ମାଟ୍ରିକ୍‌ ପରୀକ୍ଷା ଉତ୍ସାହ, ଭୟ

ସକାଳ ୬ଟାରୁ ଗଲା ପ୍ରଶ୍ନପତ୍ର

ପ୍ରଥମ ଦିନର ପରୀକ୍ଷା। ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ମନରେ ଥିଲା ଭୟ। ମାତୃଭାଷାର ପ୍ରଶ୍ନ କେମିତି ଆସିବ? ସ˚କ୍ଷିପ୍ତ ପ୍ରଶ୍ନର ଉତ୍ତର କେମିତି ଲେଖିବେ? ପରୀକ୍ଷା କେନ୍ଦ୍ର ବାହାର ବିଦ୍ୟାଳୟରେ ହୋଇଥିବାରୁ ଯାଞ୍ଚ କିଭଳି ହେବ? ପରୀକ୍ଷାକୁ ଯିବା ପୂର୍ବରୁ ପରୀକ୍ଷାର୍ଥୀଙ୍କ ମନରେ ଉଙ୍କି ମାରିଥିଲା ଏଭଳି ଅନେକ ପ୍ରଶ୍ନ। ଟିକିଏ ଭୟ ଓ ଉତ୍ସହ ମଧ୍ୟରେ ସକାଳ ୮ଟାରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଥିଲେ ପରୀକ୍ଷାର୍ଥୀ। ମଧ୍ୟାହ୍ନ ୧୨ଟା ୩୦ରେ ବାହାରକୁ ଆସିବା ପରେ ପ୍ରଶ୍ନପତ୍ରକୁ ନେଇ ପରୀକ୍ଷାର୍ଥୀ ଖୁସି ବ୍ୟକ୍ତ କରିଥିଲେ। କେତେକ ସ୍ଥାନରେ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଥିବା ନେଇ ଖବର ଆସିଥିଲେ ମଧ୍ୟ ତାହାର ପ୍ରଭାବ ଭୁବନେଶ୍ବର ପରୀକ୍ଷାର୍ଥୀଙ୍କ ଉପରେ ପଡ଼ି ନଥିଲା। ତେବେ କିଛି ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ବାତିଲ ଭୟ ଘାରିଥିଲା।

ସକାଳ ୬ଟାରୁ ଗଲା ପ୍ରଶ୍ନପତ୍ର
୧୦ଟାରେ ପରୀକ୍ଷା ଥିବା ବେଳେ ଭୋର ୬ଟାରୁ ନୋଡାଲ ସେଣ୍ଟର୍‌ରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯାଇଥିଲା। ପୁଲିସ ସମେତ ସ୍ବତନ୍ତ୍ର ସୁରକ୍ଷା କର୍ମୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଟିମ୍‌ଗୁଡ଼ିକ ପ୍ରଶ୍ନପତ୍ର ନେଇ ଯାଇଥିଲେ। ସକାଳ ୮ଟାରୁ ପରୀକ୍ଷା କେନ୍ଦ୍ର ଆଗରେ ଲମ୍ବା ଲାଇନ୍‌ ଲାଗିଥିଲା। ୯ଟାରେ କେନ୍ଦ୍ରର ମୁଖ୍ୟ ଫାଟକ ଖୋଲିବା ପରେ ପରୀକ୍ଷାର୍ଥୀ ଭିତରକୁ ପ୍ରବେଶ କରିଥିଲେ। ଯାଞ୍ଚ ଲାଗି ସମସ୍ତ ପରୀକ୍ଷା କେନ୍ଦ୍ରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଥିଲା।

ଯାଞ୍ଚ ପାଇଁ ଜୋତା ଖୋଲା
ପ୍ରଥମ ଦିନରେ ପରୀକ୍ଷାର୍ଥୀଙ୍କ ଯାଞ୍ଚ କଡ଼ାକଡ଼ି ହୋଇଛି। ପରୀକ୍ଷାର୍ଥୀ ଯେପରି କପି ନେଇ ହଲ୍‌ ଭିତରକୁ ପ୍ରବେଶ ନ କରନ୍ତି ସେଥିପାଇଁ ସବୁ ପରୀକ୍ଷା କେନ୍ଦ୍ରରେ ୩ଟି ଲେଖାଏଁ ଟିମ୍‌ ପରୀକ୍ଷାର୍ଥୀଙ୍କୁ ଯାଞ୍ଚ କରିଥିଲେ। କେତେକ କେନ୍ଦ୍ରରେ ପରୀକ୍ଷାର୍ଥୀ ଜୋତା ପିନ୍ଧି ଆସିଥିବାରୁ ତାହାକୁ ଖୋଲାଯାଇ ଯାଞ୍ଚ କରାଯାଇଛି। ପରୀକ୍ଷା ଚାଲିଥିବା ସମୟରେ କେନ୍ଦ୍ର ପକ୍ଷରୁ ହୋଇଥିବା ସ୍ବତନ୍ତ୍ର ଟିମ୍‌ ପରୀକ୍ଷାର୍ଥୀଙ୍କୁ ପୁଣିଥରେ ଯାଞ୍ଚ କରିଥିଲେ।
୨୪ ଦିବ୍ୟାଙ୍ଗ ପରୀକ୍ଷାର୍ଥୀ
କ୍ୟାପିଟାଲ ହାଇସ୍କୁଲରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ୨୪ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ୧୪ ଜଣ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ସେମାନଙ୍କ ପାଇଁ ପରୀକ୍ଷା କେନ୍ଦ୍ର ପକ୍ଷରୁ ସହାୟକ ଯୋଗାଇ ଦିଆଯାଇଥିଲା। ପରୀକ୍ଷା ଲାଗି ସ୍ବତନ୍ତ୍ର ହଲ୍‌ କରାଯାଇଥିଲା। ସେହିପରି ୧୦ ଜଣ ବଧିର ଛାତ୍ରଛାତ୍ରୀ ବି ପରୀକ୍ଷା ଦେଇଥିବା ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟ ସୋନାମିକା ରଏ କହିଛନ୍ତି।
ପରୀକ୍ଷାର୍ଥୀଙ୍କୁ ଫୁଲ, ଚନ୍ଦନ
ପରୀକ୍ଷାକୁ ଯିବା ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଫୁଲ ଓ ଚନ୍ଦନ ଲଗାଯାଇ ଶୁଭକାମନା ଜଣାଇଥିଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ। ସଂଗଠନର ଛାତ୍ରୀମାନେ ଆଜି କ୍ୟାପିଟାଲ ହାଇସ୍କୁଲ ସମେତ ଭୁବନେଶ୍ବରର ବିଭିନ୍ନ ପରୀକ୍ଷା କେନ୍ଦ୍ର ବାହାରେ ଛିଡ଼ା ହୋଇ ପରୀକ୍ଷାର୍ଥୀଙ୍କ ମୁଣ୍ଡରେ ଚନ୍ଦନ ଲଗାଇ ଦେଇଥିଲେ।

ମାଇକ୍‌ରେ ପ୍ରଚାର
ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ସମୟରେ ପରୀକ୍ଷାର୍ଥୀ ଯେପରି ହଟହଟା ନ ହେବେ, ଅସୁବିଧାର ସମ୍ମୁଖୀନ ନହେବେ ସେଥିପାଇଁ କେତେକ ପରୀକ୍ଷା କେନ୍ଦ୍ରରେ ମାଇକ୍‌ରେ ପ୍ରଚାର କରାଯାଇଥିଲା। ପରୀକ୍ଷାର୍ଥୀ କେମିତି ପ୍ରବେଶ କରିବେ, କେଉଁଠିକୁ ଯିବେ, କେମିତି ହଲ୍‌ ପାଇବେ ସେସମ୍ପର୍କରେ କୁହାଯାଇଥିଲା। ଏଥିସହ ଏକ ନୋଟିସ୍‌ ଲଗାଯାଇଥିଲା। ଏଥିରେ କୁହାଯାଇଥିଲା ଓଡ଼ିଶା ପରୀକ୍ଷା ପରିଚାଳନା ନିୟମ ୧୯୮୮ ଅନୁଯାୟୀ ପରୀକ୍ଷାର୍ଥୀ , ଅଭିଭାବକ ଓ ସାଧାରଣ ଜନତା ଯଦି ପରୀକ୍ଷାରେ ଅସାଧୁ ଆଚରଣରେ ଲିପ୍ତ ରହିବେ, ‌ପ୍ରୋତ୍ସାହନ ଦେବାରେ ସାହଯ୍ୟ କରିବେ ସେମାନଙ୍କୁ ଆଇନ ଅନୁଯାୟୀ ୩ ମାସ ଜେଲ୍‌ ବା ତିନି ହଜାର ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବ।

ବୁଲିଲେ ଗଣଶିକ୍ଷା ମନ୍ତ୍ରୀ ଓ ସଚିବ
ପରୀକ୍ଷା ଚାଲିଥିବା ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଭୁବନେଶ୍ବରର ବିଭିନ୍ନ ପରୀକ୍ଷା କେନ୍ଦ୍ର ଅଚାନକ୍‌ ଗସ୍ତ କରିଥିଲେ। ମନ୍ତ୍ରୀ ଶ୍ରୀ ପାତ୍ର ରେଣ୍ଟାଲ ହାଇସ୍କୁଲ ସମେତ ୟୁନିଟ୍‌-୮ ବାଳିକା ବିଦ୍ୟାଳୟ ଓ ୟୁନିଟ୍‌-୬ ବାଳକ ବିଦ୍ୟାଳୟକୁ ଗସ୍ତ କରିବା ସହ ପରୀକ୍ଷା ପରିଚାଳନା ସମ୍ପର୍କରେ ପଚାରି ବୁଝିଥିଲେ। ପ୍ରାୟ ୧୫ ମିନିଟ୍‌ ପର୍ଯ୍ୟନ୍ତ ସେ କେନ୍ଦ୍ର ଭିତରେ ବୁଲିଥିଲେ। ସେହିପରି ବିଭାଗୀୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ମଧ୍ୟ ୟୁନିଟ୍‌-୮ ବାଳକ ହାଇସ୍କୁଲ ଓ ମନ୍ତ୍ରୀଙ୍କ ସହ ୟୁନିଟ୍‌-୬ ବାଳକ ବିଦ୍ୟାଳୟରେ ହୋଇଥିବା ପରୀକ୍ଷା କେନ୍ଦ୍ର ବୁଲିଥିଲେ। ।

ସିସିଟିଭି ନଜର
ଭୁବନେଶ୍ବରରେ ହୋଇଥିବା ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ନଜର ରଖିଥିଲା। ପ୍ରତିବର୍ଷ ପରି ଏଥର ମଧ୍ୟ କ୍ୟାପିଟାଲ ହାଇସ୍କୁଲରେ ପରୀକ୍ଷା ଉପରେ ସିସିଟିଭି ନଜର ରଖିଥିଲା। ଅନ୍ୟ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ବି ପରୀକ୍ଷାର ପ୍ରତିଟି ମୁହୂର୍ତକୁ ସିସିଟିଭି ମାଧ୍ୟମରେ କଏଦ କରାଯାଇଛି। ପ୍ରତି ହଲ୍‌ରେ କ୍ୟାମେରା ଲଗାଯାଇ ପରୀକ୍ଷା ପରିଚାଳନାର ତଦାରଖ ହୋଇଥିଲା। ପ୍ରବେଶ ପଥରେ ମଧ୍ୟ କ୍ୟାମେରା ଲାଗିଥିଲା। ଯେଉଁ ବ୍ୟକ୍ତିମାନେ କେନ୍ଦ୍ର ଭିତରକୁ ପ୍ରବେଶ କରୁଥିଲେ ସେମାନଙ୍କୁ ଚିହ୍ନଟ କରାଯାଉଥିଲା। ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ତଥା ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ତେଣ୍ଟଙ୍କ ତତ୍ତ୍ବାବଧାନରେ ସିସିଟିଭି ପରିଚାଳିତ ହୋଇଥିଲା।

ସମ୍ବନ୍ଧିତ ଖବର