ଆଜିଠୁ ଗଡ଼ିବ ପରୀ ରଥ: ଉନ୍ମୋଚିତ ହେଲା ଲୋଗୋ

ଭୁବନେଶ୍ୱର: ଆଜିଠାରୁ ସାରା ରାଜ୍ୟରେ ‘ପରୀ ରଥ’ ଗଡ଼ିବ। ନାବାଳିକାଙ୍କ ଉପରେ ବଢ଼ି ଚାଲିଥିବା ଯୌନ ନିର୍ଯାତନାକୁ ରୋକିବା ପାଇଁ କମିସନରେଟ ପୁଲିସ ଓ ୟୁନିସେଫ ପକ୍ଷରୁ ମିଳିତ ସହାୟତାରେ ଆରମ୍ଭ ହେବାକୁ ଯାଉଥିବା ଏହି ମହାଅଭିଯାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସୋମବାର ସକାଳ ୧୦ଟା ୨୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଜ ପତାକା ଦେଖାଇ ଏହି ସଚେତନତା ରଥକୁ ଉଦ୍‌ଘାଟନ କରିବେ। ରବିବାର କମିସନରେଟ ପୁଲିସ ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି ସୂଚନା ଦେଇଛନ୍ତି। ଏଜି ଛକସ୍ଥିତ ଟ୍ରାଫିକ ଥାନା ପରିସରରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦୁଇଟି ପରୀ ରଥକୁ କଟକ, ଖୋର୍ଧା, ପୁରୀ ଓ ନୟାଗଡ଼ ୪ଟି ଜିଲ୍ଲା ପରିକ୍ରମା ପାଇଁ ପଠାଯିବ। ୪ଟି ଜିଲ୍ଲାର ନୋଡ଼ାଲ ଅଫିସର ଓ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ପରିକ୍ରମା ଆରମ୍ଭ କରିବେ ବୋଲି କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି। ଏହି ଅବସରରେ ଆଜି ‘ପରୀ ରଥ’ର ଲୋଗୋ ଉନ୍ମୋଚନ କରାଯାଇଥିିଲା। ସେହିପରି ‘ପରୀ ପାଇଁ କଥା ଟିଏ’ର ସଂଗୀତକୁ କଣ୍ଠଶିଳ୍ପୀ ଛନ୍ଦା ମିଶ୍ରଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା। ବୈଠକରେ ଆଇଜି କ୍ରାଇମବ୍ରାଞ୍ଚ ଅରୁଣ ବୋଥ୍ରା, ଆଇଜି ପର୍ସନାଲ ଅସିତ ପାଣିଗ୍ରାହୀ ଓ ୟୁନିସେଫ ଓଡ଼ିଶା ମୁଖ୍ୟ ୟୁମି ବେ ଉପସ୍ଥିତ ରହି ଏ ସଂପର୍କରେ ମତାମତ ରଖିଥିଲେ।

ସମ୍ବନ୍ଧିତ ଖବର