ଚନ୍ଦ୍ରଶେଖରପୁର : ବ୍ରାହ୍ମଣ ସମାଜ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା ମନ୍ତ୍ରୀ ଦାମୋଦର ରାଉତଙ୍କୁ ବିରୋଧ କରି ଶୈଳଶ୍ରୀବିହାର ବ୍ରାହ୍ମଣ ପରିବାର ପକ୍ଷରୁ ତାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ବ୍ରାହ୍ମଣମହାସଭା ଆଧ୍ୟାତ୍ମିକ ମାର୍ଗଦର୍ଶକ ଶ୍ରୀଗୁରୁ ସୀତାରାମ ଶତପଥୀ, ପଣ୍ଡିତ ପ୍ରତାପ ପଣ୍ଡା, ପଣ୍ଡିତ ଗୋବିନ୍ଦ ମିଶ୍ର, ମାନସୀ ମଞ୍ଜରୀ ରାୟପଢ଼ିହାରୀ, ବଟକୃଷ୍ଣ ପଣ୍ଡା ପ୍ରମୁଖ ଏହି ବିରୋଧରେ ନେତୃତ୍ୱ ନେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଦାମବାବୁ ନିଃସର୍ତ କ୍ଷମା ମାଗନ୍ତୁ: ବ୍ରାହ୍ମଣ ମହାସଭା
ପୁରୁଣା ଭୁବନେଶ୍ୱର : ନିଖିଳ ଓଡ଼ିଶା ବ୍ରାହ୍ମଣ ମହାସଭାର ବୈଠକ ଜୟକୃଷ୍ଣ ଡାଲମିଆଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଡାଲମିଆ ଧର୍ମଶାଳାରେ ଅନୁଷ୍ଠିତ ହୋଇ ଯାଇଛି। କୃଷି ମନ୍ତ୍ରୀ ଦାମୋଦର ରାଉତଙ୍କ ବ୍ରାହ୍ମଣ ବିରୋଧୀ ମନ୍ତବ୍ୟକୁ ନିନ୍ଦା କରାଯାଇଛି। ମହାସଭା ପକ୍ଷରୁ କୁହାଯାଇଛି ଯେ, ଭିକ୍ଷା ବୃତ୍ତି କରିବା ବ୍ରାହ୍ମଣ ମାନଙ୍କ ଏକ ବୃତ୍ତି ନୁହେଁ। ବ୍ରତ ଉପୋନୟନ ସମୟରେ ଯେଉଁ ଭିକ୍ଷା କାର୍ଯ୍ୟକ୍ରମର ଉଦାହରଣ ମନ୍ତ୍ରୀ ଦେଲେ, ତାହା ସେ ବୁଝି ନାହାନ୍ତି। ଏହା ଗୁରୁଙ୍କ ନିର୍ଦେଶରେ ସଂପାଦିତ ହୋଇ ଗୁରୁକୁଳ ଆଶ୍ରମ ପାଇଁ ବିନିଯୋଗ ହୁଏ। ଏହାର ମର୍ମକୁ ନ ବୁଝି ମନ୍ତ୍ରୀଙ୍କ ମନ୍ତବ୍ୟ ଅବିମୃଷ୍ୟକାରିତାର ପରିଚୟ ବୋଲି ମହାସଭା ପକ୍ଷରୁ କୁହାଯାଇଛି। ଏହା ବ୍ରାହ୍ମଣମାନଙ୍କ ସ୍ୱାଭିମାନଙ୍କୁ ଆଘାତ ଦେଇଛି। ଏଣୁ ମନ୍ତ୍ରୀ ନିଃସର୍ତ କ୍ଷମା ମାଗନ୍ତୁ ବୋଲି ମହାସଭା ପକ୍ଷରୁ ମତ ପ୍ରକାଶ ପାଇଛି। ଅନୁଷ୍ଠାନର ଇଂ ଭଗବାନ ପଣ୍ଡା, କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।