୯ରେ ଷ୍ଟାମ୍ପ ଭେଣ୍ଡର ମହାସଂଘର ବୈଠକ, ଇ-ଷ୍ଟାମ୍ପ ପେପରକୁ ବିରୋଧ

ଭୁବନେଶ୍ୱର: ବିଭିନ୍ନ ସରକାରୀ ଦଲିଲରେ ବ୍ୟବହାର ହେଉଥିବା ଷ୍ଟାମ୍ପ ପେପର ଡିଜିଟାଲାଇଜ୍‌ଡ ହୋଇଛି। ଏକ ନିର୍ଦ୍ଦିଷ୍ଟ ସଂସ୍ଥା(ଷ୍ଟକ୍‌ ହୋଲ୍ଡିଂ କର୍ପୋରେସନ) ସରକାରଙ୍କଠାରୁ ସ୍ବୀକୃତି ନେଇ ଏହି ଡିଜିଟାଲ ପେପର ବିକ୍ରି କରୁଛି। ଷ୍ଟାମ୍ପ ଭେଣ୍ଡରଙ୍କୁ ସର୍ବାଧିକ ୫ଲକ୍ଷ ଟଙ୍କାର ପେପର ବ୍ୟବହାର ପାଇଁ ସ୍ବୀକୃତି ରହିଥିବା ବେଳେ ଏହି ସଂସ୍ଥାକୁ ଅତି କମ୍‌ରେ ୨ ଲକ୍ଷରୁ ଊର୍ଦ୍ଧ୍ବ ମୂଲ୍ୟର ଷ୍ଟାମ୍ପ ପେପର ବ୍ୟବହାର ପାଇଁ ଓଡ଼ିଶା ଷ୍ଟାମ୍ପ ଭେଣ୍ଡର ମହାସଂଘ ରାଜସ୍ବ ମନ୍ତ୍ରୀଙ୍କଠାରୁ ପ୍ରତିଶ୍ରୁତି ପାଇଥିଲେ ମଧ୍ୟ ସମ୍ପୃକ୍ତ ସଂସ୍ଥା ଯେ କୌଣସି ମୂଲ୍ୟର ଷ୍ଟାମ୍ପ ପେପର ବିକ୍ରି କରୁଛି। ଏହାକୁ ବିରୋଧ କରିଛି ଓଡ଼ିଶା ଷ୍ଟାମ୍ପ ଭେଣ୍ଡର ମହାସଂଘ। ଏହା ବିରୋଧରେ ଚରମ ନିଷ୍ପତ୍ତି ନେବା ପାଇଁ ଆସନ୍ତା ୯ ତାରିଖରେ ଭୁବନେଶ୍ବର ସବ୍‌ରେଜିଷ୍ଟାର କାର୍ଯ୍ୟାଳୟ ପରିସରରେ ଏକ ଜରୁରୀ ସଭା ଅନୁଷ୍ଠିତ ହେଉଛି। ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କୁ ବାରମ୍ବାର ଅନୁରୋଧ କରାଯାଇଥିବା ବେଳେ ମନ୍ତ୍ରୀ ମଧ୍ୟ ସରକାରଙ୍କୁ ସୁପାରିସ କରିଛନ୍ତି। କିନ୍ତୁ ସମ୍ପୃକ୍ତ ସଂସ୍ଥାକୁ ଅଦ୍ୟାବଧି ମହାସଂଘ ଦାବି ମୁତାବକ ନିର୍ଦ୍ଦେଶ ଦିଆଯାଇ ନାହିଁ। ଏଣୁ ସଂଘ ଏହି ବୈଠକରେ ଚରମ ନିଷ୍ପତ୍ତି ନେବାକୁ ଯାଉଥିବା ସୂଚନା ଦେଇଛନ୍ତି ମହାସଂଘର ସାଧାରଣ ସମ୍ପାଦକ ରାମକୃଷ୍ଣ ପରିଡ଼ା। ସୂଚନା ମୁତାବକ, ଷ୍ଟାମ୍ପ ଭେଣ୍ଡରମାନେ ଗୋଟିଏ ଦଲିଲରେ ସର୍ବାଧିକ ୫ ଲକ୍ଷ ଟଙ୍କାର ଷ୍ଟାମ୍ପ ପେପର ବ୍ୟବହାର କରିବା ପାଇଁ ସ୍ବୀକୃତି ଦିଆଯାଇଛି। ନିକଟରେ ଏହି ବ୍ୟବସ୍ଥାକୁ ଡିଜିଟାଲାଇଜ୍‌ଡ କରାଯାଇଛି। କିନ୍ତୁ ପ୍ରବଳ ବିରୋଧ ହେବାରୁ ଉଭୟ ଷ୍ଟାମ୍ପ ଭେଣ୍ଡରଙ୍କ ଜରିଆରେ ମାନୁଆଲ ଓ ଡିଜିଟାଲ ବ୍ୟବସ୍ଥାରେ ଏହି ଷ୍ଟାମ୍ପ ପେପର ବିକ୍ରି ଚାଲିଛି। ଷ୍ଟାମ୍ପ ଭେଣ୍ଡରମାନଙ୍କୁ ସର୍ବାଧିକ ୫ ଲକ୍ଷ ଟଙ୍କାର ପେପର ଗୋଟିଏ ଦଲିଲରେ ବ୍ୟବହାର ପାଇଁ ଅନୁମତି ଥିବାରୁ ଡିଜିଟାଲ ବ୍ୟବସ୍ଥାରେ ସର୍ବନିମ୍ନ ସୀମା ୫ ଲକ୍ଷ ଟଙ୍କା ଧାର୍ଯ୍ୟ କରିବା ପାଇଁ ସଂଘ ଦାବି କରିଥିଲା।

ସମ୍ବନ୍ଧିତ ଖବର