ଇ-ଭୁବନେଶ୍ୱର ଅଭିଯାନ ଆରମ୍ଭ

ଭୁବନେଶ୍ୱର: ଇ-ବର୍ଜ୍ୟବସ୍ତୁର ସଠିକ ପରିଚାଳନା ଲାଗି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆରମ୍ଭ ହୋଇଛି ଇ-ଭୁବନେଶ୍ୱର ପ୍ରକଳ୍ପ। ସହରରେ ଦିନକୁ ଦିନ ବଢ଼ି ଚାଲିଥିବା ଇ-ୱେଷ୍ଟ୍‌କୁ ସଂଗ୍ରହ କରି ନିରାପଦ ଭାବେ ପୃଥକ କରିବା ଓ ଆବଶ୍ୟକ ପଡ଼ିଲେ ଇ-ୱେଷ୍ଟ୍‌ଗୁଡ଼ିକର ରିସାଇକଲ୍‌ କରିବା ଏହି ପ୍ରକଳ୍ପରେ ଯୋଜନା ହୋଇଛି। ଏହି ପ୍ରକଳ୍ପର କାର୍ଯ୍ୟକାରିତା ନେଇ ଆଜିଠାରୁ ଆନୁଷ୍ଠାନିକ ଭାବେ ଏକ ସ୍ୱତନ୍ତ୍ର ୱେବ୍‌ସାଇଟ୍‌ ମଧ୍ୟ ଆରମ୍ଭ କରାଯାଇଛି। ସହରର ବିଭିନ୍ନ ସଂସ୍ଥା, ବ୍ୟକ୍ତିଙ୍କଠାରୁ ଅଚଳ ହୋଇଥିବା ଇ-ବର୍ଜ୍ୟ(କମ୍ପ୍ୟୁଟର, କି-ବୋର୍ଡ, ମାଉସ୍‌, ଅଚଳ ମୋବାଇଲ୍‌ ପରି ସାମଗ୍ରୀ) ସଂଗ୍ରହ ଲାଗି ଏକ ମାଗଣା ଫୋନ୍‌ ନମ୍ବର ଜାରି ହୋଇଛି।

ଏନେଇ ଇନ୍‌ଫୋସିସ୍‌ କ୍ୟାମ୍ପସ୍‌ରେ ଆଜି ହିତାଧିକାରୀଙ୍କ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି। ଏଥିରେ ଇ-ୱେଷ୍ଟ୍‌ ପରିଚାଳନା ସଂକ୍ରାନ୍ତରେ ବିଶେଷଜ୍ଞମାନେ ହିତାଧିକାରୀଙ୍କୁ ଅବଗତ କରାଯାଇଛନ୍ତି। ଇଣ୍ଟରନ୍ୟାସ୍‌ନାଲ୍‌ ଫାଇନାନସ୍‌ କର୍ପୋରେସନ୍‌ ଓ ୟୁରୋପୀୟ ସଂଘର ମିଳିତ ପ୍ରୟାସରେ ଇକୋ ସହର ପ୍ରକଳ୍ପ ଭାରତର ବିଭିନ୍ନ ସହରରେ କାର୍ଯ୍ୟକାରୀ ହୋଇଥିବା ବେଳେ ଇ-ବର୍ଜ୍ୟବସ୍ତୁ ପରିଚାଳନା ଅଭିଯାନ ତାହାର ଏକ ଅଂଶ ଭାବେ ଗ୍ରହଣ କରାଯାଇଛି। ଇ-ଭୁବନେଶ୍ୱର ପ୍ରକଳ୍ପରେ ଲୋକଙ୍କୁ ସଚେତନ କରିବା ପାଇଁ ପଦକ୍ଷେପମାନ ହାତକୁ ନେବାକୁ ସ୍ଥିର ହୋଇଛି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ଇ-ୱେଷ୍ଟ ସଂଗ୍ରହ କରିବା ପାଇଁ ଆବଶ୍ୟକ ସଂଖ୍ୟକ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବିଏମ୍‌ସିର ସହଯୋଗୀ ସଂସ୍ଥା ସିଦ୍ଧ ଡେଭ୍‌ଲପମେଣ୍ଟ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ସ୍କୁଲ, କଲେଜ, ଇଂଞ୍ଜିନିୟରିଂ ଶିକ୍ଷାନୁଷ୍ଠାନଙ୍କ ସମେତ ଆଇଟି ସଂସ୍ଥାଗୁଡ଼ିକ ସହ ଏହାର ସଠିକ ପରିଚାଳନା ନେଇ ଖୁବ୍‌ଶୀଘ୍ର ଆଲୋଚନା କରାଯିବ। ଏବେ ପ୍ରତିବର୍ଷ ରାଜଧାନୀରୁ ୨୭ ଶହ ଟନ୍‌ ଇ-ୱେଷ୍ଟ୍‌ ବାହାରୁଛି। ଗତ କିଛି ବର୍ଷ ହେଲା ଏହା ବାର୍ଷିକ ୩୦ ପ୍ରତିଶତ ହାରରେ ବୃଦ୍ଧି ପାଉଥିବାରୁ ସମ୍ବେଦନଶୀଳ ପରିସ୍ଥିତି ସୃଷ୍ଟି କରିଛି।

ଜାରି ହେଲା ଟୋଲ୍‌ ଫ୍ରି ନମ୍ବର, ୱେବ୍‌ସାଇଟ୍‌
ବାର୍ଷିକ ୨୭ ଶହ ଟନ୍‌ ଇ-ବର୍ଜ୍ୟର ହେବ ପରିଚାଳନା

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସୂଚନା ଅନୁଯାୟୀ କେତେକ ଇ-ୱେଷ୍ଟରେ ଟକ୍ସିକ୍‌ ଓ ଅନ୍ୟାନ୍ୟ କ୍ଷତିକାରକ ପଦାର୍ଥ ରହଛ, ଯାହାକି ପ୍ରଜନନ କ୍ଷମତା ହ୍ରାସ, ଚର୍ମ ସଂକ୍ରମଣ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରେ। ତାହାକୁ ଦୃଷ୍ଟିରେ ରଖି ଏଭଳି ପଦାର୍ଥକୁ ବୈଜ୍ଞାନିକ ପଦ୍ଧତିରେ ପୃଥକୀକରଣ କରିବାର ଆବଶ୍ୟକତା ରହିଛି। ଇ-ଭୁବନେଶ୍ୱର ପ୍ରକଳ୍ପରେ ସହଯୋଗୀ ସଂସ୍ଥା ସିଦ୍ଧ ଡେଭ୍‌ଲପ୍‌ମେଂଟ୍‌ ରିସର୍ଚ୍ଚ ସଂସ୍ଥା ପକ୍ଷରୁ ବର୍ଜ୍ୟଗୁଡ଼ିକୁ ସଂଗ୍ରହ କରି ଏହାର ପୃଥକୀକରଣ କାର୍ଯ୍ୟ କରାଯିବ। ବର୍ଜ୍ୟଗୁଡ଼ିକ ଆବର୍ଜନା ଭାବେ କେବଳ ବିଚାର ନ କରି ଏହାର ବ୍ୟବହାରିକ ମୂଲ୍ୟ ଆଦାୟ କରିବାକୁ ପ୍ରକଳ୍ପରେ ଯୋଜନା ରହିଛି। ଏଥିପାଇଁ ରିସାଇକଲ୍‌ ପଦ୍ଧତି ଅନୁସରଣ କରାଯିବ।

ଭୁବନେଶ୍ୱରରେ ୬ଟି ସଂଗ୍ରହ କେନ୍ଦ୍ର ଓ ୨ଟି ପୃଥକୀକରଣ କେନ୍ଦ୍ର ରହିଛି। ଇ-ଭୁବନେଶ୍ୱର ପ୍ରକଳ୍ପ ଜରିଆରେ ଭୁବନେଶ୍ୱରକୁ ଏକ ନିରାପଦ ଏବଂ ଦାୟିତ୍ୱ ସମ୍ପର୍ଣ୍ଣ ସହରରେ ପରିଣତ କରାଯିବ ବୋଲି ବିଏମ୍‌ସି ଡେପୁଟି କମିଶନର ଶୁଭ୍ରାଂଶୁ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର