୧୮ରୁ ଷ୍ଟାମ୍ପ ଭେଣ୍ଡରଙ୍କ ଆନ୍ଦୋଳନ

ପୁରୁଣା ଭୁବନେଶ୍ୱର: ୪ ଦଫା ଦାବିରେ ଆସନ୍ତା ୧୮ ତାରିଖରୁ ଓଡ଼ିଶା ଷ୍ଟାମ୍ପ ଭେଣ୍ଡର୍‌ ମହାସଂଘ ଆନ୍ଦୋଳନ କରିବ। ରାଜ୍ୟରେ ଥିବା ପାଖାପାଖି ୫ ହଜାର ଷ୍ଟାମ୍ପ ଭେଣ୍ଡର୍‌ ଷ୍ଟାମ୍ପ ବିକ୍ରି ବନ୍ଦ କରିବା ସହ ସବୁ ତହସିଲ ଓ ସବ୍‌ରେଜିଷ୍ଟ୍ରାର୍‌ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିବେ। ମହାସଂଘର ରାଜ୍ୟ ସମ୍ମିଳନୀରେ ଆଜି ଗଣମାଧ୍ୟମକୁ ଏପରି ସୂଚନା ଦିଆଯାଇଛି। ମହାସଂଘର ଅଭିଯୋଗ ହେଲା, ନନ୍‌ ଜୁଡିସିଆଲ ଷ୍ଟାମ୍ପ କ୍ରୟ/ବିକ୍ରୟ ପାଇଁ ଷ୍ଟାମ୍ପ ଭେଣ୍ଡର୍‌ଙ୍କୁ କ୍ଷମତା ଦିଆଯାଇଥିଲା। ଷ୍ଟାମ୍ପ ଭେଣ୍ଡର୍‌ଙ୍କୁ ସର୍ବାଧିକ ୫ଲକ୍ଷ ଟଙ୍କାର ପେପର କିଣାବିକା ପାଇଁ ସ୍ୱୀକୃତି ରହିଥିଲା। ଅପରପକ୍ଷେ ୨ ଲକ୍ଷ ଟଙ୍କାରୁ ଊର୍ଧ୍ବ ମୂଲ୍ୟର ଷ୍ଟାମ୍ପ କିଣାବିକାରେ ‘ଇ-ଷ୍ଟାମ୍ପ’ ବ୍ୟବହାର ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ରାଜସ୍ୱ ମନ୍ତ୍ରୀ ଲିଖିତ ପରାମର୍ଶ ଦେଇଥିଲେ। କିନ୍ତୁ ଇ-ଷ୍ଟାମ୍ପ ବିକ୍ରେତା ଯେକୌଣସି ମୂଲ୍ୟର ‘ଇ ଷ୍ଟାମ୍ପ’ ବିକ୍ରି କରିବା ଫଳରେ ୫ ହଜାର ଷ୍ଟାମ୍ପ ପେପର୍‌ ବିକ୍ରେତାଙ୍କ ବ୍ୟବସାୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଛି। ସେମାନେ କ୍ଷତି ସହୁଛନ୍ତି। ତେଣୁ ଏହି ବେଆଇନ କାର୍ଯ୍ୟ ବନ୍ଦ କରିବା, କୋର୍ଟ ଫି’ ଉପରେ କମିସନ୍‌କୁ ଶତକଡ଼ା ୧୦ ପ୍ରତିଶତ ବୃଦ୍ଧି କରିବା, ପ୍ରତ୍ୟେକ ଷ୍ଟାମ୍ପ ଭେଣ୍ଡର୍‌ଙ୍କୁ ପରିଚୟପତ୍ର ପ୍ରଦାନ ପାଇଁ ମହାସଂଘକୁ କ୍ଷମତା ପ୍ରଦାନ ପାଇଁ ସରକାରଙ୍କ ପାଖରେ ଦାବି କରାଯାଇଛି। ଦାବି ପୂରଣ ନ ହେଲେ, ଷ୍ଟାମ୍ପ ବିକ୍ରି ବନ୍ଦ କରାଯିବା ସହ ଆନ୍ଦୋଳନ କରାଯିବ ବୋଲି ମହାସଂଘ ଚେତାବନୀ ଦେଇଛି। ଏହି ସମ୍ମିଳନୀରେ ମହାସଂଘର ସଭାପତି ଅନନ୍ତ ପ୍ରସାଦ ଜେନା, ସାଧାରଣ ସଂପାଦକ ରାମକୃଷ୍ଣ ପରିଡ଼ା, ଯୁଗ୍ମ ସମ୍ପାଦକ ବେଣୁଧର ମିଶ୍ର, ଉପଦେଷ୍ଟା ନିରଞ୍ଜନ ନନ୍ଦୀ, ଭୁବନେଶ୍ୱର ଶାଖା ସଭାପତି ବିଜୟ କୁମାର ପଣ୍ଡା, ସମ୍ପାଦକ ନନ୍ଦ କିଶୋର ସାହୁ, ବିନୋଦ କୁମାର ରାଉତଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର