କଦମ୍ବ ବନେ ବଂଶୀ ବାଜିଲାରେ…

ଆରମ୍ଭ ହେଲା ‘ଓଡ଼ିଶୀ ସଂଗୀତ ଓ ଲଘୁ ସଂଗୀତ ସମାରୋହ’

ଭୁବନେଶ୍ୱର: ସଂଗୀତ ଓ ସମ୍ମାନର ବିଶେଷ ପର୍ବ ‘ଓଡ଼ିଶୀ ସଂଗୀତ ଓ ଲଘୁ ସଂଗୀତ ସମାରୋହ’ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ‘ଶୃତି’ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଉତ୍ସବର ପ୍ରଥମ ସନ୍ଧ୍ୟାରେ ସମବେତ ସଂଗୀତ ଓ ମର୍ଦଳ ବାଦନ ପରିବେଷଣ କରାଯାଇଥିଲା। ଏହି ଅବସରରେ ବିଶିଷ୍ଟ ତବଲା ବାଦକ ଶରତ ଚନ୍ଦ୍ର ଧଳଙ୍କୁ ‘ପଣ୍ଡିତ ଭୁବନେଶ୍ୱର ମିଶ୍ର ସ୍ମୃତି ସମ୍ମାନ’ ଏବଂ ବିଶିଷ୍ଟ ପାଲା ଗାୟକ ସୁରେନ୍ଦ୍ରନାଥ ଛୋଟରାୟଙ୍କୁ ‘ଶୃତି ସମ୍ମାନ’ ପ୍ରଦାନ କରାଯାଇଥିଲା। ବିଶିଷ୍ଟ ବଂଶୀବାଦକ ପ୍ରଫେସର ମୋହିନୀ ମୋହନ ପଟ୍ଟନାୟକ, ରାଜସ୍ୱ ପର୍ଷଦର ପ୍ରାକ୍ତନ ସଦସ୍ୟ ଅଶୋକ ତ୍ରିପାଠୀ, ଭୁବନେଶ୍ୱର ମ୍ୟୁଜିକ୍‌ ସର୍କଲ୍‌ର ସଚିବ କ୍ଷୀରୋଦ ପଟ୍ଟନାୟକ, ମ୍ୟୁଜିକ୍‌ ସର୍କଲ୍‌ର ପ୍ରାକ୍ତନ ସଚିବ ମହେନ୍ଦ୍ର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।
ସମବେତ ଓଡ଼ିଶୀ ସଂଗୀତ ଗାନ କରିଥିଲେ ମନୋଜ, ବିଶ୍ୱଜିତ, ଗୋପାଳ, ରଂଜନ, ମହିମା, ସ୍ମାଇଲ୍‌, ଅଞ୍ଜନି ଓ ଶ୍ରଦ୍ଧାଞ୍ଜଳି। ଆଜ ବ୍ରଜରାଜପୁରେ…ପାରମ୍ପରିକ ସଂଗୀତ ସାଙ୍ଗକୁ ମୋହନ କଲ୍ୟାଣ ରାଗରେ ବୃନ୍ଦ ଗାୟନ ଶୁଣିବାକୁ ମିଳିଥିଲା। ସଂଗୀତ ନିର୍ଦେଶନା ଦେଇଥିଲେ ଗୁରୁ ଡ.ବିଜୟ କୁମାର ଜେନା। ପରେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ଓଡ଼ିଶୀ କଣ୍ଠ ସଂଗୀତ ବିଭାଗର ସହକାରୀ ଅଧ୍ୟାପକ ମୁରଲୀଧର ସ୍ୱାଇଁ ଏକକ ମର୍ଦଳ ବାଦନ କରିଥିଲେ। ପରେ ଗୁରୁ ରାମହରି ଦାସ ଏବଂ ଗୁରୁ ବିଜୟ କୁମାର ଜେନା ରାଗ କୁମଞ୍ଚ ଏବଂ ‘କଦମ୍ବ ବନେ ବଂଶୀ ବାଜିଲାରେ..ଗୀତ ପରିବେଷଣ କରିଥିଲେ। ଅନୁଷ୍ଠାନର ସମ୍ପାଦିକା ହରପ୍ରିୟା ସ୍ୱାଇଁ ଉପସ୍ଥିତ ଥିବା ବେଳେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଡ.ସଚ୍ଚିକାନ୍ତ ନାୟକ।

ସମ୍ବନ୍ଧିତ ଖବର