ପ୍ରଦୂଷଣ ନିୟନ୍ତ୍ରଣରେ ଲୋକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୩୫ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୩୫ତମ ପ୍ରତିଷ୍ଠା ଦିବସ ଆଜି ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଯୋଗଦେଇ କହିଲେ, ଆଜିର ସମୟରେ ପ୍ରଦୂଷଣ ବୋର୍ଡ ସମ୍ମୁଖରେ ଅନେକ ଆହ୍ଵାନ ରହିଛି। ବିଶେଷକରି ଜଳ ପ୍ରଦୂଷଣ ଏକ ବଡ଼ ଆହ୍ଵାନ। ରାଜ୍ୟର ଅଧିକାଂଶ ନଦୀ ପ୍ରଦୂଷିତ ହୋଇଥିବା ବେଳେ ଦିନକୁ ଦିନ ଅଧିକ ପ୍ରଦୂଷିତ ହେବାରେ ଲାଗିଛି। ଏହାସହ ବାୟୁ ପ୍ରଦୂଷଣ ମଧ୍ୟ ଆଜିର ସମୟରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟା। ରାଜ୍ୟରେ ପ୍ଲାଷ୍ଟିକ୍‌ର ବ୍ୟବହାରକୁ ରାଜ୍ୟ ସରକାର ନିଷେଧ ଘୋଷଣା କରିଛନ୍ତି। ଏବେ ୫ଟି ମହାନଗର ସମେତ ପୁରୀରେ ପ୍ଲାଷ୍ଟିକର ବ୍ୟବହାରକୁ ନିୟନ୍ତ୍ରଣ କରାଯାଇଛି। ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ରାଜ୍ୟବ୍ୟାପୀ ଏହାକୁ ନିଷେଧ କରାଯିବ। ତେବେ ଜନସାଧାରଣ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ଏଥିପାଇଁ ବଜାରରେ ଏହାର ବିକଳ୍ପ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ତେବେ ପ୍ରଦୂଷଣ ରୋକିବାରେ ଜନସାଧାରଣଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ମହାପାତ୍ର କହିଥିଲେ।

ଉନ୍ନୟନ କମିସନର ଆର.ବାଲକ୍ରିଷ୍ଣନ୍‌ କହିଲେ, ପ୍ରଦୂଷଣ ଏକ ସାମାଜିକ ସମସ୍ୟା। କେବଳ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏକୁଟିଆ ଏହାର ସମାଧାନ କରିପାରିବ ନାହିଁ। ନିୟମିତ ଯାଞ୍ଚ ଦ୍ୱାରା ପ୍ରଦୂଷଣକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଶ୍ରୀ ବାଲକ୍ରିଷ୍ଣନ୍‌ କହିଥିଲେ। ବୋର୍ଡର ସଦସ୍ୟ ସଚିବ ଡି. ବିଶ୍ୱାଳ କହିଲେ, ଗଜପତି, କୋରାପୁଟ ଓ ବଲାଙ୍ଗୀରରେ ୩ଟି ନୂଆ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଖଣି ଅଞ୍ଚଳରେ ବଢ଼ୁଥିବା ତାପମାନ ପାଇଁ ଗବେଷଣା କରାଯାଉଛି। ଇଜ୍‌ ଅଫ ଡୁଇଁ ବିଜିନେସ୍‌ ପାଇଁ ବୋର୍ଡ ପକ୍ଷରୁ ପଦକ୍ଷେପ ନିଆଯାଇଥିବା ଶ୍ରୀ ବିଶ୍ୱାଳ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସତ୍ୟବାନ ଜେନା ଉପସ୍ଥିତ ଥିଲେ। ଏହି ଅବସରରେ ବୋର୍ଡ ପକ୍ଷରୁ ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥାମାନଙ୍କୁ ପୁରସ୍କୃତ କରାଯାଇଥିଲା। ବୋର୍ଡର ବରିଷ୍ଠ ବୈଜ୍ଞାନିକ ପି.କେ ପୃଷ୍ଟି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର