ଏସ୍‌ଟିଏଫ୍‌ ପଞ୍ଝାରେ ଇଣ୍ଟର ଓସନ୍‌ ବିଦେଶ ଲିମିଟେଡ୍‌ ଏମ୍‌ଡି, ୫ କୋଟି ଟଙ୍କା ଠକେଇ ଅଭିଯୋଗରେ ଦିଲ୍ଲୀରୁ ଉଠାଇ ଆଣିଲା

ଭୁବନେଶ୍ବର: କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଆଜି ଆଉ ଏକ ଚିଟ୍‌ଫଣ୍ଡ କେଳେଙ୍କାରୀର ଉନ୍ମୋଚନ କରିଛି। ଚିଟଫଣ୍ଡ ସଂସ୍ଥା ଇଣ୍ଟର ଓସନ୍‌ ବିଦେଶ ଲିମଟେଡ୍‌ର ମୁଖ୍ୟ ତଥା ପରିଚାଳନା ନିର୍ଦେଶକ(ଏମ୍‌ଡି)ଙ୍କୁ ଦିଲ୍ଲୀରୁ ଉଠାଇ ଆଣିଛି। ସେ ହେଲେ, ରାଜକିଶୋର ରାୟ। ଘର ଜଗତସିଂହପୁର ଜିଲ୍ଲା ନୂଆଗାଁ ଥାନା ଅଧୀନ ଖଇରାଗଡ଼ରେ। ସେ ନୂଆଦିଲ୍ଲୀ ସଫଦରଜଙ୍ଗ ଥାନା ଅଧୀନ ୟୁସୁଫ ସରାଇ ଭିଲେଜରେ ରହୁଥି‌ଲେ। ତାଙ୍କ ବିରୋଧରେ ୫ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି। ଆଜି ତାଙ୍କୁ କଟକଠାରେ ଥିବା ସ୍ବତନ୍ତ୍ର କୋର୍ଟକୁ ଚାଲାଣ କରାଯାଇଛି।

ଇଓଡବ୍ଲୁ ଏସ୍‌ପି ଅବିନାଶ କୁମାରଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଏହି ଚିଟ୍‌ଫଣ୍ଡ ସଂସ୍ଥା ୨୦୧୩ ମସିହାରେ ଭୁବନେଶ୍ବର ସମେତ ରାଜ୍ୟ ବିଭିନ୍ନ ସ୍ଥାନରେ ଶାଖା ଖୋଲିଥିଲା। ଜମାକାରୀଙ୍କୁ ଅଧିକ ସୁଧ ଦେବାର ଲୋଭ ଦେଖାଇ ପାଖାପାଖି ୫ କୋଟି ଟଙ୍କା ବଜାରରୁ ସଂଗ୍ରହ କରିଥିଲା। ପରବର୍ତୀ ସମୟରେ ଚିଟ୍‌ଫଣ୍ଡ ସଂସ୍ଥାଗୁଡ଼ିକ ଉପରେ ଚଢ଼ଉ ପରେ ଏଥିରେ ତାଲା ଝୁଲିବା ସହ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଫେରାର୍‌ ହୋଇଯାଇଥିଲେ।
ଥମେ ତାଳଚେର ଅଞ୍ଚଳର ଲକ୍ଷ୍ମୀନାରାୟଣ ମହାପାତ୍ର ସ୍ଥାନୀୟ ଥାନାରେ ସଂସ୍ଥାର ଠକେଇ ଅଭିଯୋଗ କରିଥିଲେ। ପରବର୍ତୀ ସମୟରେ ଏହି ମାମଲା କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା। କ୍ରାଇମ ବ୍ରାଞ୍ଚ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ପ୍ରଥମେ ନିର୍ଦେଶକ ସୁନୀଲ ସାମଲଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ପରିଚାଳନା ନିର୍ଦ୍ଦେଶକ ରାଜକି‌ଶୋର ଗାଏବ ହୋଇଯାଇଥିଲେ। ପରବର୍ତୀ ସମୟରେ କ୍ରାଇମ ବ୍ରାଞ୍ଚର ଅଧିକାରୀମାନେ ଜାଣିବାକୁ ପାଇଥିଲେ, ରାଜକିଶୋର ଦିଲ୍ଲୀରେ ଲୁଚିଛନ୍ତି। କ୍ରାଇମ ବ୍ରାଞ୍ଚର ଗୋଟିଏ ଟିମ୍ ଦିଲ୍ଲୀ ଯାଇ ତାଙ୍କୁ ଗିରଫ କରିଥିଲା। ପରେ ଦକ୍ଷିଣ ଦିଲ୍ଲୀର ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ କୋର୍ଟରେ ରାଜକିଶୋରଙ୍କୁ ହାଜର କରାଯାଇଥିଲା। ଗତକାଲି ରାଜକିଶୋରଙ୍କୁ କ୍ରାଇମ ବ୍ରାଞ୍ଚ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଭୁବନେଶ୍ବର ଆଣିଥିଲା। ତାଙ୍କ ନିକଟରୁ କ୍ରାଇମ ବ୍ରାଞ୍ଚର ଅଧିକାରୀମାନେ ଲିଫଲେଟ, ବ୍ରୋଚର, ଲାପଟପ ଆଦି ଜବତ କରିଛନ୍ତି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର

Comments are closed.