‘ମଦ୍ରାସା ବିରୋଧରେ ଅପପ୍ରଚାର ବନ୍ଦ ‌ହେଉ’

ଭୁବନେଶ୍ବର: ଇସଲାମ ଧର୍ମରେ‌ ମଦ୍ରାସା ହେଉଛି ଏପରି ଏକ ଶିକ୍ଷାନୁଷ୍ଠାନ ଯେଉଁଠାରେ ପିଲାମାନଙ୍କୁ ଅହିଂସା, ସହିଷ୍ଣୁତା, ଭ୍ରାତୃଭାବ ଏବଂ ସର୍ବୋପରି ମାନବିକତା ସଂପର୍କରେ ତାଲିମ ଦିଆଯାଏ। ଏହା ହିଁ ହେଉଛି ଇସଲାମ ଧର୍ମର ମୂଳତତ୍ବ। ଏଥିରେ ହିଂସାର କୌଣସି ସ୍ଥାନ ନାହିଁ। ଦେଶ ପାଇଁ ନିଜକୁ କିପରି ଉତ୍ସର୍ଗୀକୃତ କରାଯାଏ ତାହାର ପ୍ରମାଣ ହେଉଛି ଏହି ମଦ୍ରାସା। ଏହି ଶିକ୍ଷାନୁଷ୍ଠାନରୁ ସୃଷ୍ଟି ହୋଇଥିବା ଧର୍ମଗୁରୁମାନେ ଭାରତୀୟ ସ୍ବାଧୀନତା ସଂଗ୍ରାମରେ ସକ୍ରିୟ ଥିଲେ। ସେମାନଙ୍କ ମଧ୍ୟରୁ ୫୪ ହଜାରରୁ ଅଧିକ ଧର୍ମଗୁରୁ ଏହି ମହାନ ସଂଗ୍ରାମରେ ସହିଦ ହୋଇଥିଲେ। କିନ୍ତୁ ଆଜି ଏଭଳି ଶିକ୍ଷାନୁଷ୍ଠାନକୁ ବଦନାମ କରିବା ଲାଗି ଅପପ୍ରଚାର କରାଯାଉଛି। ଏଭଳି ଅପପ୍ରଚାର ବନ୍ଦ ହେଉ। ଗତ ୨୨ ତାରିଖରେ ଖୋର୍ଧା ଜିଲ୍ଲା ବୋଲଗଡ଼ ଅରଖପଲିର ଇଚ୍ଛାପୁରସ୍ଥିତ ମଦ୍ରାସା ନୁରୁଲ ଓଲୁମ ହୁସେନିଆ ପକ୍ଷରୁ ଅନୁଷ୍ଠିତ ଦସ୍ତାରବନ୍ଦି ଓ ଧର୍ମସଭା‌ରେ ଏପରି ମତ ପ୍ରକାଶ କରିଛନ୍ତି ପ୍ରମୁଖ ଧର୍ମଗୁରୁମାନେ। ସେମାନେ କହିଛନ୍ତି ଯେ ମଦ୍ରାସା ଭଳି ଶିକ୍ଷାନୁଷ୍ଠାନର ଦେଶଭକ୍ତି ଉପରେ ପ୍ରଶ୍ନ କରାଯିବା ଠିକ୍ ନୁହେଁ। ମଦ୍ରାସା ସହ ଆତଙ୍କବାଦକୁ ଯୋଡ଼ା ଯାଉଥିବାରୁ ଏହାକୁ ନାପସନ୍ଦ କରି ସେମାନେ କହିଛନ୍ତି ଯେ ଇସଲାମ ଧର୍ମରେ ହିଂସା ଓ ଆତଙ୍କବାଦର କୌଣସି ସ୍ଥାନ ନାହିଁ। ଆତଙ୍କବାଦୀ ହେଉଛନ୍ତି ଇସଲାମର ଶତ୍ରୁ। ହଜରତ ମୌଲାନା ମହମ୍ମଦ ନୁରୁଲ୍ଲା କାସମୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଧର୍ମସଭାରେ ହଜରତ ମୌଲାନା ଅର୍ସଦ ମୀର, ହଜରତ ମୌଲାନା ମହମ୍ମଦ ହମିଦୁଲ୍ଲା, ମୌଲାନା ନକିବୁଲ ଅମିନ ବରକୀ, ମୁଫତି ଫହମିଦ୍, ମୌଲାନା ଐନୁଲ ହକ୍, ମୌଲାନା ସ୍ବାଲେହୁଜ ଜମାଁ ଏବଂ ସୁଫି ଲିଆକତ ସାହେବ ମଦ୍ରାସୀଙ୍କ ସମେତ ଅନେକ ମୌଲାନା ଉପସ୍ଥିତ ଥିଲେ। ଏହି ଅବସରରେ ମଦ୍ରାସା ଛାତ୍ରମାନଙ୍କୁ ସ୍ବୀକୃତିପତ୍ର ପ୍ରଦାନ କରାଯାଇଥିଲା। ଏହାପୂର୍ବରୁ ମଦ୍ରାସା ପରିସରରେ ଏକ ସଦ୍‌ଭାବନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କୃଷ୍ଣମୋହନ ପାଲଟାସିଂହ, ରବୀନ୍ଦ୍ର କୁମାର ପରିଡ଼ା ଓ ଗୁଲାମ ନବୀଙ୍କ ସମେତ ଅନେକ ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଓଡ଼ିଶା ହେଉଛି ଶାନ୍ତି, ସଦଭାବନା ଓ ଭାଇଚାରାର ଦୁର୍ଗ ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

ସମ୍ବନ୍ଧିତ ଖବର