ଆରମ୍ଭ ହେଲା କଳିଙ୍ଗ ପୁସ୍ତକ ମେଳା, ‘ଶିଶୁଙ୍କ ପାଇଁ ପ୍ରେରଣୀୟ ପୁସ୍ତକ ପ୍ରସ୍ତୁତ ହେବା ଆବଶ୍ୟକ’

ଭୁବନେଶ୍ବର: ମା’ ଗର୍ଭରେ ଶିଶୁଟିଏ ଥିବା ବେଳେ ଧ୍ୟାନମୁଦ୍ରାରେ ଥାଏ। ନିଜର ପ୍ରତିଟି କାର୍ଯ୍ୟ ଧ୍ୟାନର ସହ କରେ। ତେଣୁ ଶିଶୁଟିଏ ଯେତେବେଳେ ଭୂମିଷ୍ଠ ହୁଏ, ଆମେ ତାକୁ ବିଶ୍ବାସ ଦେବା ଜରୁରୀ ଯେ, ସେମାନେ ହେଉଛନ୍ତି ଗୋଟିଏ ଗୋଟିଏ ପ୍ରକାଶପୁଞ୍ଜ। ସେମାନଙ୍କ ମଧ୍ୟରେ ଜଣେ ଜଣେ ମହାମାନବ ଲୁଚି ରହିଛନ୍ତି। ଯଦି ଭଗବାନଙ୍କର କିଛି ପରିଧାନ/ଉତ୍ତରୀୟ ଅଛି ବୋଲି ଆମେ ଭାବୁଛେ, ତେବେ ତାହା ହେଉଛି ପ୍ରକୃତି। ତେଣୁ ଶିଶୁଟିକୁ ପ୍ରକୃତି ସହ ସଂଶ୍ଳିଷ୍ଟ କରାଇବା ଉଚିତ। ପ୍ରେରଣୀୟ ପୁସ୍ତକ ଆଦି ଜରିଆରେ ଶିଶୁଙ୍କୁ ଜୀବନ ସହ ପରିଚିତ କରାଇବା ଉଚିତ। ପଞ୍ଚତନ୍ତ୍ରର ରାଜାରାଣୀ କାହାଣୀ ହେଉକି ପଶୁ ପକ୍ଷୀଙ୍କ ଗାଥା ଜରିଆରେ ଆମେ ଯେପରି ବହୁ କଥା ଶିଖିଛୁ, ପିଲାମାନଙ୍କ ପାଇଁ ସେହିଭଳି ପୁସ୍ତକ ପ୍ରସ୍ତୁତ କରାଯିବା ଆବଶ୍ୟକ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ଆଜି ପ୍ରଦର୍ଶନୀ ପଡ଼ିଆଠାରେ ‘୨୧ତମ କଳିଙ୍ଗ ପୁସ୍ତକ ମେଳା’ର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଥିଲେ।

ରାଜ୍ୟପାଳ ଆହୁରି କହିଛନ୍ତି, ଛୋଟ ଛୋଟ ସକାରାତ୍ମକ କାହାଣୀ ଶୁଣାଇ ଆମେ ଶିଶୁମାନଙ୍କ ମନରୁ ରାଗ, ଦ୍ବେଷ ଓ ଈର୍ଷା ଆଦି ଧଂସକାରୀ ପ୍ରବୃତ୍ତିକୁ ବାଦ୍‌ ଦେଇ ଶାନ୍ତ ସ୍ବଭାବ ଗଢ଼ି ତୋଳିପାରିବା। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଲେ, ଯେତେବେଳେ ରାଜ୍ୟ/ଦେଶରେ ବିଦ୍ୟାର୍ଥୀମାନଙ୍କ ପାଇଁ ନିଜ ପାଠ୍ୟପୁସ୍ତକ ପଢ଼ିବା ସମ୍ଭବ ହେଉନି, ସେହି ସମୟରେ ସେମାନେ ଅନ୍ୟ ପୁସ୍ତକ କେତେ ପଢ଼ିବେ ସେ ନେଇ ଚିନ୍ତା କରିବା ସମୟ ଆସିଛି। ପ୍ରତ୍ୟେକ ପୁସ୍ତକ ମଣିଷକୁ ଶକ୍ତିଶାଳୀ କରିଥାଏ। ତେଣୁ ପୁସ୍ତକ ମେଳା ଭଳି କାର୍ଯ୍ୟକ୍ରମ ଅନେକଙ୍କୁ ଉପକୃତ କରିବ ବୋଲି ସେ କହିଛନ୍ତି। ପଦ୍ମବିଭୂଷଣ ରମାକାନ୍ତ ରଥ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ କହିଲେ, ବହିଟିଏ ପଢ଼ିବା ବେଳେ ମଣିଷ ତା’ ଭିତରୁ ନିଜେ ନିଜକୁ ଆବିଷ୍କାର କରେ। ନିଜ ସହ ପରିଚିତ ହେବା ପାଇଁ ବହିଟିଏ ନିହାତି ଜରୁରୀ। ସାମ୍ବାଦିକ ସନତ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ପୁସ୍ତକ ମେଳା କିମିଟିର ସଂପାଦିକା ‌ରେଣୁକା ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ। କଳିଙ୍ଗ ପୁସ୍ତକ ମେଳା କମିଟି ପକ୍ଷରୁ ଏକ ଶିଶୁ ପାଠାଗାର ନିର୍ମାଣ ଦିଗରେ ଶ୍ରୀମତୀ ମିଶ୍ର ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ। ଏହି ଅବସରରେ ତାଙ୍କର ଏକ ପୁସ୍ତକ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ଜ୍ୟୋତ୍ସ୍ନା ମହାପାତ୍ର ଧନ୍ୟବାଦ ଜଣାଇଥିଲେ। ଚଳିତ ପୁସ୍ତକ ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ୨୦୦ଟି ଷ୍ଟଲ୍‌ ପଡ଼ିଛି। ନଭେମ୍ବର ୧୮ ତାରିଖ ଯାଏଁ ଏହା ଚାଲିବ।

ସମ୍ବନ୍ଧିତ ଖବର