ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆରମ୍ଭ, ସ୍କୁଲ ପିଲାଙ୍କୁ ମିଳିବ ମାଗଣା ଜୋତା

ହାଇସ୍କୁଲର ପାଠାଗାରକୁ ଦିଆଯିବ ଓଡ଼ିଆ ପତ୍ରିକା, ୩୧୪ ବ୍ଲକରେ ଖୋଲିବ ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ବର: ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ମାଗଣା ଜୋତା ଯୋଗାଇଦେବାକୁ ଚିନ୍ତା କରୁଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏଥିସହ ୩୧୪ଟି ବ୍ଲକରେ ଆସନ୍ତା ଶିକ୍ଷାବର୍ଷରୁ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ। ପ୍ରତି ହାଇସ୍କୁଲର ପାଠାଗାରକୁ ଓଡ଼ିଆ ପତ୍ରପତ୍ରିକା ଯୋଗାଇ ଦିଆଯିବ ବୋଲି ୟୁନିଟ୍‌-୯ ବାଳକ ଉଚ୍ଚ ବିଦ୍ୟାଳୟରେ ଆଜିଠାରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ବିଭାଗୀୟ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଦିଗରେ ଏକାଧିକ ପଦକ୍ଷେପ ନିଆଯାଇଛି। ଶିକ୍ଷାନୁଷ୍ଠାନ ହେଉଛି ଜ୍ଞାନ କେନ୍ଦ୍ର। ଶିଶୁମାନେ କିଭଳି ସବୁ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିପାରିବେ, ସେ ଦିଗରେ ଶିକ୍ଷକ ଶିକ୍ଷୟିତ୍ରୀ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏଥିପାଇଁ ସବୁସ୍ତରରେ ବ୍ୟାପକ ପରିବର୍ତ୍ତନ ଦରକାର ବୋଲି ସେ କହିଥିଲେ। ଉତ୍ସବରେ ଭୁବନେଶ୍ବର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା, ଭାରତ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ନିର୍ଦେଶକ ହମିଦ୍‌ ନୁରୁ, ୟୁନିସେଫ୍‌ର ଯୋଜନା ଉପ ପ୍ରତିନିଧି ଫାରୁଗ୍‌ ଫୌଜତ୍‌ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ରାଜ୍ୟ ପାଇଁ ସୁନାମ ଆଣିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଓପେପାର ନିର୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ସ୍ବାଗତ ଭାଷଣ ଦେଇ ‘ସୁରଭି’ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ଦ୍ବାରା ହ୍ୟାଣ୍ଡ ବୁକ୍‌ ଅଫ୍‌ ଲାଇବ୍ରେରି ଓ ସ୍ବଚ୍ଛ ବିଦ୍ୟାଳୟ ପୁସ୍ତିକା ଉନ୍ମୋଚିତ ହୋଇଥିଲା।

‘ସୁରଭି’ ଉତ୍ସବ ଅବସରରେ ଆଜି ସକାଳେ ଛାତ୍ରଛାତ୍ରୀଙ୍କ ଏକ ‌ଶୋଭାଯାତ୍ରା ବିଜୁ ପଟ୍ଟନାୟକ ପାର୍କରୁ ବାହାରି ୟୁନିଟ୍‌-୯ ବାଳକ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା। ଏଥର ଉତ୍ସବରେ ‘ବେଟି ବଚାଓ: ବେଟି ପଢ଼ାଓ’, ସ୍ବଚ୍ଛ ବିଦ୍ୟାଳୟ, ଗୁଣାତ୍ମକ ଶିକ୍ଷା ପାଇଁ ଉଜ୍ଜ୍ବଳ, ପରିବେଶ ସୁରକ୍ଷା, ଶ୍ରୁତ‌ଲିଖନ, ହସ୍ତାକ୍ଷର, ବକ୍ତୃତା, ରଚନା, ଚିତ୍ରକଳା ଓ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିସହ ବର୍ଜ୍ୟବସ୍ତୁର ବ୍ୟବହାର, ବିଜ୍ଞାନ କୌତୁକ କର୍ମଶାଳା, ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଚଳିତବର୍ଷ ଉତ୍ସବରେ ଏକାଧିକ କର୍ମଶାଳା ଅନୁଷ୍ଠିତ ହେବା ସହ ସ୍ବତନ୍ତ୍ର ଭାବେ ପୁସ୍ତକ ପ୍ରଦର୍ଶନୀ ହୋଇଛି। ଏଥିରେ ନ୍ୟାସନାଲ ବୁକ୍‌ ଟ୍ରଷ୍ଟ, ଇଣ୍ଡିଆ ଓ ଓଡ଼ିଶାର ପୁସ୍ତକ ପ୍ରକାଶକମାନେ ଭାଗ ନେଇଛନ୍ତି। ଏନ୍‌ବିଟିର ବୁକ୍‌ ଅନ୍‌ ହୁଇଲ୍‌ ଏହି ଅବସରରେ ଉଦ୍‌ଘାଟିତ ହୋଇଛି। ମାଧ୍ୟମିକ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ କଳା ଉତ୍ସବକୁ ଓପେପା ନିର୍ଦେଶକ ଶ୍ରୀ ପୁନିଆ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର