ବିଏମ୍‌ସିର ୧ କୋଟି ଜରିମାନା ନୋଟିସ୍‌ ଉପରେ ରହିତାଦେଶ

କଟକ: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବିନା ଅନୁମତିରେ ହୋର୍ଡିଂ ଓ ପୋଷ୍ଟର ଲଗାଯିବା ପ୍ରସଙ୍ଗକୁ ନେଇ ପେଟ୍ରୋଲିୟମ କନଜରଭେସନ୍‌ ରିସର୍ଚ୍ଚ ଆସୋସିଏସନ୍‌ (ପିସିଆର୍‌ଏ)କୁ ୧ କୋଟି ଟଙ୍କା ଜରିମାନା ବାବଦରେ ଜମା କରିବାକୁ ଜାରି କରାଯାଇଥିବା ନୋଟିସ୍‌ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଜଷ୍ଟିସ୍‌ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ପିସିଆରଏ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ବିଏମସିର ୧ କୋଟି ଟଙ୍କା ଜରିମାନା ନୋଟିସ୍‌ ଉପରେ ଅନ୍ତରୀଣ ରହିତାଦେଶ ଜାରି କରବା ସହିତ ଜବାବ ଦାଖଲ ପାଇଁ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଜବାବ ରଖିବାକୁ ବିଏମସି କମିସନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ଗାୟତ୍ରୀ ପାତ୍ର, ସଂଜୟ ରଥ ଓ ଅଦ୍ୱିତୀୟ ଶତପଥୀ ତାଙ୍କୁ ସହାୟତା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ତୈଳ ବଞ୍ଚାଇବା ଉପରେ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପିସିଆରଏ ପକ୍ଷରୁ ଭୁବନେଶ୍ୱରଠାରେ ସକ୍ଷମ ସାଇକ୍ଲୋଥନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବିଏମ୍‌ସିର କୌଣସି ଅନୁମତି ନିଆ ନଯାଇ ପିସିଆର ଭୁବନେଶ୍ୱର ମହାନଗର ଅଞ୍ଚଳରେ ୨ହଜାର ହୋର୍ଡିଂ/ପୋଷ୍ଟର ଲଗାଇଥିଲା। ଏହା ବିଜ୍ଞାପନ ଆଇନର ଉଲ୍ଲଂଘନ ବୋଲି ଅଭିଯୋଗ ହୋଇଥିଲା। ବିଏମସି ବିଜ୍ଞାପନ ଆଇନ-୨୦୦୬ ଅନୁସାରେ ୧ କୋଟି ଟଙ୍କା ଜୋରିମାନା ଆଦାୟ ପାଇଁ ପିସିଆରଏକୁ ନୋଟିସ ଦେଇଥିଲା। ଡେପୁଟି କମିସନର(ରାଜସ୍ୱ) ୭ ଦିନ ମଧ୍ୟରେ ଜରିମାନା ରାଶି ଜମା କରିବାକୁ ପିସିଆରଏକୁ ନୋଟିସ ଜାରି କରିଥିଲେ। ଜରିମାନା ନ ଦେଲେ ଓଡ଼ିଶା ମ୍ୟୁନିସିପାଲ କର୍ପୋରେସନ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ ସ୍ପଷ୍ଟ କରାଯାଇଥିଲା। ଏପରି ନୋଟିସକୁ ଚାଲେଞ୍ଜ କରି ପିସିଆରଏ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ କୌଣସି ପ୍ରକାର ବିଜ୍ଞାପନ ଆଇନର ଉଲ୍ଲଘଂନ ହୋଇ ନାହିଁ ବୋଲି ପିସିଆରଏ ପକ୍ଷରୁ ଦର୍ଶାଯାଇଥିଲା।

ସମ୍ବନ୍ଧିତ ଖବର