ରାଜ୍ୟସ୍ତରୀୟ ସମସାମୟିକ ନାଟ୍ୟୋତ୍ସବ

ଭୁବନେଶ୍ବର: ହୀରାକୁଦ ବନ୍ଧକୁ ୬ ଦଶନ୍ଧି ବିତିଗଲା, ହେଲେ ବିସ୍ଥାପିତଙ୍କ ଦୁଃଖ ଗଲାନି। କିଏ କେଉଁଠି ଦାଦନ ଖଟୁଛି ତ କିଏ ସରକାରୀ ଜାଗା ମାଡ଼ିବସି ସବୁଦିନ ଲାତ ଖାଉଛି। ବିଚାରୀ ଅହଲ୍ୟା କ୍ଷତିପୂରଣ ଆଶାରେ ହୀରାକୁଦ ପାଣିରେ ସଲିଳ ସମାଧି ପାଇଛି। ବଞ୍ଚିଥିବା ବେଳେ ସେ ଏଇ ପାଣିକୁ ନାଲି ପାଣି (ଲାଲ୍‌ ପାଏନ୍‌) ବୋଲି ନାଁ ‌ଦେଇଛି। ବିସ୍ଥାପିତଙ୍କ ରକ୍ତରେ ଯେମିତି ଏଇ ପାଣି ଲାଲ୍‌ ହୋଇଯାଇଛି। ବିସ୍ଥାପିତଙ୍କ ରକ୍ତ, ମାଂସ, ହାଡ଼ରେ ଏଇ ବନ୍ଧ ତିଆରି ହୋଇଛି। ଅହଲ୍ୟା ସିନା ଚାଲି ଯାଇଛି, ହେଲେ ଆଜି ବି ବିସ୍ଥାପିତଙ୍କ ମୁହଁରେ ଅହଲ୍ୟାର ଏଇ କଥା ସବୁ ରହିଯାଇଛି। ଆଜି ବି କ୍ଷତିପୂରଣ ପାଇଁ ବିସ୍ଥାପିତ ସଂଗ୍ରାମ କରୁଛନ୍ତି। ଏଭଳି ଏକ ବାସ୍ତବ ଚିତ୍ରକୁ ନେଇ ବେଲପାହାଡ଼ର ମିରର ଥିଏଟର୍‌ ପ୍ରସ୍ତୁତ କରିଥିଲା ସମ୍ବଲପୁରୀ ନାଟକ ‘ଲାଲ୍‌ ପାଏନ୍‌’। ନାଟକରେ ଯେଉଁମାନେ ଅଭିନୟ କରୁଥିଲେ ସେମାନେ ସମସ୍ତେ ବିସ୍ଥାପିତ ଥିଲେ। ଯାହାଫଳରେ ଏହି ନାଟକ ଏକ ବାସ୍ତବ ଚିତ୍ର ଦର୍ଶକଙ୍କ ସାମ୍ନାରେ ରଖିପାରିଥିଲା। ଏକ୍ସପ୍ରେସନ୍ସ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ଆୟୋଜିତ ରାଜ୍ୟସ୍ତରୀୟ ସମସାମୟିକ ନାଟ୍ୟୋତ୍ସବର ଆଜି ପ୍ରଥମ ସନ୍ଧ୍ୟାରେ ସୁବାସ ଚନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶନାରେ ଏହି ନାଟକ ମଞ୍ଚସ୍ଥ ହୋଇଥିଲା। ୪ ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ଆସନ୍ତାକାଲି ‘ଏବଂ ଅଭିମନ୍ୟୁ’, ୧୫ ତାରିଖରେ ଝରକା ଓ ୧୬ ତାରିଖରେ ଧର୍ମାବତାର ନାଟକ ମଞ୍ଚସ୍ଥ ହେବ ବୋଲି ଆୟୋଜକ ଅନୁଷ୍ଠାନର ସମ୍ପାଦକ ଦେବାନନ୍ଦ ନାୟକ ସୂଚନା ଦେଇଛନ୍ତି। ସଭାପତି ସୁଦର୍ଶନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜୟ ମହାନ୍ତି, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ସଞ୍ଜୟ ମିଶ୍ର ଯୋଗ ଦେଇଥିଲେ। ଗୁମାନ୍‌ ସିଂଙ୍କୁ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ଓ ଶିବଶଙ୍କର ତ୍ରିପାଠୀଙ୍କୁ ଯୁବ ନିର୍ଦ୍ଦେଶକ ଭାବରେ ସମ୍ମାନିତ କରାଯାଇଛି। ଏହି ଅବସରରେ ଅନୁଷ୍ଠାନର ସ୍ମରଣିକା ଉନ୍ମୋଚିତ ହୋଇଛି।

ସମ୍ବନ୍ଧିତ ଖବର