ଖୋଲିଲା ସ୍ୱତନ୍ତ୍ର ହାତୀଦାନ୍ତ ଗ୍ୟାଲେରି

ରାଜ୍ୟ ସଂଗ୍ରହାଳୟର ହୀରକ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ସଂସ୍କୃତି, ପରମ୍ପରା ଓ ଇତିହାସର ମୁକସାକ୍ଷୀ ରାଜ୍ୟ ସଂଗ୍ରହାଳୟର କଳେବର ପୁଣି ବୃଦ୍ଧି ପାଇବ। ଆଜି ହାତୀଦାନ୍ତର କଳାକୃତିକୁ ନେଇ ସ୍ୱତନ୍ତ୍ର ହାତୀଦାନ୍ତ ଗ୍ୟାଲେରି ଖୋଲିଛି। ପୁଣି ଭବିଷ୍ୟତରେ ଆହୁରି ୫ଟି ଗ୍ୟାଲେରି ଖୋଲିବା ପାଇଁ ପଥ ପ୍ରସ୍ତୁତ ହୋଇଛି। ଅଷ୍ଟାଦଶ ଖ୍ରୀଷ୍ଟାବ୍ଦର ବିଭିନ୍ନ ରାଜପରିବାରର ବ୍ୟବହୃତ ଜିନିଷ ରାଜପରିବାରରୁ ସଂଗୃହୀତ ହୋଇଥିବା ବେଳେ ସେସବୁକୁ ଏକାଠି କରି ରୟାଲ ଗ୍ୟାଲେରି ପ୍ରତିଷ୍ଠା କରାଯିବ। ଏ ନେଇ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ପ୍ରସ୍ତାବ ଦେଇଛନ୍ତି। ରାଜ୍ୟ ସଂଗ୍ରହାଳୟର ୬୦ ବର୍ଷ ପ୍ରତିଷ୍ଠା ଦିବସ ତଥା ହୀରକ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଣ୍ଡା କହିଲେ, ସମସାମୟିକ କଳାକୁ ନେଇ ଓଡ଼ିଶା ଲଳିତ କଳା ଏକାଡେମିରେ ଆଉ ଏକ ଗ୍ୟାଲେରି ଖୋଲିପାରିବ। ସେହିପରି ସଂଗୀତ ନାଟକ ଏକାଡେମି ସହଯୋଗରେ ପୁରୁଣା ବାଦ୍ୟଯନ୍ତ୍ରକୁ ନେଇ ମଧ୍ୟ ଏକ ଗ୍ୟାଲେରି ପ୍ରସ୍ତୁତ କରାଯାଇ ପାରିବ ବୋଲି ମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ଅନ୍ୟ ପକ୍ଷରେ ପଟ୍ଟଚିତ୍ର, ଖଣି ସମ୍ବନ୍ଧୀୟ, ସ୍ୱାଧୀନତା ସଂଗ୍ରାମୀ ଏବଂ ଓଡ଼ିଶା ଥ୍ରୁ ଏଜେସ୍‌ ତଥା ସମୟାନୁଯାୟୀ ଓଡ଼ିଶାବାସୀଙ୍କ ଚାଲିଚଳନର ବିବର୍ତନକୁ ଲୋକଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଆସନ୍ତା ଦିନମାନଙ୍କରେ ଗ୍ୟାଲେରିମାନ ଖୋଲାଯିବ। ଏବେ ପର୍ଯ୍ୟଟନ ବିଭାଗ ଠାରୁ ସଂସ୍କୃତି ବିଭାଗ ଅଲଗା ହେବା ପରେ ବିଭାଗର ବଜେଟ୍‌ ବୃଦ୍ଧି ପାଇବ। ଯାହା ସଂଗ୍ରହାଳୟ ଭଳି ସଂସ୍କୃତି ବିଭାଗର ଅନ୍ୟ ଉପବିଭାଗର ଗାରିମା ବୃଦ୍ଧି ପାଇଁ ବିନିଯୋଗ ହେବ ବୋଲି ଶ୍ରୀ ପଣ୍ଡା କହିଥିଲେ।

ଚଳିତ ବର୍ଷ ହୀରକ ଜୟନ୍ତୀର ସ୍ମୃତିକୁ ସାଇତି ରଖିବା ପାଇଁ ଓଡ଼ିଶାର ମୁଖ୍ୟ ମହାଡାକପାଳ ଡ.ସନ୍ତୋଷ କୁମାର କାମିଲା ‘ସ୍ୱତନ୍ତ୍ର ପୋଷ୍ଟାଲ୍‌ କଭର’ର ଲୋକାର୍ପଣ କରିଛନ୍ତି। ପୂର୍ବରୁ ଓଡ଼ିଆ ସଂଖ୍ୟାର କ୍ରମବିକାଶ ସମ୍ପର୍କରେ ସଂଗ୍ରହାଳୟରୁ ସୂଚନା ମିଳୁଥିବା ବେଳେ ଓଡ଼ିଆ ଲିପିର କ୍ରମ ବିକାଶ ସମ୍ବନ୍ଧରେ ସୂଚନା ଦେବା ପାଇଁ ଲିପି ବିଭାଗରେ ଏକ ସ୍ୱତନ୍ତ୍ର ବୋର୍ଡ ମଧ୍ୟ ଉନ୍ମୋଚିତ ହୋଇଛି। ସେହିପରି ସଂଗ୍ରହାଳୟକୁ ବୟସ୍କ ଓ ଭିନ୍ନକ୍ଷମ ଅନୁକୂଳ କରିବା ପାଇଁ ଆଜି ନୂତନ ଲିଫ୍‌ଟର ଶୁଭାରମ୍ଭ କରାଯାଇଛି। ଅତିଥିଙ୍କ ଦ୍ୱାରା ‘ଓଡ଼ିଶା ହିଷ୍ଟୋରିକାଲ୍‌ ରିସର୍ଚ ଜର୍ଣ୍ଣାଲ୍‌’ର ଲୋକାର୍ପଣ କରାଯାଇଥିଲା। ଏଥିସହ କୁନିକୁନି ଛାତ୍ରଛାତ୍ରୀଙ୍କ ଐତିହ୍ୟ ସମ୍ବନ୍ଧୀୟ ଫୁଲ ଚିତ୍ର ବେଶ୍‌ ମନଲୋଭା ହୋଇଥିଲା। ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସଂସ୍କୃତି ବିଭାଗର ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ସଂଗ୍ରହାଳୟର ଅଧୀକ୍ଷକ ଜୟନ୍ତୀ ରଥ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଂଗ୍ରହାଳୟର ପୂର୍ବତନ କର୍ମଚାରୀ ଓ କର୍ତୃପକ୍ଷ ମହେଶ ପ୍ରସାଦ ଦାଶ,କୁଳମଣି ପଣ୍ଡା, ତ୍ରିଲୋଚନ ମହରାଣା, ଶୁଭେନ୍ଦୁ କୁମାର, ଅର୍ଜୁନ ବରାଳ, ହାଡ଼ିବନ୍ଧୁ ସ୍ୱାଇଁ, ମନମୋହନ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ଦାଶ, ମାଳତୀ ଦେବତାଙ୍କୁ ସଂଗ୍ରହାଳୟ ପ୍ରତି ଅବଦାନର ସ୍ୱୀକୃତି ସ୍ୱରୂପ ସମ୍ବର୍ଧିତ କରାଯାଇଥିଲା। ପରେ କୃତୀ ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ସଂଗ୍ରହାଧ୍ୟକ୍ଷା ସୁଚିସ୍ମିତା ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ.ମୃତ୍ୟୁଞ୍ଜୟ ରଥ।

ପ୍ରଥମ ଏଭରେଷ୍ଟ ବିଜୟିନୀଙ୍କ ସନ୍ତକ

ଆଜି ରାଜ୍ୟ ସଂଗ୍ରହାଳୟ ମଧ୍ୟରେ ଶୋଭା ପାଇଥିଲା ଓଡ଼ିଶାର ପ୍ରଥମ ଏଭରେଷ୍ଟ୍‍ ଶୃଙ୍ଗ ଆରୋହଣକାରୀ କଳ୍ପନା ଦାସଙ୍କ ବ୍ୟବହୃତ ଜୋତା ଓ ପୋଷାକ। ୨୧ମେ ୨୦୦୮ରେ ଶୃଙ୍ଗରେ ଅବତରଣ କରି ଓଡ଼ିଶା ପାଇଁ ସୁନାମ ଆଣିଥିବା ବେଳେ ତାଙ୍କର ଏହି ପୋଷାକକୁ ନିରେଖି ଦେଖୁଥିଲେ ପରିଦର୍ଶନକାରୀ। ସେହିଭଳି ୬୪ ଯୋଗିନୀଙ୍କ ପୂର୍ଣ୍ଣ ଅବୟବ ଦେଖିବା ଏବେ ସ୍ୱପ୍ନ ହୋଇଥିବା ବେଳେ ଏହି ପୂର୍ଣ୍ଣ ଅବୟବକୁ ଚିତ୍ରରେ ଦେଖିବାର ସୁଯୋଗ ସୃଷ୍ଟି କରିଛନ୍ତି ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ୟାମସୁନ୍ଦର ପଟ୍ଟନାୟକ। ପଟ୍ଟଚିତ୍ରକୁ ପୋଷାକରେ ଉତାରିଥିବା ଜ୍ୟୋତ୍ସ୍ନା ପାଟ୍ଟଯୋଷୀଙ୍କ ପ୍ରଦର୍ଶନୀ ‘କୃଷ୍ଣାଙ୍ଗୀ’ ଏବଂ ଅନ୍ୟ ପ୍ରଦର୍ଶନୀ ମଧ୍ୟ ଖୋଲାଯାଇଛି। ଏହା ସପ୍ତାହେରୁ ଊର୍ଧ୍ୱ ଦିନ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର