ଦାଣ୍ଡ ମହାସୁଲ ବନ୍ଦ ପାଇଁ ଲିଙ୍ଗରାଜଙ୍କ ସମ୍ପତ୍ତି ଫେରାଇବେ ପ୍ରସ୍ତରଶିଳ୍ପୀ

ପୁରୁଣା ଭୁବନେଶ୍ୱର : ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରସ୍ତରଶିଳ୍ପୀ ସ୍ୱର୍ଗତ ଲାଲମୋହନ ମହାରଣାଙ୍କ ପୁତ୍ର ଶିଳ୍ପୀ ଦିଲ୍ଲୀପ କୁମାର ମହାରଣା ତାଙ୍କ ସମ୍ପତ୍ତି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କୁ ଦେବାକୁ ଆଜି ଲିଖିତ ଭାବେ ଜଣାଇଛନ୍ତି। ଦାଣ୍ଡ ମହାସୁଲ ବନ୍ଦ କରି ଏହି ଜମି ବିକ୍ରି ଟଙ୍କା ମନ୍ଦିର କାମରେ ଲଗାଇବାକୁ ସେ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ସରକାରୀ ଅନୁଦାନ ମିଳୁନି। ଏଣୁ ମନ୍ଦିର ପରିଚଳନା ପାଇଁ ମହାସୁଲ ଆଦାୟ କରାଯାଉଛି। ଏହି ମହାସୁଲ ଯୋଗୁଁ ବହୁ ଗରିବ ଲୋକ ଜୁଲମର ଶିକାର ହେଉଛନ୍ତି। ତେବେ ଏହାର ନିରାକରଣ ପାଇଁ ଆମେ ରଖିଥିବା ଶ୍ରୀଲିଙ୍ଗରାଜଙ୍କ ସମ୍ପତ୍ତିକୁ ପ୍ରଶାସନକୁ ଦେବାକୁ ଚାହୁଛୁ। ସରକାର ଏହାକୁ ବିକ୍ରି କରି ମନ୍ଦିର ପରିଚଳନାରେ ଲଗାନ୍ତୁ।

ଦିଲ୍ଲୀପଙ୍କ ସୂଚନା ଅନୁଯାୟୀ, ଭାରତୀ ଗୋସ୍ୱାମୀ ଶ୍ରୀଲିଙ୍ଗରାଜଙ୍କ ସେବା ପୂଜା ପାଇଁ ଉକ୍ତ ଜମିକୁ ମନ୍ଦିର ଟ୍ରଷ୍ଟ ବୋର୍ଡରୁ ନେଇଥିଲେ। ଗୋସ୍ୱାମୀ ୧୯୭୧ ମସିହାରେ ଉକ୍ତ ଜମିକୁ ଧୋବେଇ ରାଉତଙ୍କ ପତ୍ନୀ ସୁଲୋଚନା ଦେଇଙ୍କୁ ବିକ୍ରି କରିଥିଲେ। ପରେ ୧୯୮୧ ମସିହାରେ ମୋ ବାପା ଲାଲମୋହନ ମହାରଣାଙ୍କୁ ବିକ୍ରି କରିଥିଲେ। ଏବେ ଏହି ଜମି ଆମ ଦଖଲରେ ଅଛି। ଭୁବନେଶ୍ୱର ୟୁନିଟ୍‌-୨୭ ମୌଜା ଅନ୍ତର୍ଗତ, ପ୍ଲଟ ନଂ ୧୧୭୫ର ଏରିଆ ୧୨୨ ଡିସିମିଲର ଏହି ଜମି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କର। ଏହି ଜମିର ବଜାର ଦର ୧ କୋଟିରୁ ଊର୍ଧ୍ୱ ଟଙ୍କା ହେବ। ଏଣୁ ଦାଣ୍ଡ ମହାସୁଲ ଆଦାୟ ବଦଳରେ ଏହାକୁ ପ୍ରଶାସନ ନେଇ ଠାକୁରଙ୍କ କାର୍ଯ୍ୟରେ ଲଗାଇବା ପାଇଁ ପ୍ରସ୍ତରଶିଳ୍ପୀ ଶ୍ରୀ ମହାରଣା ଅନୁରୋଧ କରିଛନ୍ତି। ଯଦି ଏହା କରା ନଯାଏ କିମ୍ବା ଟଙ୍କା କାରବାର ହୋଇ ଅନ୍ୟ କିଛି କରାଯାଏ, ତେବେ ସେ ମନ୍ଦିର କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି କହିଛନ୍ତି। ଏନେଇ ଦିଲ୍ଲୀପଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କିଛି ମତାମତ ମିଳି ପାରି ନଥିଲା। ଏନେଇ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି, ଏ ସଂପର୍କରେ ମନ୍ଦିର ଟ୍ରଷ୍ଟ ବୋର୍ଡରେ ଆଲୋଚନା ହେବ।

ସମ୍ବନ୍ଧିତ ଖବର