ଅପାରଗତା ଲୁଚାଇବାକୁ ଘର ନିର୍ମାଣରେ ରୋକ୍‌

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ସ୍ଥାନରେ ଦେଖାଯାଉଥିବା ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ଆଜି ବିଡିଏ ପକ୍ଷରୁ ସମସ୍ତ ପରିବେଶ ସମ୍ବେଦନଶୀଳ ଅଞ୍ଚଳର ନିର୍ମାଣ କାର୍ଯ୍ୟ ଉପରେ ରୋକ୍‌ ଲାଗିଛି। ଏହି ଅଞ୍ଚଳରେ ବିଡିଏ ଛୋଟ ପ୍ଲଟ୍‌ରେ ଘର କରିବାକୁ ଅନୁମତି ଦେଉ ନଥିବାବେଳେ କେବଳ ବିଲଡର୍‌ ଏବଂ ରିଅଲ ଇଷ୍ଟେଟ୍‌ ଡେଭଲପର୍ସଙ୍କୁ ଅନୁମତି ଦେଉଥିଲା। ପ୍ଲାନ୍‌ ଅନୁମୋଦନ ସତ୍ତ୍ୱେ ବର୍ତ୍ତମାନ ପରିସ୍ଥିତିରେ କୌଣସି ନିର୍ମାଣ କାର୍ଯ୍ୟ ନ କରିବାକୁ କୁହାଯାଇଛି। ଯେଉଁଠି ଏକ ଏକର ବା ତା’ଠାରୁ ଅଧିକ ଅଞ୍ଚଳରେ କୌଣସି ନିର୍ମାଣ କାର୍ଯ୍ୟ ହେଉଥିବ ତାହାର ପ୍ରକଳ୍ପ ରିପୋର୍ଟର ସମୀକ୍ଷା ପରେ ହିଁ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ ବୋଲି କୁହାଯାଇଛି। ହେଲେ ବିଡିଏର ଏହି ନିୟମ କେବଳ ଧୂଆଁ ବାଣ ବୋଲି କୁହାଯାଇଛି। ବିଡିଏର ଅପାରଗତା ଯୋଗୁଁ ଏବେ ପରିବେଶ ସମ୍ବେଦନଶୀଳ ଅଞ୍ଚଳରେ ହଜାର ହଜାର ଘର ନିର୍ମାଣ ହୋଇଥିବାବେଳେ କୌଣସି ସ୍ଥାନରେ ଜଳ ନିଷ୍କାସନ କି ଡ୍ରେନେଜ୍‌ ବ୍ୟବସ୍ଥା ନାହିଁ। ଏହି ସମସ୍ୟାର ସମାଧାନ ନକରି ବିଡିଏ ପକ୍ଷରୁ ରିଅଲ ଇଷ୍ଟେଟ୍‌ ଓ ବିଲଡର୍ସଙ୍କ ପ୍ରକଳ୍ପ ଉପରେ ରୋକ୍‌ ଲଗାଇବା ନିଷ୍ପତ୍ତି ଅନ୍ଧାରରେ ବାଡ଼ି ବୁଲାଇବା ସଦୃଶ୍ୟ ହୋଇଛି।

ହଜାର ହଜାର ଘର ନିର୍ମାଣ ହେବା ପରେ ବିଡିଏର ନିଦ ଭାଙ୍ଗୁଛି
ଏବେ ୨୩% ଜମିରେ ଘର କରିବାକୁ ଅନୁମତି ମିଳୁନି
୧୬୫୭ ହେକ୍ଟର ପରିବେଶ ସମ୍ବେଦନଶୀଳ ଅଞ୍ଚଳ

ସୂଚନାଯୋଗ୍ୟ ଯେ, ରାଜଧାନୀରେ ଜମି ଦର ହୁ ହୁ ହୋଇ ବଢ଼ି ଚାଲିଥିବାବେଳେ ଏଠାରେ ଘର କରି ରହିବା ଲୋକଙ୍କ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବଢ଼ି ଚାଲିଛି। କିନ୍ତୁ ବିଡିଏ ୨୩ପ୍ରତିଶତ ଜମିରେ ଘର ନିର୍ମାଣ ଉପରେ ରୋକ୍‌ ଲଗାଇଛି। ବିଡିଏ ଅନୁମତି ନ ଥିବାରୁ ଲୋକଙ୍କୁ ବ୍ୟାଙ୍କରୁ ଋଣ ମିଳୁନି। ଫଳରେ ବେଆଇନ ନିର୍ମାଣ ବଢ଼ିବାରେ ଲାଗିଛି। ଏପରିକି ରାଜଧାନୀର ବହୁ ପ୍ରମୁଖ ସ୍ଥାନରେ ହଜାର ହଜାର ଏକର ଜମି ପଡ଼ିଆ ପଡ଼ିଛି ନଚେତ୍‌ ବେଆଇନ ନିର୍ମାଣ ହେଉଛି। ବେଆଇନ ନିର୍ମାଣ ହେଉଥିବାରୁ ଏହି ଅଞ୍ଚଳରେ ପରବର୍ତ୍ତୀ ସମୟରେ ବିଡିଏ ଯେକୌଣସି ଯୋଜନା କଲେ ତାହା ଫେଲ୍‌ ମାରିବ। ବିଡିଏ କିନ୍ତୁ ଯୋଜନା କରିଛି ଭବିଷ୍ୟତରେ ଟିପି ସ୍କିମ୍‌ରେ ଏହି ଅଞ୍ଚଳରେ ଉନ୍ନତି କରି ଲୋକଙ୍କୁ ଘର କରିବାକୁ ଅନୁମତି ଦିଆଯିବ। ବିଡିଏର ତଥ୍ୟ ଅନୁଯାୟୀ, ଏବେ ରାଜଧାନୀରେ ଯେତିକି ଜମି ଅଛି ସେଥିରୁ ୨୩ ପ୍ରତିଶତ ଜମିରେ ଘର କରିବାକୁ ଅନୁମତି ମିଳୁନି। ଏଥିରେ ୩.୯୫ ପ୍ରତିଶତ ଅଞ୍ଚଳ ପରିବେଶ ସମ୍ବେଦନଶୀଳ ଜୋନ୍‌ (୧୬୫୭ହେକ୍ଟର), ୫.୩୧ପ୍ରତିଶତ ଲୁପ୍ତ ପ୍ରାୟ ଜଳାଶୟ ଅଞ୍ଚଳ (୨୨୨୭ ହେକ୍ଟର), ୧୩.୧୬ ପ୍ରତିଶତ କୃଷି ଓ ଜଙ୍ଗଲ କିସମର ଅଞ୍ଚଳ (୫୫୫୬ ହେକ୍ଟର)। ତେଣୁ ଏହି ଜମିରେ ସାଧାରଣ ଲୋକଙ୍କୁ ଘର କରିବାକୁ ଅନୁମତି ଦିଆଯାଉନି ବୋଲି ବିଡିଏ ପକ୍ଷରୁ କୁହାଯାଉଛି। ଏନେଇ ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଆମେ ଯଦି ଏହି ଅଞ୍ଚଳରେ ଛୋଟ ଘର ନିର୍ମାଣ କରିବାକୁ ଅନୁମତି ଦେବୁ ତେବେ ପରବର୍ତ୍ତୀ ସମୟରେ କିଛି ଅସୁବିଧା ହେଲେ କି ପାଣି ଜମିଲେ ଲୋକ ଆମକୁ ଦାୟୀ କରିବେ। ତେଣୁ ବ୍ୟବସାୟିକ ପ୍ରତିଷ୍ଠାନ, ବଡ଼ ଆପାର୍ଟମେଣ୍ଟ କରିବାକୁ ଆମେ ଅନୁମତି ଦେଉଛୁ। ସେମାନେ ବଡ଼ ଡ୍ରେନ୍‌ ଓ ଜଳ ନିଷ୍କାସନ ବ୍ୟବସ୍ଥା କରିବା ପରେ ସାଧାରଣ ଲୋକଙ୍କ କଥା ଚିନ୍ତା କରାଯିବ।

ଏହିସବୁ ଅଞ୍ଚଳରେ ଜମି କିଣିଥିବା ଲୋକ ବିଡିଏରୁ ପ୍ଲାନ୍‌ ଅନୁମୋଦନ ନକରି ଘର କରି ଚାଲିଛନ୍ତି। କର୍ତ୍ତୃପକ୍ଷ ବି ଏହା ଜାଣିଛନ୍ତି। କିନ୍ତୁ କେତେକ ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବରୁ କୌଣସି ପରିବେଶ ସମ୍ବେଦନଶୀଳ ଅଞ୍ଚଳ ବା ଘର ବାଡ଼ି କିସମର ଜମି ଅଞ୍ଚଳରେ ଡ୍ରେନ୍‌ ନିର୍ମାଣ କରାଗଲାନି। ଯାହା ଫଳ ଏବେ ହଜାର ହଜାର ଲୋକ ଭୋଗୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବିଡିଏ କୁଆଖାଇ ନଦୀ ବନ୍ଧକୁ ଲାଗି ଥିବା ଲିଙ୍ଗିପୁରରୁ କେଶୁରା ପର୍ଯ୍ୟନ୍ତ ଅଞ୍ଚଳରେ ଘର କରିବାକୁ ଅନୁମତି ଦେଉନି। ଏପଟେ କୋରଡ଼କଣ୍ଟାରୁ ପାଣ୍ଡରା ନିକଟସ୍ଥ ଜାତୀୟ ରାଜପଥ ପର୍ଯ୍ୟନ୍ତ ଅଞ୍ଚଳରେ ଘର କରିବାକୁ ଅନୁମତି ଦେଉନି। ଏହାକୁ ପରିବେଶ ସମ୍ବେଦନଶଳୀ ଅଞ୍ଚଳ କହି ଛୋଟ ପ୍ଲଟ୍‌ରେ ଘର କରିବାକୁ ଅନୁମତି ଦିଆଯାଉନି। କିନ୍ତୁ ଏହି ଅଞ୍ଚଳରେ ଥିବା ‘କେଶୁରା’ ଅଞ୍ଚଳରେ ଚଞ୍ଚକତା କରି ଘର କରିବାକୁ ଅନୁମତି ଦିଆଯାଉଛି। ବିଡିଏ ଆବଶ୍ୟକୀୟ ପ୍ଲାନ୍‌, ଡ୍ରେନେଜ୍‌ ବ୍ୟବସ୍ଥା ନକରି ଘର କରିବାକୁ ଅନୁମତି ପ୍ରଥମେ ଦେବା ପରେ ଏବେ ଅନ୍ୟମାନଙ୍କ ଘର ନିର୍ମାଣ ଉପରେ ରୋକ୍‌ ଲଗାଇଥିବାରୁ ଏହାକୁ ଜମି କ୍ରେତାମାନେ ନମାନି ମନଇଚ୍ଛା ଘର କରିଚାଲିଛନ୍ତି।

ସମ୍ବନ୍ଧିତ ଖବର