ଖଣ୍ଡଗିରି ପାଦଦେଶରେ ପ୍ରତିଷ୍ଠା ହେବ ଶାଶ୍ବତ ଗାନ୍ଧୀ ବ୍ୟାଖ୍ୟାନ କେନ୍ଦ୍ର: ମନ୍ତ୍ରୀ

ରାଜ୍ୟସ୍ତରୀୟ ସହିଦ ଦିବସ

ଭୁବନେଶ୍ବର : ଆଜି ରାଜ୍ୟସ୍ତରୀୟ ସହିଦ ଦିବସ ଜୟଦେବ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଦୁଇ ବର୍ଷ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏହି ଅବସରରେ ଖଣ୍ଡଗିରି ଓ ଉଦୟଗିରିର ପାଦଦେଶରେ ଥିବା ବ୍ୟାଖ୍ୟାନ କେନ୍ଦ୍ରକୁ ଶାଶ୍ବତ ଗାନ୍ଧୀ ବ୍ୟାଖ୍ୟାନ କେନ୍ଦ୍ର ନାମରେ ନାମିତ କରାଯିବ। ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଆଦିତ୍ୟ ବିର୍ଲା ଫାଉଣ୍ଡେସନ୍‌ ସହଯୋଗରେ ଏହା ନିର୍ମାଣ କରାଯିବ। ଏଥିରେ ଅନେକଗୁଡ଼ିଏ ଗ୍ୟାଲେରି ରହିବ। ସେହିପରି କଟକରେ ମହାତ୍ମା ଗାନ୍ଧୀଙ୍କ ଏକ ସ୍ମାରକୀ ପ୍ରତିଷ୍ଠା କରାଯିବ। ଏହା ସହିତ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ସଦର ମହକୁମାରେ ମହାତ୍ମାଙ୍କ ପ୍ରତିମୂର୍ତି ସ୍ଥାପନ କରାଯିବ।

ସେହିପରି ଗାନ୍ଧୀ ଯେଉଁ ସବୁ ସ୍ଥାନ ବୁଲିଥିଲେ ଓ ରାତ୍ରିଯାପନ କରିଥିଲେ, ସେଠାରେ ମଧ୍ୟ ସ୍ମାରକୀ ପ୍ରତିଷ୍ଠା କରାଯିବ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ, ନିର୍ଦେଶକ ବିଜୟ କୁମାର ନାୟକ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଯୁଗ୍ମ ସଚିବ ନିରଂଜନ ସେଠୀ, ସାହିତ୍ୟ ଏକାଡେମି ଭାରପ୍ରାପ୍ତ ସଚିବ ଜୟନ୍ତୀ ରଥ, ବିଶିଷ୍ଟ ସାହିତ୍ୟିକ ପାବକ କାନୁନ୍‌ଗୋ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର