ରାଜ୍ୟ ସ୍କାଉଟ ଏବଂ ଗାଇଡ୍‌ସ୍‌ର ରାଜ୍ୟ ପୁରସ୍କାର ଉତ୍ସବ : ‘ସେବା କରୁଥିବା ଲୋକ ଈଶ୍ବରଙ୍କ ରୂପ’

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସ୍କାଉଟ୍ ଏବଂ ଗାଇଡ୍‌ସ ସଂଗଠନର ୩୨ତମ ରାଜ୍ୟ ପୁରସ୍କାର ଉତ୍ସବ ରାଜଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ଅନୁଷ୍ଠାନର ସେବାକୁ ପ୍ରଶଂସା କରିଥିଲେ। କହିଥିଲେ, ସେବା କରୁଥିବା ଲୋକ ଈଶ୍ବରଙ୍କ ରୂପ। ସେବା ଓ ପ୍ରେମ ଜରିଆରେ ସମଗ୍ର ବିଶ୍ବକୁ ଗୋଟିଏ ପରିବାରରେ ବାନ୍ଧି ରଖାଯାଇପାରିବ। ସ୍କାଉଟ ଗାଇଡ୍‌ ଯେଉଁ ସେବା‌ ପ୍ରଦାନ କରୁଛି, ତାହା ପ୍ରେମ ଜରିଆରେ ହିଁ ସମ୍ଭବ ହେଉଛି। ‘ଜିନ୍ସ’ ପିନ୍ଧିବା ସହ ‘ଜିନ୍‌’ର ସମ୍ମାନ ରଖିବା ଜରୁରୀ। ଯାହାଙ୍କଠାରୁ ଆମେ ଜନ୍ମ ନେଇଛେ, ଯାହାଙ୍କ ‘ଜିନ୍‌’ ଆମ ଶରୀରରେ ରହିଛି, ‘ଜିନ୍ସ’ ପିନ୍ଧିଲେ ମଧ୍ୟ ସେମାନଙ୍କ ପ୍ରତି ଉଚିତ ସମ୍ମାନ ରହିବା‌ ଜରୁରୀ ବୋଲି ସେ କହିଛନ୍ତି।

ଅନ୍ୟତମ ଅତିଥି ଭାବେ ରାଜ୍ୟର ପ୍ରଥମ ମହିଳା ସୁଶୀଳା ଦେବୀ, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଉପ ଶାସନ ସଚିବ ଅଶୋକ ରଥ, ରାଜ୍ୟ ମୁଖ୍ୟ କମିସନର ଡ. କାଳୀପ୍ରସାଦ ମିଶ୍ର, ରାଜ୍ୟ ସ୍କାଉଟ୍‌ କମିସନର ଡ. ଧ୍ରୁବଚରଣ ପରିଡ଼ା, ରାଜ୍ୟ ଗାଇଡ୍‌ କମିସନର ଡ. ସିପ୍ରା ନାୟକ, ରାଜ୍ୟ ସମ୍ପାଦକ ରାମମୂର୍ତ୍ତି ଦୋରା, କୋଷାଧ୍ୟକ୍ଷ ଶରତ ପାଇକରାୟ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ରାଜ୍ୟପାଳ ଭାରତ ତିବ୍ବତ ସୀମା ପୁଲିସ ୪୧ବାଟାଲିଅନ୍‌ର ରାଧେଶ୍ୟାମ, ଓଡ଼ିଶା ଶିଖ୍‌ ପ୍ରତିନିଧି ବୋର୍ଡ ସଭାପତି ମହେନ୍ଦ୍ର ସିଂ କାଲସୀ, ପୁରୀ ଗୁରୁଦ୍ବାର ବୋଲ ହାଇସାହାବ ବୋର୍ଡ ସଭ୍ୟ ସତପାଲ ସିଂହ, ଭାରତ ଯୁବ ସଂଗଠନର ରାଜ୍ୟ ସଭାପତି ବସନ୍ତ ମଲ୍ଲିକଙ୍କୁ ରାଜ୍ୟପାଳ ପ୍ରମାଣପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ଏଥିସହ ଢେଙ୍କାନାଳ ଜିଲ୍ଲା ଶିକ୍ଷାଧିକାରୀ ସୁଧାନନ୍ଦ ପରିଡ଼ା, ସବୁଜ ଫୋରମ୍‌ର ପ୍ରକାଶ ଜେନା, କବ ବୁଲବୁଲ ଫ୍ଲକଲିଡର୍‌ ଦୀପ୍ତିମୟୀ ଲେଙ୍କାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ଲେକ୍‌ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଭୁବନେଶ୍ବରକୁ ଏବଂ ଅଧିକ ସଂଖ୍ୟାରେ ସ୍କାଉଟ ଗାଇଡ୍‌ ପଞ୍ଜୀକରଣ, ରେକର୍ଡ ପରିମାଣରେ କବ୍‌ ବୁଲ୍‌ବୁଲ୍‌ କାର୍ଯ୍ୟକ୍ରମ, ସମାବେଶ ପାଇଁ ବିଭିନ୍ନ ଜିଲ୍ଲାକୁ ପୁରସ୍କୃତ କରାଯାଇଥିଲା। ନିୟମିତ କାର୍ଯ୍ୟକ୍ରମ ପାଇଁ ବଲାଙ୍ଗୀର ଜିଲ୍ଲା ଶିକ୍ଷାଧିକାରୀଙ୍କ ସମେତ ସୁନ୍ଦରଗଡ଼ ବରଗାଁ ଶିଳ୍ପ ତାଲିମ୍‌ କେନ୍ଦ୍ର ପ୍ରତି‌ଷ୍ଠାତା ସମ୍ପାଦକ ରାମଚନ୍ଦ୍ର ନାୟକଙ୍କୁ ପୁରସ୍କୃତ କରାଯାଇଛି। ସ୍କାଉଟ୍‌ ତାଲିମ୍‌ଦାତା ତ୍ରିନାଥ ଠାକୁର ଓ ସ୍କାଉଟ୍‌ ସଂଗଠନ କମିସନର ପ୍ରାଣକୃଷ୍ଣ ବେହେରାଙ୍କୁ ଦୀର୍ଘକାଳୀନ ସେବା ପଦକ ପ୍ରଦାନ କରାଯାଇଛି। ରାଜ୍ୟ ଗାଇଡ୍‌ ସଂଗଠନ ତଥା ତାଲିମ୍‌ କମିସନର୍‌ ଅନାମିକା ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର