ଓସାକ୍ସର ରାଜ୍ୟସ୍ତରୀୟ ଜାତୀୟ ଯୁବ ଦିବସ: ଯୁବଗୋଷ୍ଠୀ ସଚେତନ ହେଲେ ଏଡସ୍ ଦୂରୀକରଣ ସମ୍ଭବ

ଭୁବନେଶ୍ବର: ରାଜ୍ୟରେ ବର୍ତମାନ ଏଚ୍‌ଆଇଭି ସଂକ୍ରମଣଙ୍କ ସଂଖ୍ୟା ୪୬,୨୪୬। ୧୫ରୁ ୩୫ବର୍ଷ ବୟସର ଯୁବଗୋଷ୍ଠୀଙ୍କ ମଧ୍ୟରେ ସଂକ୍ରମଣ ହାର ୧୫ ପ୍ରତିଶତ ରହିଛି। ୨୦୧୮ ଡିସେମ୍ବରରେ ୨୪୯୨ ନୂତନ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୯୬୨ଜଣ ଅର୍ଥାତ ୩୮% ହେଉଛନ୍ତି ଯୁବ ବର୍ଗ। ଏଣୁ ଯୁବଗୋଷ୍ଠୀ ସଚେତନ ହେଲେ ଓଡ଼ିଶାକୁ ଏଡ୍‌ସମୁକ୍ତ ରାଜ୍ୟ ଭାବେ ଗଢ଼ି ହେବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ଆ‌ଜି ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ସ୍ଥାନୀୟ ଇଡ୍‌କଲ ଅଡିଟୋରିୟମ୍‌ଠାରେ ‘ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି(ଓସାକ୍ସ)’ ଦ୍ୱାରା ଆୟୋଜିତ ‘ଜାତୀୟ ଯୁବ ଦିବସ’ ଅବସରରେ ମନ୍ତ୍ରୀ ଶ୍ରୀ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି। ସେ କହିଲେ, ଏଚଆଇଭି କ୍ଷେତ୍ରରେ ରାଜ୍ୟରେ ପୂର୍ବରୁ ୪୦ପ୍ରତିଶତ ପରୀକ୍ଷଣ ସମ୍ଭବ ହେଉଥିଲା ବେଳେ ଗତ ତିନି ବର୍ଷ ମଧ୍ୟରେ ଏହାକୁ ୯୦ ପ୍ରତିଶତ କରାଯାଇ ପାରିଛି। ଏହି ପରୀକ୍ଷା ରାଜ୍ୟର ପ୍ରତି ଜିଲ୍ଲାରେ କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି। ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର ଓ ରେଡ୍‌କ୍ରସ ସୋସାଇଟିର ଅବୈତନିକ ସଚିବ ମେଜର କଳ୍ପନା ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶକ ସଂଜୟ ପଟ୍ଟନାୟକ ଉପସ୍ଥିତ ଥିଲେ। ଯୁଗ୍ମ ନିର୍ଦ୍ଦେଶକ ବୈକୁଣ୍ଠ ନାଥ ପ୍ରଧାନ ଧନ୍ୟବାଦ ଜଣା‌ଇଥିଲେ। ଏହି ଅବସରରେ ଗ୍ରାମାଞ୍ଚଳର ଲୋକମାନଙ୍କୁ ଏଚଆଇଭି/ଏଡସ୍ ବିଷୟରେ ସଚେତନତା ବାର୍ତା ପହଞ୍ଚାଇବା ପାଇଁ ସମ୍ବଲପୁର, ବରଗଡ଼, କଟକ, ନବରଙ୍ଗପୁର ଓ ରାୟଗଡ଼ା ଆଦି ୫ଟି ଜିଲ୍ଲା ପାଇଁ ଭ୍ରାମ୍ୟମାଣ ପ୍ରଦର୍ଶନୀ ବସ୍‌ର ଶୁଭାରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ରେଡ୍‌ ରିବନ କ୍ଲବ୍‌ର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଝୋଟି, ରଙ୍ଗୋଲି, ବକ୍ତୃତା, ବିଭିନ୍ନ ବର୍ଜ୍ୟବସ୍ତୁରୁ ସୁନ୍ଦର ଘରସଜା ଜିନିଷ ତିଆରି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର