ଏମ୍‌ସରେ ଖୋଲିଲା ବୃହତ୍ ଷ୍ଟେର୍‌ଲାଇଜ୍‌ ‌କେନ୍ଦ୍ର

ଖଣ୍ଡଗିରି: ଭୁବନେଶ୍ବର ଏମ୍‌ସରେ ଏକ ବୃହତ୍ ଓ ଅତ୍ୟାଧୁନିକ ଷ୍ଟେର୍‌ଲାଇଜ୍ ବିଭାଗ ସେଣ୍ଟ୍ରାଲ୍‌ ଷ୍ଟିରାଇଲ୍‌ ସର୍ଭିସ୍ ଡିପାଟର୍ମେଣ୍ଟ(ସିଏସ୍‌ଏସ୍‌ଡି)କୁ ସୋମବାର ଉଦ୍‌ଘାଟନ କରାଯାଇଛି। ୧୦ କୋଟି ଟଙ୍କା ବିନିଯୋଗରେ ୬୫୦୦ ବର୍ଗଫୁଟ୍‌ ବିଶିଷ୍ଟ ଏହି ବିଭାଗକୁ ସିଏଲ ମାଇକ୍ରୋମେଡ୍‌ ପ୍ରାଇଭେଟ୍ ଲିମିଟେଡ୍‌ କମ୍ପାନି ନିର୍ମାଣ କରିଛି। ଜର୍ମାନୀର ଟେକ୍‌ନିସିଆନ୍‌ମାନେ ଭୁବନେଶ୍ବର ଏମ୍‌ସର ଷ୍ଟେର୍‌ଲାଇଜ୍ ଟେକ୍ନିସିଆନ୍‌ମାନଙ୍କୁ ତାଲିମ୍ ପ୍ରଦାନ କରିଛନ୍ତି। ପ୍ରତିଦିନ ଅପରେସନ୍ ଥିଏଟର, ଆଇସିୟୁ ଓ ଓପିଡିରେ ବ୍ୟବହୃତ ହେଉଥିବା ଯନ୍ତ୍ରାଂଶ, ଉପକରଣ ଓ ଆନୁସଙ୍ଗିକ ପୋଷାକପତ୍ରକୁ ଏହି କେନ୍ଦ୍ରରେ ବିଶୋଧନ ବା ଜୀବାଣୁମୁକ୍ତ(ଷ୍ଟେର୍‌ଲାଇଜେସନ୍‌) କରାଯାଇପାରିବ। ତେବେ ୨୫ ମଡ୍ୟୁଲାର୍ ଓଟି ଓ ୧୧୨ ଆଇସିୟୁ ନିର୍ମାଣ ପଡ଼ିଛି ଅଧପନ୍ତରିଆ ହୋଇ। ଏମ୍‌ସ ପରିଚାଳନା କମିଟିର ସଭାପତି ପଦ୍ମଶ୍ରୀ ପ୍ରଫେସର ସୁବ୍ରତ ଆଚାର୍ଯ୍ୟ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହି କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ। ଏହି ଉତ୍ସବରେ ନିର୍ଦେଶିକା ପ୍ରଫେସର ଗୀତାଞ୍ଜଳି ବାତ୍ମାବା‌ନେ, ଏମ୍‌ସ ହସ୍ପିଟାଲ ଅଧୀକ୍ଷକ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି, ଉପନିର୍ଦେଶକ(ପ୍ରଶାସନ) ପ୍ରଦୀପ କୁମାର ରାୟ ଓ ଏହି ନୂତନ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡ. ଅଶୋକ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି କେନ୍ଦ୍ରର କ୍ଷମତା ଉପରେ ମତ ରଖି ଅଧୀକ୍ଷକ ପ୍ରଫେସର ମହାନ୍ତି କହିଥିଲେ ଯେ ଏକକାଳୀନ ୨୦୦ ଜଟିଳ ଅପରେସନ୍ ପାଇଁ ଆବଶ୍ୟକ ପଡ଼ୁଥିବା ସମସ୍ତ ଯନ୍ତ୍ରାଂଶ, ଉପକରଣ ଓ ପୋଷାକପତ୍ର ଆଦି ଏହି କେନ୍ଦ୍ର ଗୋଟିଏ ଦିନରେ ଯୋଗାଇ ପାରିବ। ଏହି ଅତ୍ୟାଧୁନିକ କେନ୍ଦ୍ରରେ ପ୍ଲାଜ୍‌ମା ଷ୍ଟେର୍‌ଲାଇଜ୍‌ର, ଇଟିଓ ଷ୍ଟେର୍‌ଲାଇଜର୍‌ ଏବଂ ଅଲ୍‌ଟ୍ରାସୋନିକ୍ କ୍ଲିନର୍ ଆଦି ରହିଛି। ତେଣୁ ଏଭଳି କେନ୍ଦ୍ର ପୂର୍ବାଞ୍ଚଳ ଭାରତର ପ୍ରାୟତଃ ଅନ୍ୟ କେଉଁଠି ନାହିଁ। କିନ୍ତୁ ଭୁବନେଶ୍ବର ଏମ୍‌ସ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଅନ୍ୟ ପ୍ରମୁଖ ହସ୍ପିଟାଲର ଷ୍ଟେର୍‌ଲାଇଜ୍ ଟେକ୍‌ନିସିଆନ୍‌ମାନଙ୍କୁ ଏଠାରେ ତାଲିମ୍ ପ୍ରଦାନ କରିବ। ଏଭଳି ଏକ ବୃହତ୍ କେନ୍ଦ୍ରର ଆବଶ୍ୟକତା ଉପରେ ମତ ଦେଇ ନିର୍ଦେଶିକା ପ୍ରଫେସର ବାତ୍ମାବାନେ କହିଲେ ଯେ ଆଗକୁ ୨୫ଟି ମଡ୍ୟୁଲାର୍ ଓଟି କାର୍ଯ୍ୟକ୍ଷମ ହେବାକୁ ଯାଉଛି। ତେଣୁ ପ୍ରତିଦିନ ଅଧିକରୁ ଅଧିକ ଅପରେସନ୍ କରାଯିବ। ଅଧିକ ଅପରେସନ୍ ପାଇଁ ଅଧିକ ଜୀବାଣୁମୁକ୍ତ ବା ବିଶୋଧନ ଯନ୍ତ୍ରପାତି, ଉପକରଣ ଓ ପୋଷାକପତ୍ର(ଗାଉନ୍, ବେଡ୍‌ କଭର ଆଦି) ଦରକାର ପଡ଼ିବ। ‌ତେବେ ମଡ୍ୟୁଲାର୍ ଓଟି ଓ ଆଇସିୟୁର ନିର୍ମାଣ କାମ ସରି ନଥିବା ସେ କହିଥିଲେ। ସୂଚନାଯୋଗ୍ୟ ଯେ ମାର୍ଚ୍ଚ ଶେଷ ସୁଦ୍ଧା ଏହି କାର୍ଯ୍ୟ ସରିବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ଏବେ ତାହା ମେ ମାସ ପର୍ଯ୍ୟନ୍ତ ଯାଇପାରେ ବୋଲି ସେ ସୂଚନା ଦେଇଥିଲେ। ଏବେ ଦୈନିକ ରୋଗୀ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏମିତିକି ଆଡ୍‌ମିସନ୍ ପରେ ବି ଅପରେସନ୍ ପାଇଁ ଡେଟ୍ ନ ପାଇ ବହୁ ରୋଗୀ ଏଠାରୁ ହତାଶ ହୋଇ ଫେରୁଛନ୍ତି। କିନ୍ତୁ ପରିତାପର କଥା ଅଧାପନ୍ତରିଆ ହୋଇ ପଡ଼ି ରହିଛି ମଡ୍ୟୁଲାର୍ ଓଟି।

ସମ୍ବନ୍ଧିତ ଖବର