ଷ୍ଟାମ୍ପ ଭେଣ୍ଡରଙ୍କ ଧାରଣା; କାରବାର ଠପ୍‌

ଭୁବନେଶ୍ୱର : ଇ-ଷ୍ଟାମ୍ପ ଭେଣ୍ଡିଂକୁ ବିରୋଧ କରି ଆଜିଠାରୁ ଧାରଣା ଆରମ୍ଭ କରିଛି ଷ୍ଟାମ୍ପ ଭେଣ୍ଡର ମହାସଂଘ। ରାଜ୍ୟର ସମସ୍ତ ‌ଷ୍ଟାମ୍ପ ଭେଣ୍ଡର ଷ୍ଟାମ୍ପ ପେପର ବିକ୍ରି ବନ୍ଦ କରି ଧାରଣାରେ ବସିଛନ୍ତି। ଫଳରେ ବିଭିନ୍ନ ଜମିଜମା ତଥା ଅନ୍ୟାନ୍ୟ ସରକାରୀ କାମ ପାଇଁ ଷ୍ଟାମ୍ପ ପେପର ଓ କୋର୍ଟ ଫି ବିକ୍ରି ବନ୍ଦ ରହିଛି। ଷ୍ଟାମ୍ପ ପେପର ସହ ଇ-ଷ୍ଟାମ୍ପ ପେପର ବିକ୍ରି ମଧ୍ୟ ବନ୍ଦ ରହିଛି। ରାଜ୍ୟର ୪ ହଜାର ଷ୍ଟାମ୍ପ ଭେଣ୍ଡର ଏଥିରେ ସାମିଲ ହୋଇଛନ୍ତି। ଫଳରେ ଷ୍ଟାମ୍ପ ପେପର ଓ କୋର୍ଟ ଫି’କୁ ନେଇ ବ୍ଲକ, ତହସିଲ, ସବ୍‌ରେଜିଷ୍ଟ୍ରାର, ସବ୍‌କଲେକ୍ଟର ସମେତ ସମସ୍ତ କୋର୍ଟରେ ହେଉଥିବା ସମସ୍ତ କାର୍ଯ୍ୟ ଠପ୍‌ ହୋଇଯାଇଛି। ଏହି ସବୁ କାର୍ଯ୍ୟ ନେଇ କଚେରିରେ ପହଞ୍ଚିଥିବା ଲୋକମାନେ ହତାଶ ହୋଇଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଷ୍ଟାମ୍ପ ଭେଣ୍ଡରମାନେ ଧାରଣା ଦେବାକୁ ନିଷ୍ପତ୍ତି ନେଇଥିବାରୁ କେତେଦିନ ପର୍ଯ୍ୟନ୍ତ ଏଭଳି ଅଚଳାବସ୍ଥା ଜାରି ରହିବ ତାହା ସ୍ପଷ୍ଟ ହୋଇ ପାରିନାହିଁ। ଏ ନେଇ ଓଡ଼ିଶା ଷ୍ଟାମ୍ପ ଭେଣ୍ଡର ମହାସଂଘର ସମ୍ପାଦକ ରାମକୃଷ୍ଣ ପରିଡ଼ା କହିଛନ୍ତି, ୨୦୧୫ରେ ଯେତେବେ‌ଳେ ଏହି ଇ-ଷ୍ଟାମ୍ପ ଭେଣ୍ଡିଂ ବ୍ୟବସ୍ଥା ପ୍ରଚଳିତ ହୋଇଥିଲା ସେତେବେଳେ ମହାସଂଘ ପ୍ରତିବାଦ କରିଥିଲା। ପ୍ରତିବାଦ ସତ୍ବେ ସରକାର ଏହାର ବିକ୍ରି ପାଇଁ ୨୦୧୬ରେ ଏକ ସଂସ୍ଥା ସହ ଚୁକ୍ତି ସ୍ବାକ୍ଷରିତ କରିଥିଲେ। ୨୦୧୭ରେ ସାରା ରାଜ୍ୟରେ କାର୍ଯ୍ୟବନ୍ଦ ହେବା ସହ ପ୍ରତିବାଦ ହୋଇଥିଲା। ରାଜସ୍ବ ସଚିବ ଭେଣ୍ଡରମାନଙ୍କ ସହ ଆଲେଚନା କରି ୭ ଦିନରେ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ୨୦୧୮ରେ ମହାସଂଘ ପୁଣି ସର୍କିଟ ହାଉସ୍‌ରେ ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ସହ ଆଲୋଚନା କରିଥିଲା। ଅନ୍ୟୁନ ଦୁଇଲକ୍ଷରୁ ଅଧିକ ମୂଲ୍ୟର ଇ-ଷ୍ଟାମ୍ପ ପେପର ବିକ୍ରି କରିବା ପାଇଁ ନିର୍ଦ୍ଦେଶ ଦେବାକୁ ରାଜସ୍ବ ସଚିବଙ୍କୁ ମନ୍ତ୍ରୀ ଶ୍ରୀ ମହାନ୍ତି ଏକ ସ୍ବତନ୍ତ୍ର ପତ୍ର ଜରିଆରେ ଅବଗତ କରାଇଥିଲେ। ହେଲେ ଏହି ଚିଠି କାର୍ଯ୍ୟକାରୀ ନ ହେବାରୁ ଆଜିଠାରୁ ଧାରଣା ଦେବାକୁ ମହାସଂଘ ସରକାରଙ୍କୁ ଅବଗତ କରାଇଥିଲା। ମହାସଂଘ ସଭାପତି ଅନନ୍ତ ଜେନା, ଉପସଭାପତି ନିମାଇଁ ସିଂହ, ସହ ସମ୍ପାଦକ ପ୍ରକାଶ ନାୟକ, କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାଉତରା, ବେଣୁଧର ମିଶ୍ର, ଭୁବନେଶ୍ବର ସଂଘ ସଭାପତି ବିଜୟ ପଣ୍ଡା ପ୍ରମୁଖ ଧାରଣାରେ ସାମିଲ ହୋଇଛନ୍ତି। ନନ୍‌ଜୁଡିସିଆଲ ଷ୍ଟାମ୍ପ ପେପର ବିକ୍ରି ପାଇଁ ଭେଣ୍ଡରଙ୍କୁ ଦିଆଯାଇଥିବା ସୀମା ପରିସରରେ ଇ-ଷ୍ଟାମ୍ପ ପେପର ବିକ୍ରି ନ କରିବାକୁ ଆଦେଶ ଦେବା, କୋର୍ଟ ଫି କମିସନ ବୃଦ୍ଧି, ପ୍ରତ୍ୟେକ ଷ୍ଟାମ୍ପ ଭେଣ୍ଡରଙ୍କୁ ପରିଚୟ ପତ୍ର ପ୍ରଦାନ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର