷିତ ନାଟକରୁ ଅର୍ଥ ଉପାର୍ଜନ କରି ଗୁଜରାଣ ମେଣ୍ଟାନ୍ତି। ତେଣୁ ସରକାର ସେମାନଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ସେ ନିବେଦନ କରିଛନ୍ତି।

ସିନେମା ହେଉ ଅବା ମଞ୍ଚ ନାଟକ, କିଛି ପ୍ରମୁଖ କଳାକାରଙ୍କୁ ଛାଡ଼ିଦେଲେ ଅନ୍ୟ ସହ କଳାକାରଙ୍କୁ କେହି ଚିହ୍ନନ୍ତି ନାହିଁ। ପରଦା ପଛରେ ମଞ୍ଚ ସଜାଡ଼ୁଥିବା, ଆଲୁଅ ସମ୍ପାଦନା କରୁଥିବା,‌ ସଂଗୀତାଂଶେ ସହଯୋଗ ଦେଉଥିବା ଲୋକେ ବି ଜଣେ ଜଣେ କଳାକାର ଭାବେ ଗଣାଯାଆନ୍ତି। ହେଲେ ଏମାନେ କେବେ ଚିହ୍ନା ପଡ଼ନ୍ତି ନାହିଁ। ମାତ୍ର ଏମାନଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ମଞ୍ଚ ଉପରେ ପ୍ରଦର୍ଶିତ ନାଟକଟିଏ ଜୀବନ୍ତ ହୁଏ। ଲୋକେ ତାଳି ମାରନ୍ତି। ଏମିତି କିଛି କଳାକାର ଅଛନ୍ତି, ଯେଉଁମାନେ ନିୟମିତ ନାଟକ କରି, ଗୀତ ଗାଇ, ସଂଗୀତାଂଶେ ସହଯୋଗ କରି ପେଟ ପୋଷନ୍ତି। ତେଣୁ ସଂପ୍ରତି ସେଇ କଳାକାରଙ୍କ ଅସୁବିଧା ସମୟରେ ସଂସ୍କୃତି ବିଭାଗ ଏମାନଙ୍କ ପ୍ରତି ଦୃଷ୍ଟି ଦେବାକୁ କିଛି ବରିଷ୍ଠ କଳାକାର ନିବେଦନ କରିଛନ୍ତି। ତେବେ ଏ ମହାବିପତ୍ତି ସମୟରେ ଅନେକ ଥିଲାବାଲା ନାଟ୍ୟକର୍ମୀ ଓ ପ୍ରତିଷ୍ଠିତ ବ୍ୟକ୍ତିମାନେ ସେଇ କଳାକାରମାନଙ୍କୁ ସହଯୋଗର ହାତ ବଢ଼ାଇ ପାରିଲେ ସେମାନଙ୍କ ମରିଯାଉଥିବା ଆଶା ପୁଣି କଅଁଳି ଉଠନ୍ତା…।

ସମ୍ବନ୍ଧିତ ଖବର