ବିପନ୍ନ ଉଦ୍ଧାର ପରମ ଧର୍ମ

ଓଡ଼ିଶା ଅଗ୍ନିଶମ ସେବାସଂସ୍ଥା ପ୍ରଶିକ୍ଷଣ ପ୍ରତିଷ୍ଠାନରେ ୨୮ତମ ସମାବର୍ତ୍ତନ ସମାରୋହ

ଖଣ୍ଡଗିରି : ବିପନ୍ନଙ୍କୁ ଉଦ୍ଧାର କରିବା ଅଗ୍ନିଶମ କର୍ମଚାରୀଙ୍କ ଜୀବନର ପରମଧର୍ମ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପନ୍ନଙ୍କ ବନ୍ଧୁ ପାଲଟିବା ହେଉଛି ସେମାନଙ୍କ ଜୀବନର ବ୍ରତ। ଏହି ଲକ୍ଷ୍ୟ ନେଇ ସେମାନଙ୍କ ଚାକିରି ଜୀବନ ଆରମ୍ଭ ହୁଏ ଓ ଅଗ୍ନିଶମ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ତାଲିମ୍‌ ନେବା ସମୟରେ ହିଁ ଏହି ଶିକ୍ଷା ସେମାନଙ୍କ ଏହି ପ୍ରଶଂସନୀୟ ଉଦ୍ଦେଶ୍ୟକୁ ଅଧିକ ଶାଣିତ କରିଥାଏ। ବରମୁଣ୍ଡାସ୍ଥିତ ରାଜ୍ୟ ଅଗ୍ନିଶମ ସେବାସଂସ୍ଥା ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଅନୁଷ୍ଠିତ ହୋଇଯାଇଥିବା ୨୮ତମ ସମାବର୍ତ୍ତନ ଉତ୍ସବରେ ଅତିଥିମାନେ ଏହା କହିଛନ୍ତି। ତାଲିମ୍‌ରେ ସଫଳତାର ସହ କୃତକାର୍ଯ୍ୟ ହୋଇଥିବା ଓଡ଼ିଶାରୁ ୪୨ ଜଣ କେନ୍ଦ୍ରାଧିକାରୀ ଓ ନାଗାଲାଣ୍ଡର ପ୍ରଥମ ବ୍ୟାଚ୍‌ରୁ ୩୯ଜଣଙ୍କୁ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ସମ୍ବର୍ଧିତ କରିଥିଲେ।

ଉଲ୍ଲେଖନୀୟ କଥା ଥିଲା ନାଗାଲାଣ୍ଡ ପ୍ରଶିକ୍ଷାର୍ଥୀମାନଙ୍କ ସଫଳତା। ନାଗାଲାଣ୍ଡର ୩୯ ଜଣ ଏହି ତାଲିମ୍‌ରେ ବେଶ୍‌ ସଫଳ ହୋଇଥିବାରୁ ସେଠାରୁ ଦ୍ୱିତୀୟ ବ୍ୟାଚ୍‌ ତାଲିମ୍‌ ପାଇଁ ଆସିବାକୁ ପ୍ରସ୍ତୁତ ହୋଇ ଅପେକ୍ଷା କରିଛନ୍ତି। ପୂର୍ବରୁ ଆନ୍ଧ୍ରପ୍ରଦେଶର ଗୋଟିଏ ବ୍ୟାଚ୍‌ ତାଲିମ୍‌ ନେଇ ସଫଳ ହୋଇଥିବାବେଳେ ଅନ୍ୟ ଏକ ବ୍ୟାଚ୍‌ ମଧ୍ୟ ଏଠାରେ ପ୍ରଶିକ୍ଷଣ ନେବାକୁ ଅପେକ୍ଷା କରିଛି ବୋଲି ପ୍ରତିଷ୍ଠାନ ପକ୍ଷରୁ ସୂଚନା ମିଳିଛି। ଆଜି ସମାବର୍ତ୍ତନ ଉତ୍ସବ ଅବସରରେ ଓଡ଼ିଶା ପ୍ରଶିକ୍ଷାର୍ଥୀମାନଙ୍କ ସହ ନାଗାଲାଣ୍ଡ ପ୍ରଶିକ୍ଷାର୍ଥୀମାନେ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରିଥିଲେ। ଅଗ୍ନିକାଣ୍ଡ, ବନ୍ୟା, ବାତ୍ୟା ଓ ବଡ଼ ବଡ଼ ମର୍ମନ୍ତୁଦ ଦୁର୍ଘଟଣା ଭଳି ବିପତ୍ତି ସମୟରେ ବିପନ୍ନଙ୍କୁ କିଭଳି ଉଦ୍ଧାର କରାଯାଇପାରିବ ତାହାର ନମୁନା ପ୍ରଦର୍ଶନ କରାଯାଇଥିଲା। ପ୍ରଥମ ବ୍ୟାଚ୍‌ ହୋଇଥିଲେ ବି ନାଗାଲାଣ୍ଡ କର୍ମଚାରୀମାନଙ୍କ ପ୍ରଦର୍ଶନ ବେଶ୍‌ ଉଚ୍ଚକୋଟୀର ଥିଲା।

ଓଡ଼ିଶାର ଏହି ପ୍ରଶିକ୍ଷଣ କେନ୍ଦ୍ରରେ ଅତ୍ୟାଧୁନିକ ତାଲିମ୍‌ ନେଇ ସେମାନେ ନିଜକୁ ଗୌରବାନ୍ଵିତ ମନେ କରୁଥିବା କହିଛନ୍ତି। ବିପଦ ସମୟରେ ସାହସିକତା ପ୍ରଦର୍ଶନ ସହ ମାନବିକତା ଶିକ୍ଷା ଏହି ପ୍ରତିଷ୍ଠାନର ବଡ଼ ଅବଦାନ ବୋଲି ସେମାନେ କହିଛନ୍ତି। ଓଡ଼ିଶାର ଏହି ପ୍ରତିଷ୍ଠାନ କେବଳ ପୂର୍ବ ଭାରତ ନୁହେଁ, ସମଗ୍ର ଭାରତବର୍ଷର ଏକ ଅଗ୍ରଣୀ ଅନୁଷ୍ଠାନ ବୋଲି ସେମାନେ ମତ ଦେଇଛନ୍ତି। ଅଗ୍ନିଶମ ବିଭାଗ ପୁଲିସ ମହାନିର୍ଦେଶକ ଡ. ବିନୟ କୁମାର ବେହେରା, ଆଇଜି ଡ. ସନ୍ତୋଷ ବାଲା, ପ୍ରତିଷ୍ଠାନର ନିର୍ଦେଶକ ବ୍ରଜେନ୍ଦୁ ଭୂଷଣ ଦାସ, ରାଜ୍ୟ ଚିଫ୍‌ ଫାୟାର୍‌ ଅଫିସର ସୁକାନ୍ତ କୁମାର ସେଠୀ, ପ୍ରତିଷ୍ଠାନର ଅଧ୍ୟକ୍ଷ ମହେଶ୍ୱର ସ୍ୱାଇଁ ଓ ଉପାଧ୍ୟକ୍ଷ ବିଶ୍ୱନାଥ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର