‘ଜୀବନୋତ୍ସବ’ ଟଙ୍କା, ଦଲାଲ ଓ ଦାଦନ ଦୁଃଖର କାହାଣୀ

ଭୁବନେଶ୍ୱର: ମାସକୁ ୧୫ହଜାର ଟଙ୍କା ମିଳିବ। ଏଭଳି ଲୋଭ ଦେଖାଇଥିଲା ଦଲାଲ। ଏତେ ଟଙ୍କା ପାଇବା ଆଶାରେ ତିରୁପତି ଚାଲି ଯାଇଥିଲେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଲରମ୍ଭା ଗାଁର ଚୁଲା ସିକ୍କା, ସ୍ତ୍ରୀ ପ୍ରେମଲତା ଓ ତାଙ୍କ ଛୋଟ ଝିଅ। ସର୍ଦ୍ଦାର ଦୁହିଁଙ୍କୁ ଅଗ୍ରୀମ ୧୫ଶହ ଟଙ୍କା ଦେଇ ତିରୁପତି ଷ୍ଟେସନ୍‌ରେ ମାଲିକ ହାତରେ ଛାଡ଼ି ଦେଇଥିଲା। ବାସ୍‌ ଏହାପରେ ଆରମ୍ଭ ହୋଇଯାଇଥିଲା ପ୍ରକୃତ ନିର୍ଯାତନା। ସପ୍ତାହକୁ ଶହେ ଟଙ୍କା ହିସାବରେ ୩ଶହ ଟଙ୍କା ଦିଆଯାଉଥିଲା। ସେଥିରେ ସବୁକିଛି। ଆଉ ଟଙ୍କା ମାଗିଲେ ଲୋକ ଲଗାଇ ମାଡ଼ ମାରୁଥିଲା ମାଲିକ। ଚୁଲାଙ୍କ ପାଖରେ ଥିବା ମୋବାଇଲ ମଧ୍ୟ ମାଲିକ ନେଇ ଯାଇଥିଲା। ଭୋର୍‌ ୪ଟାରୁ ରାତି ୮/୯ଟା ପର୍ଯ୍ୟନ୍ତ ଭାଟିରେ କାମ ଚାଲୁଥିଲା। ଦିନ ୧ଟାରେ ଅଧଘଣ୍ଟା ଖାଇବା ପାଇଁ ମିଳୁଥିଲା। ୪/୫ମାସ କାମ କରିବା ପରେ ପ୍ରାପ୍ୟ ଟଙ୍କା ତ ମିଳିଲାନି, ମିଳିଲା କେବଳ ମାଡ଼। ନିର୍ଯାତନା ସହିବା ପରେ ଲୁଚାଇ ରଖିଥିବା ମୋବାଇଲରୁ ନିଜ ଗାଁକୁ ଫୋନ୍‌ କରିବା ପରେ ଦୁହିଁଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଚୁଲା ଓ ପ୍ରେମଲତାଙ୍କୁ ଦୁର୍ଦ୍ଦିନ ଭିତରକୁ ଠେଲି ଦେଇଥିବା ଦଲାଲର ପତ୍ତା ମିଳୁନି। ପରେ ସରକାରଙ୍କ ପକ୍ଷରୁ ଥଇଥାନ ଯୋଜନାରେ ଦୁହିଁଙ୍କୁ ୧୯ହଜାର ଟଙ୍କା ଲେଖାଏଁ ଦିଆଯାଇଥିବା ଦୁହେଁ କହିଛନ୍ତି। ୨୦୧୩ ମସିହାର ଏହି କରୁଣ କାହାଣୀ ବଖାଣିଲା ବେଳକୁ ଦୁହିଁଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇଯାଉଥିଲା।

ଅନ୍ୟ ଜଣେ ଦାଦନ ଅଶୋକ ମୁନ୍ନା ନିଜର ଦୁଃଖ କାହାଣୀ ସମସ୍ତଙ୍କ ଆଗରେ ବାଣ୍ଟିଥିଲେ। ମୁନ୍ନା ନିଜର ପରିବାରକୁ ଇଟା ଭାଟି ମାଲିକଠାରୁ ମୁକୁଳାଇବା ପାଇଁ ଗୋଟିଏ କିଡ୍‌ନି ବିକ୍ରି କରିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ। ଏପରିକି ଏଥିପାଇଁ ରକ୍ତ ପରୀକ୍ଷା ମଧ୍ୟ ସରିଥିଲା। ଗାଁରେ ଥିବା ବାପାମା’ଙ୍କୁ ଏ ବିଷୟରେ ଜଣାଇଥିଲେ। ତେବେ ପରବର୍ତୀ ସମୟରେ ଶ୍ରମ କାର୍ଯ୍ୟାଳୟ ସହାୟତାରେ ତାଙ୍କ ପରିବାରକୁ ଉଦ୍ଧାର କରାଯାଇଥିଲା। କଣ୍ଟାବାଞ୍ଝିର ମହେନ୍ଦ୍ର ନାଥ। ଧାନ ଓ କପା ଚାଷରେ ବିଫଳ ହେବା ପରେ ୨୦୧୫ ମସିହାରେ ଦାଦନ ଖଟିବାକୁ ଚେନ୍ନାଇ ଚାଲି ଯାଇଥିଲେ। ସେଠାରେ ମଧ୍ୟ ସମାନ ଢଙ୍ଗରେ ନିର୍ଯାତନା ସହିବାକୁ ପଡ଼ିଥିଲା ମହେନ୍ଦ୍ରଙ୍କୁ। ଟଙ୍କା ଠିକ୍‌ରେ ମିଳି ନ ଥିଲା। ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା। କେବଳ ଏହି ୩ଜଣ ନୁହନ୍ତି, ସେମାନଙ୍କ ଭଳି ଶହ ଶହ ଦାଦନ ଶ୍ରମିକଙ୍କ ଏହା ହେଉଛି ଜୀବନ ସଂଘର୍ଷର କାହାଣୀ। ଆଜି ଇଣ୍ଟରନ୍ୟାସନାଲ ଜଷ୍ଟିସ୍‌ ମିସନ୍‌ ବା ଆଇଜେଏମ୍‌ ପକ୍ଷରୁ ପ୍ରେସ୍‌ କ୍ଲବ୍‌ ଓଡ଼ିଶାରେ ଆୟୋଜିତ ହୋଇଥିଲା ‘ଜୀବନୋତ୍ସବ’। ୨୦୦୧ ମସିହାରୁ ଆଇଜେଏମ୍‌ ସ୍ଥାନୀୟ ଓ ରାଜ୍ୟ ଅଧିକାରୀଙ୍କ ସହାୟତାରେ ୧୭ ହଜାର ୪୧୦ ଜଣ ଦାଦନ ଶ୍ରମିକଙ୍କୁ ମୁକୁଳାଇବା ସହିତ ପୁନର୍ବାସ କରିବାରେ ସହାୟତା କରିଛି। ବିଭିନ୍ନ ରାଜ୍ୟରୁ ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରୁ ଓଡ଼ିଆ ଶ୍ରମିକଙ୍କ ସଂଖ୍ୟା ହେଉଛି ୫ ହଜାର। ପ୍ରାୟ ସମସ୍ତ ପୀଡ଼ିତଙ୍କ ନିକଟରେ ସଚେତନତାର ଅଭାବ ରହିଛି। ସେମାନଙ୍କୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସୁବିଧା ସୁଯୋଗ ବିଷୟରେ ଜଣାନାହିଁ। ଚଳିତବର୍ଷ ସଂସଦରେ ଟ୍ରାଫିକିଂ ଅଫ ପର୍ସନାଲ ବିଲ୍‌-୨୦୧୮ ଆସିଥିଲେ ହେଁ ଏବେ ସୁଦ୍ଧା ଅନେକ ଶ୍ରମିକ ଦେଶ ବାହାରେ ସହାୟତା ଅପେକ୍ଷାରେ ରହିଛନ୍ତି। ଦାଦନ ସମସ୍ୟାକୁ ନେଇ ଗଣମାଧ୍ୟମରେ ଅନେକ କାହାଣୀ ପ୍ରକାଶ ପାଉଛି। ଏହା ଏକ ଗୁରୁତ୍ୱର ସମସ୍ୟା ବୋଲି ଗଣମାଧ୍ୟମ ଜରିଆରେ ସରକାରଙ୍କ ଦୃଷ୍ଟିକୁ ଆସିଛି। ଦାଦନ ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଅନେକ ଆଇନ ରହିଛି। ଦାଦନ ଶମ୍ରିକଙ୍କୁ ଏବେ ଖବରକାଗଜର ସଂପାଦକମାନେ ଏକ ସ୍ୱତନ୍ତ୍ର ପୃଷ୍ଠା କିମ୍ବା ନ୍ୟୁଜ୍‌ ଚ୍ୟାନେଲରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରିବାର ସମୟ ଆସିଛି। ଏହାସହ ହେଲ୍‌ପ ଲାଇନ ନମ୍ବର କିମ୍ବା ହ୍ଵାଟସଆପ୍‌ ଗ୍ରୁପ୍‌ ଜରିଆରେ ମଧ୍ୟ ରାଜ୍ୟ ବାହାରକୁ ଯାଉଥିବା ଶ୍ରମିକଙ୍କୁ ସହାୟତା ଦିଆଯାଇ ପାରିବ ବୋଲି ମତ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମରେ ଆଇଜେଏମ୍‌ର ରାଜ୍ୟ ନିର୍ଦେଶକ ନେନୁ ଥୋମାସ୍‌, ଦିଲ୍ଲୀପ ଦାସ, ନିଥାନିୟାଲ ନାଗ, ସମୀରା ମନଓ୍ଵର ଓ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର