ଆରମ୍ଭ ହେଲା ବହୁଭାଷୀ କଳିଙ୍ଗ ନାଟ୍ୟ ମହୋତ୍ସବ: ମଞ୍ଚରେ ଦଶାବତାର

ଭୁବନେଶ୍ବର: ଯେବେ ଅନ୍ୟାୟ, ଅଧର୍ମ, ବ୍ୟଭିଚାର ବଢ଼ିଯାଏ ସେବେ ସୃଷ୍ଟିର ପାଳନକର୍ତା ଅବତରି ଆସନ୍ତି। କେବେ ନର ରୂପରେ ତ କେବେ ସନ୍ଥ, ପୁଣି କେବେ ଜୀବ ରୂପରେ। ଯୁଗେଯୁଗେ ପାଳନକର୍ତାଙ୍କୁ ଏମିତି ଭିନ୍ନଭିନ୍ନ ରୂପରେ ଆବିର୍ଭାବ ହୋଇ ଅବତାର ନେବାକୁ ପଡ଼ିଛି। ଶାସ୍ତ୍ରାଧାରିତ ଏହି ଅବତାର ପୁରୁଷଙ୍କ ବର୍ଣ୍ଣନାର ନାଟ୍ୟରୂପ ଦେଖିବାକୁ ମିଳିଥିଲା ରବୀନ୍ଦ୍ର ମଣ୍ଡପରେ। ନାଟ୍ୟାନୁଷ୍ଠାନ ‘ଶତାବ୍ଦୀର କଳାକାର’ ପକ୍ଷରୁ ଆଜିଠୁ ଆରମ୍ଭ ‌ହୋଇଥିବା ବହୁଭାଷୀ କଳିଙ୍ଗ ନାଟ୍ୟ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା ନାଟକ ‘ଦଶାବତାର’। ଶଙ୍କର ତ୍ରିପାଠୀ ନାଟ୍ୟ ରଚନା କରିଥିବା ବେଳେ ନିର୍ଦେଶନା ଦେଇଥିଲେ ଧୀରେନ୍ଦ୍ରନାଥ ମଲ୍ଲିକ। ଲୋକଶୈଳୀରେ ପରିବେଷିତ ନାଟକ ସୂଚେଇ ଦେଇଥିଲା ଯେ, ଆଜି ବି ପ୍ରଭୁ ସେଇଭଳି ଅବତରି ଆସିବାର ଆବଶ୍ୟକତା ରହିଛି। ମଂଚସ୍ଥ ନାଟକରେ ‘ଶତାବ୍ଦୀର କଳାକାର’ ଅନୁଷ୍ଠାନର ଆଲୋକ, ଶୁଭାଶିଷ, ବିଧାଂଶୁ, ରୋସନ, ପ୍ରକାଶ, ଅର୍‌ମାନ, ଅଶୋକ, ସମୀର, ସତ୍ୟ, ସୌମ୍ୟ, ଶୁଭମ୍‌, ବିଶ୍ବଜିତ, ମାନସ, ଦୀପକ, ଅନିଲ, ରାକେଶ, ସ୍ନେହରଂଜନ, ଉତ୍କଳ, କଳ୍ପନା, ପ୍ରିୟଙ୍କା, ମନୋଜ ପ୍ରମୁଖ ଅଭିନୟ କରିଥିଲେ। ପ୍ରତାପ ସଂଗୀତ ନିର୍ଦେଶନା ଏବଂ ସଂଗ୍ରାମ ଓ ନୃସିଂହ ମଂଚ ସଜା କରିଥିଲେ। ଏହି ଅବସରରେ ବର୍ଷୀୟାନ ମଞ୍ଚ ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ମିଶ୍ରଙ୍କୁ ୨୦ ହଜାର ଟଙ୍କାର ଅର୍ଥରାଶି ସହ ‘ସୁମିତ୍ରା ସମ୍ମାନ’ ପ୍ରଦାନ କରାଯାଇଥିଲା। ଏଥିସହ ଅଭିନେତା ତଥା ନିର୍ଦେଶକ ଦେବାନନ୍ଦ ନାୟକ, ସାମ୍ବାଦିକ ଅଶୋକ ପାଲିତ୍, ରଶ୍ମୀରଂଜନ ସ୍ବାଇଁ, ଫଟୋ ସାମ୍ବାଦିକ ଦୀପକ ମହାପାତ୍ରଙ୍କୁ ସମ୍ବର୍ଧିତ କରାଯାଇଥିଲା। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏବଂ ପ୍ରାକ୍ତନ ମୁଖ୍ୟ ଶାସନସଚିବ ସହଦେବ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମ୍ମାନ ପ୍ରଦାନ କରିଥିଲେ। ନାଟ୍ୟାନୁଷ୍ଠାନର ସଭାପତି ଗୌରହରି ଦାସ ଏବଂ ସାଧାରଣ ସମ୍ପାଦକ ଧୀରେନ୍ଦ୍ରନାଥ ମଲ୍ଲିକ ଉପସ୍ଥିତ ଥିଲେ। ଆସନ୍ତାକାଲି ନାଟକ ‘ଘର’ ମଂଚସ୍ଥ ହେବ।

ସମ୍ବନ୍ଧିତ ଖବର