ଆରମ୍ଭ ହେଲା ଓଭରବ୍ରିଜ୍‌ କାମ

ଖଣ୍ଡଗିରି ପାଇଁ ଖୁସି ଖବର

ଖଣ୍ଡଗିରି: ଖଣ୍ଡଗିରି ପାଇଁ ଖୁସି ଖବର। ବହୁ ପ୍ରତୀକ୍ଷିତ ଓଭରବ୍ରିଜ୍‌ କାମର ଶୁଭାରମ୍ଭ ହୋଇଛି। ଆର୍‌କେଡି କନ୍‌ଷ୍ଟ୍ରକ୍‌ସନ ସଂସ୍ଥା ଏହି ନିର୍ମାଣ କାମର ଠିକା ନେଇ ପ୍ରାଥମିକ ପର୍ଯ୍ୟାୟରେ ସଏଲ୍‌ ଟେଷ୍ଟ୍‍ କରିଛି। ତେଣୁ ଓଭରବ୍ରିଜ୍‌ ନିର୍ମାଣକୁ ନେଇ ବିଳମ୍ବ ଘଟୁଥିବାରୁ ଲୋକଙ୍କ ଭିତରେ ଯେଉଁ ଆଶଙ୍କା ଦେଖାଯାଇଥିଲା, ତାହା ଦୂର ହୋଇଛି ଓ ସ୍ଥାନୀୟ ଲୋକଙ୍କ ଭିତରେ ଆଶ୍ୱସ୍ତି ସୃଷ୍ଟି ହୋଇଛି।

ସୂଚନାନୁସାରେ ଏହି ବ୍ରିଜ୍‌ର ଲମ୍ବା ୧୪ ଶହ ମିଟର। ଖଣ୍ଡଗିରି ଟ୍ରାଫିକ୍‌ ପୋଷ୍ଟରୁ ବରମୁଣ୍ଡା ଆଡ଼କୁ ୪ ଶହ ମିଟର ଓ ଆଇଗିଣିଆ ଆଡ଼କୁ ଏକ କିଲୋମିଟର ଦୈର୍ଘ୍ୟ। ଆର୍‌କେଡି ନିର୍ମାଣ ସଂସ୍ଥା ଏହି କାମକୁ ଯଥାସମ୍ଭବ ଶୀଘ୍ର ସାରିବାକୁ ଯୋଜନା ରଖିଛି ବୋଲି ସୂଚନା ମିଳିଛି। ସଏଲ୍‌ ଟେଷ୍ଟ ସରିଛି ଓ ଖୁବ୍‌ ଶୀଘ୍ର ବ୍ରିଜ୍‌ର ଡିଜାଇନ୍‌ ଅନୁସାରେ କାମ ଆରମ୍ଭ କରାଯିବ। ୧୬ ନମ୍ବର ଜାତୀୟ ରାଜପଥର ଡିଭାଇଡର୍‌ଠାରୁ ଉଭୟ ପାର୍ଶ୍ୱକୁ ୨ ମିଟର ଲେଖାଏଁ ବନ୍ଦ କରାଯିବ ଓ ରାଜପଥ କଡ଼ରେ ସର୍ଭିସ୍‌ ରୋଡ୍‌ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିବା ସୂଚନା ମିଳିଛି। ସର୍ଭିସ୍‌ ରୋଡ୍‌ ପାଇଁ ଯଦି କେଉଁଠାରେ ଜବରଦଖଲ ଅଛି, ତାହାକୁ ତୁରନ୍ତ ଖାଲି କରିବା ପାଇଁ ଚିଠିି କରାଯାଇଛି। ନିର୍ମାଣ କାମ ସମୟରେ ଜବରଦଖଲ ଉଚ୍ଛେଦ ଭଳି ଆବଶ୍ୟକ କାମରେ ସହଯୋଗ କରିବାକୁ ଖଣ୍ଡଗିରି ଥାନା ପୁଲିସକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର