ଭୁବନେଶ୍ୱର : ଖଣି ତଥା ଡ୍ରଗ୍ସ ମାଫିଆ ଶୁଭ୍ରାଂଶୁ ପରିଡ଼ା ଓରଫ ଛୋଟା ଠାରୁ ରିମାଣ୍ଡ କାଳରେ ମିଳିଥିବା ତଥ୍ୟକୁ ଆଧାର କରି ଚଢ଼ଉ ଜୋରଦାର କରିଛି ଏସ୍ଟିଏଫ୍। ଖୋର୍ଦ୍ଧା ସମେତ ଜବରଦସ୍ତପୁର, ବାଲିଅନ୍ତା, ବାଲିପାଟଣା ଓ ତାପଙ୍ଗର କେତେକ ଜାଗାରେ ଚଢ଼ଉ ହୋଇଛି। ସହଯୋଗୀ ଆତ୍ମଗୋପନ କରିଥିବା ବେଳେ ଛୋଟା ପଛରେ ଥିବା ‘ଲେଡି ଡନ୍’ ରାଜ୍ୟ ବାହାରକୁ ଫେରାର ହୋଇଯାଇଥିବା କୁହାଯାଉଛି। ଅନ୍ୟପଟେ ଛୋଟାର ଗାଡ଼ି ଚାଳକ ସମେତ ଅନ୍ୟ କେତେକ ସହଯୋଗୀଙ୍କୁ ଅଟକ ରଖିବା ଘଟଣାକୁ ବେଆଇନ ଦର୍ଶାଇ କୋର୍ଟରେ ଅଭିଯୋଗ ହେବା ପରେ ତଦନ୍ତକାରୀ ଅଧିକାରୀଙ୍କ ସମେତ ଏସ୍ପିଙ୍କ ନାମରେ କୋର୍ଟ ୱାରେଣ୍ଟ ଜାରି କରିଛନ୍ତି।
ଖୋଜାପଡ଼ିଛନ୍ତି ବିଦେଶୀ କୁକୁର: ଛୋଟା ବେଆଇନ ଭାବେ କରିଥିବା ଘରକୁ ନିକଟ ଅତୀତରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଉଚ୍ଛେଦ କରିଛି। ଏହି ଘରେ ପୂର୍ବରୁ କେତେକ ବିଦେଶୀ କୁକୁର ରହିଥିବା ବେଳେ ଉଚ୍ଛେଦ ପୂର୍ବରୁ କୁକୁରଙ୍କୁ କେହି ନେଇ ଯାଇଛି। ଏବେ ସେହି କୁକୁର ଖୋଜା ପଡ଼ିଛନ୍ତି। ଯେଉଁମାନେ କୁକୁର ନେଇଛନ୍ତି, ସେମାନେ ଛୋଟାର ସମ୍ପର୍କୀୟ ଏବଂ ବିଭିନ୍ନ କାମରେ ତାକୁ ସହଯୋଗ କରିଛନ୍ତି। ଏଣୁ ଏସ୍ଟିଏଫ୍ ଏବେ କୁକୁର ଉପରେ ନଜର ପକାଇଛି।
ବେଆଇନ ଘର ଉପରେ ନଜର: ଜବରଦସ୍ତପୁରରେ ଛୋଟାର ବେଆଇନ ଘର ଭଙ୍ଗାଯିବା ପରେ ଏବେ ଆଉ କେତେକ ଘର ଉପରେ ଏସ୍ଟିଏଫ୍ ନଜର ପକାଇଛି। ଉଚ୍ଛେଦ ହୋଇଥିବା ଘର ପାଖରେ ଆଉ କେତେକ ବେଆଇନ ଘର ରହିଛି। କେତେକ ଅର୍ଧନିର୍ମିତ ହୋଇଥିବା ବେଳେ କେତେକ ସମ୍ପୂର୍ଣ୍ଣ ହୋଇଛି। ହେଲେ ଛୋଟା ଗିରଫ ପରେ ସେଠାରେ କେହି ରହିବାକୁ ଆସୁନାହାନ୍ତି। ଏହି ଘରଗୁଡ଼ିକ ଛୋଟା ତିଆରି କରି ସହଯୋଗୀମାନଙ୍କୁ ଯୋଗାଇଥିବା କୁହାଯାଉଛି। ପ୍ରମାଣିତ ହେଲେ ଏଗୁଡ଼ିକ ଭଙ୍ଗାଯିବ ବୋଲି ଜଣାପଡ଼ିଛି।
ସ୍ପିଡ୍ ବାଇକ୍ ଉଭାନ୍: ୩୦ରୁ ଊର୍ଦ୍ଧ୍ବ ଯୁବକଙ୍କୁ ସ୍ପିଡ୍ ବାଇକ୍ ଯୋଗାଇ ଛୋଟା ନିଶା ବେପାର କରାଉଥିଲା। ଏହି ଯୁବକମାନେ ଗ୍ରାହକଙ୍କୁ ନିଶାଦ୍ରବ୍ୟ ଯୋଗାଇବା ସହ ଛୋଟାର ବିଭିନ୍ନ ନିର୍ଦ୍ଦେଶ ପାଳନ କରୁଥିଲେ। ଏବେ ଯୁବକମାନେ ଫେରାର ହୋଇଯାଇଥିବା ବେଳେ ବାଇକ୍ ସବୁ ଉଭାନ୍ ହୋଇଯାଇଛି। ଛୋଟା ସହ ସମ୍ପର୍କରେ ନଥାଇ ଯେଉଁମାନେ ସ୍ପିଡ୍ ବାଇକ୍ ବ୍ୟବହାର କରୁଥିଲେ ସେମାନେ ମଧ୍ୟ ଭୟଭୀତ ହୋଇଛନ୍ତି।
ତଦନ୍ତରେ ବାଧା: ଛୋଟା ଲିଙ୍କ୍ରେ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ପଦାରେ ପଡ଼ିବାକୁ ଯାଉଛନ୍ତି। ଏଣୁ ସେମାନେ ପରଦା ପଛରେ ରହି ତଦନ୍ତରେ ବାଧା ଉପୁଜାଇବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି। ମିଥ୍ୟା ଅଭିଯୋଗ କରିବା ସହ ଏସ୍ଟିଏଫ୍କୁ ବିବାଦକୁ ଟାଣିବା ପାଇଁ ଯୋଜନା କରୁଛନ୍ତି। ଚଢ଼ଉ ବେଳେ ଅଫିସରଙ୍କୁ ଘଟଣାସ୍ଥଳରେ ମଧ୍ୟ ପ୍ରବଳ ବିରୋଧ ହେଉଛି। ବିଭିନ୍ନ ସ୍ତରରୁ ଅଭିଯୁକ୍ତଙ୍କୁ ସୁରକ୍ଷା ମିଳୁଥିବା ଜଣାପଡ଼ିଛି।