ଦ୍ବିତୀୟ ଦିନରେ ଷ୍ଟାମ୍ପ ଭେଣ୍ଡର୍‌ଙ୍କ ଆନ୍ଦୋଳନ

ଆଜି ମୁଖ୍ୟମନ୍ତ୍ରୀଙ୍କୁ ଦେ‌େବ ଦାବିପତ୍ର

ଭୁବନେଶ୍ୱର: ଇ-ଷ୍ଟାମ୍ପ ବିକ୍ରି ପାଇଁ ମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପାଳନ ଦାବିରେ ସୋମବାରଠାରୁ ଆରମ୍ଭ ହୋଇଥିବା ଷ୍ଟାମ୍ପ ଭେଣ୍ଡର୍‌ ମହାସଂଘର ଧାରଣା ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି। ଦାବି ପୂରଣ ପାଇଁ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନଥିବାରୁ ମହାସଂଘ କ୍ଷୋଭ ପ୍ରକାଶ କରିଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଅପରପକ୍ଷେ ଆସନ୍ତାକାଲି ଶତାଧିକ ଷ୍ଟାମ୍ପ ଭେଣ୍ଡର୍‌ ଏକ ଶୋଭାଯାତ୍ରାରେ ଯାଇ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବେ ବୋଲି ମହାସଂଘର ସମ୍ପାଦକ ରାମକୃଷ୍ଣ ପରିଡ଼ା ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଭାବେ ଅବଗତ କରାଇବା ପରେ ଯଦି କାର୍ଯ୍ୟାନୁଷ୍ଠାନ ନିଆ ନଯାଏ, ମହାସଂଘ ପରବର୍ତ୍ତୀ କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ନେବ। ଦାବି ପୂରଣ ନ ହେବା ଯାଏଁ କୌଣସି ପ୍ରକାରର ଷ୍ଟାମ୍ପ ‌ପେ‌ପର୍‌ ବିକ୍ରି ହେବ ନାହିଁ ବୋଲି ଶ୍ରୀ ପରିଡ଼ା ସ୍ପଷ୍ଟ କରିଛନ୍ତି।

ଅନ୍ୟପକ୍ଷରେ ଭେଣ୍ଡର୍‌ମାନଙ୍କ ଧାରଣା ଯୋଗୁଁ ଗତକାଲିଠାରୁ ଦୁଇଦିନ ଧରି ‌କୌଣସି ପ୍ରକାରର ଷ୍ଟାମ୍ପ ପେପର୍‌ ବିକ୍ରି ହୋଇ ପାରିନାହିଁ। ଫଳରେ ଶତାଧିକ ଲୋକ ଆଫିଡାଭିଟ୍‌, ପଞ୍ଜୀକରଣ, ଚୁକ୍ତିନାମା ଭଳି କାର୍ଯ୍ୟ କରିପାରୁନାହାନ୍ତି। ଷ୍ଟାମ୍ପ ପେପରକୁ ନେଇ ସମସ୍ତ କୋର୍ଟ ସହ ବ୍ଲକ, ତହସିଲ, ସବ୍‌ରେଜିଷ୍ଟ୍ରାର, ସବ୍‌କଲେକ୍ଟର କାର୍ଯ୍ୟାଳୟରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ବିଭିନ୍ନ ସରକାରୀ ଦଲିଲରେ ବ୍ୟବହାର ହେଉଥିବା ଷ୍ଟାମ୍ପ ପେପର୍‌ ଏବେ ଡିଜିଟାଲାଇଜ୍‌ଡ ହୋଇଛି। ଏକ ନିର୍ଦ୍ଦିଷ୍ଟ ସଂସ୍ଥା(ଷ୍ଟକ୍‌ ହୋଲ୍ଡିଂ କର୍ପୋରେସନ) ସରକାରଙ୍କଠାରୁ ସ୍ବୀକୃତି ନେଇ ଏହି ଡିଜିଟାଲ ପେପର୍‌ ବିକ୍ରି କରୁଛି। ଷ୍ଟାମ୍ପ ଭେଣ୍ଡର୍‌ଙ୍କୁ ସର୍ବାଧିକ ୫ଲକ୍ଷ ଟଙ୍କାର ପେପର୍‌ ବ୍ୟବହାର ପାଇଁ ସ୍ବୀକୃତି ରହିଥିବା ବେଳେ ଏହି ସଂସ୍ଥାକୁ ଅତି କମ୍‌ରେ ୨ଲକ୍ଷରୁ ଊର୍ଦ୍ଧ୍ବ ମୂଲ୍ୟର ଷ୍ଟାମ୍ପ ପେପର୍‌ ବ୍ୟବହାର ପାଇଁ ଓଡ଼ିଶା ଷ୍ଟାମ୍ପ ଭେଣ୍ଡର୍‌ ମହାସଂଘ ରାଜସ୍ବ ମନ୍ତ୍ରୀଙ୍କଠାରୁ ପ୍ରତିଶ୍ରୁତି ପାଇଛି। କିନ୍ତୁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇ ନାହିଁ। ସମ୍ପୃକ୍ତ ସଂସ୍ଥା ଯେକୌଣସି ମୂଲ୍ୟର ଷ୍ଟାମ୍ପ ପେପର ବିକ୍ରି କରୁଛି। ଏହାକୁ ବିରୋଧ କରି ଓଡ଼ିଶା ଷ୍ଟାମ୍ପ ଭେଣ୍ଡର୍‌ ମହାସଂଘ ବିକ୍ରି ବନ୍ଦ କରି ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି। ଏଥିରେ ରାଜ୍ୟର ୪ ହଜାର ଷ୍ଟାମ୍ପ ଭେଣ୍ଡର୍‌ ସାମିଲ ହୋଇଛନ୍ତି। ମହାସଂଘ ସଭାପତି ଅନନ୍ତ ଜେନା, ସମ୍ପାଦକ ରାମକୃଷ୍ଣ ପରିଡ଼ା ଆନ୍ଦୋଳନର ନେତୃତ୍ବ ନେଉଛନ୍ତି। ନନ୍‌ଜୁଡିସିଆଲ ଷ୍ଟାମ୍ପ ପେପର୍‌ ବିକ୍ରି ପାଇଁ ଭେଣ୍ଡର୍‌ଙ୍କୁ ଦିଆଯାଇଥିବା ସୀମା ପରିସରରେ ଇ-ଷ୍ଟାମ୍ପ ପେପର ବିକ୍ରି ନ କରିବାକୁ ଆଦେଶ ଦେବା, କୋର୍ଟ ଫି’ କମିସନ ବୃଦ୍ଧି, ପ୍ରତ୍ୟେକ ଷ୍ଟାମ୍ପ ଭେଣ୍ଡର୍‌ଙ୍କୁ ପରିଚୟପତ୍ର ପ୍ରଦାନ ପ୍ରଭୃତି ଦାବି ମୁଖ୍ୟ ରହିଛି।

ସମ୍ବନ୍ଧିତ ଖବର