ନିଟ୍‌ ପାଇଁ କଡ଼ାକଡ଼ି ଯାଞ୍ଚ

0 11

ଭୁବନେଶ୍ୱର: ନିଟ୍‌ ଲାଗି ଆଜି ରାଜଧାନୀର ସମସ୍ତ ପରୀକ୍ଷା କେନ୍ଦ୍ରରେ କଡ଼ାକଡ଼ି ଯାଞ୍ଚ ହୋଇଥିଲା। ପ୍ରତି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉପରେ ନଜର ରଖିଥିଲା କ୍ୟାମେରା। ପରୀକ୍ଷାର୍ଥୀଙ୍କ ଡ୍ରେସ୍‌କୋଡ୍‌ରେ ଯଦି କିଛି ତ୍ରୁଟି ପରିଲକ୍ଷିତ ହେଉଥିଲା, ତାହାକୁ ବଦଳାଇବାକୁ କୁହାଯାଉଥିଲା। ପୂର୍ବାହ୍ନ ୧୦ଟାରେ ପରୀକ୍ଷା ଥିବା ବେଳେ ସକାଳ ୭ଟାରୁ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଲାଗିଥିଲା ଲମ୍ବା ଲାଇନ୍‌। ୭ଟା ୩୦ରେ ପରୀକ୍ଷା କେନ୍ଦ୍ର ଫାଟକ ଖୋଲିବା କ୍ଷଣି ପରୀକ୍ଷାର୍ଥୀଙ୍କୁ ଭିତରକୁ ଛଡ଼ା ଯାଇଥିଲା। ପ୍ରବେଶ ଫାଟକ ନିକଟରେ ପରୀକ୍ଷାର୍ଥୀଙ୍କୁ ସ୍କାନର ମେସିନ୍‌ ମାଧ୍ୟମରେ ତନତନ କରି ଯାଞ୍ଚ କରାଯାଇଥିଲା। କାଳେ ପରୀକ୍ଷାର୍ଥୀ ଶରୀର ଭିତରେ କୌଣସି ବୈଦ୍ୟୁତିକ ସାମଗ୍ରୀ ଆଣି କେନ୍ଦ୍ରକୁ ଆସିଥିବେ, ସେଥିପାଇଁ ଏଭଳି ଯାଞ୍ଚ କରାଯାଇଥିବା ସିବିଏସ୍‌ଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଗତଥର ପରି ଏଥର ମଧ୍ୟ ଡ୍ରେସ୍‌କୋଡ୍‌ ଉପରେ ଜାରି ହୋଇଥିଲା କଟକଣା। କେନ୍ଦ୍ର ଭିତରକୁ ଯିବା ସମୟରେ ପରୀକ୍ଷାର୍ଥୀ କେବଳ ଆଡମିଟ୍‌ କାର୍ଡ ଓ ପାସ୍‌ପୋର୍ଟ ଫଟୋ ସାଙ୍ଗରେ ନେଇଥିଲେ। ସ୍ଲିପର, ସାଣ୍ଡାଲ ଏବଂ କମ୍‌ ହିଲ୍‌ ଥିବା ଚପଲକୁ ଛାଡ଼ି ଅନ୍ୟ ଜୋତା ପିନ୍ଧି ପରୀକ୍ଷା ଦେବାକୁ ଆସିଥିବା ପରୀକ୍ଷାର୍ଥୀଙ୍କୁ ହଟହଟା ହେବାକୁ ପଡ଼ିଥିଲା। ପରୀକ୍ଷା କେନ୍ଦ୍ର ବାହାରେ ଜୋତା ରଖି ପରୀକ୍ଷା ଦେବାକୁ କୁହାଯାଇଥିଲା। ସେହିପରି ପେପର, ଜ୍ୟାମିତି ବାକ୍ସ, ପ୍ଲାଷ୍ଟିକ୍‌ ପାଉଚ୍‌, କାଲକ୍ୟୁଲେଟର, ପେନ୍‌, ସ୍କେଲ୍‌, ପ୍ୟାଡ୍‌, ପେନ୍‌ଡ୍ରାଇଭ୍‌, ଘଣ୍ଟା, କ୍ୟାମେରା, ବ୍ରେସ୍‌ଲେଟ୍‌, ପାଣି ବୋତଲ ଭିତରକୁ ନେବା ଲାଗି ବାରଣ ହୋଇଥିଲା। ରିଙ୍ଗ, କାନଫୁଲ, ନାକଫୁଲ, ଚେନ୍‌/ନେକ୍‌ଲେସ୍‌, ପଦକ, ପିନସ୍‌, ବେଲ୍ଟ ଟୋପି ପିନ୍ଧି ଥିବା ପରୀକ୍ଷାର୍ଥୀଙ୍କୁ ଭିତରକୁ ଛଡ଼ାଯାଇ ନ ଥିଲା। ପରୀକ୍ଷା କେନ୍ଦ୍ରକୁ ଯିବା ସମୟରେ ପରୀକ୍ଷାର୍ଥୀଙ୍କୁ ମେଟାଲ ଡିଟେକ୍ଟରରେ ଯାଞ୍ଚ କରାଯାଇଥିଲା। ପ୍ରବେଶ ପଥ ନିକଟରେ ଯାଞ୍ଚ ପରେ ହଲ୍‌ ଭିତରକୁ ପ୍ରବେଶ ସମୟରେ ଆଉ ଥରେ ଯାଞ୍ଚ କରାଯାଇଥିଲା। ମୁଖ୍ୟ ଫାଟକରେ ପ୍ରବେଶ କରିବା ବେଳେ ଦୁଇଟି ସ୍କାନର୍‌ରେ ଛାତ୍ରଛାତ୍ରୀ ଯାଞ୍ଚର ସମ୍ମୁଖୀନ ହୋଇଥିଲେ। ପ୍ରତି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇ ପରୀକ୍ଷାର୍ଥୀଙ୍କ ପ୍ରତିଟି ଗତିବିଧି ଉପରେ ନଜର ରଖାଯାଇଥିଲା।

ପରୀକ୍ଷାର୍ଥୀଙ୍କ ମୁହଁରୁ…
ପରୀକ୍ଷା ଲାଗି ଯେଉଁଭଳି ଭାବେ ପ୍ରସ୍ତୁତ ହୋଇଥିଲି ସେହି ଅନୁଯାୟୀ ପ୍ରଶ୍ନ ଆସିଥିଲା। ତେଣୁ କୌଣସି ଅସୁବିଧା ହେଲା ନାହିଁ। ପ୍ରତିଟି ପ୍ରଶ୍ନର ଉତ୍ତର ଦେଇଛି। ୭୨୦ ମାର୍କର ପ୍ରଶ୍ନପତ୍ରରୁ ମୋର ପ୍ରାୟ ୫୦୦ ମାର୍କ ଉପରେ ରହିବ। ଆଶା କରୁଛି ଭଲ ର‍୍ୟାଙ୍କ ମିଳିବ।
ମହମ୍ମଦ୍‌ ସୋହେବ, ପରୀକ୍ଷାର୍ଥୀ
ପ୍ରଶ୍ନଗୁଡ଼ିକ ସହଜ ଥିଲା। ନିର୍ଧାରିତ ସମୟ ମଧ୍ୟରେ ସମସ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖିଛି। ନିଟ୍‌ ପରୀକ୍ଷା ପାଇଁ କୋଚିଂ ନେଇଥିଲି। ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ଏହି ପରୀକ୍ଷା ପ୍ରଥମଥର ଦେଇଛି। ସେଥିପାଇଁ ମନରେ ଟିକେ ଡର ଥିଲା। ଭଲ ର‍୍ୟାଙ୍କ ମିଳିବ।
ସ୍ମିତି ସୋହିନୀ ଦାସ, ପରୀକ୍ଷାର୍ଥୀ
ପ୍ରଶ୍ନପତ୍ରରେ ଜୀବ ବିଜ୍ଞାନର ପ୍ରଶ୍ନଗୁଡ଼ିକ ବହୁତ ଭଲ ଥିଲା। ତେଣୁ ଉତ୍ତର ଭଲ ହୋଇଛି। ପରୀକ୍ଷା ଲାଗି ବହୁ ପୂର୍ବରୁ ନିଜକୁ ପ୍ରସ୍ତୁତି କରିଥିଲି। ଦିନକୁ ୮ରୁ ୯ ଘଣ୍ଟା ପରିଶ୍ରମ କରୁଥିଲି। ବାରମ୍ବାର ଅଭ୍ୟାସ କରିବା ଦ୍ୱାରା ସମସ୍ତ ପ୍ରଶ୍ନର ଉତ୍ତର ଲେଖିପାରିଛି।
କିରଣ ଦାସ ପ୍ରିୟ ରଞ୍ଜନ ସାହୁ, ପରୀକ୍ଷାର୍ଥୀ
ଏହି ପରୀକ୍ଷା ଦ୍ୱିତୀୟ ଥର ପାଇଁ ଦେଇଛି। ପ୍ରଥମଥର ର‍୍ୟାଙ୍କରେ ଆସିପାରି ନ ଥିବାରୁ ମନ ଖରାପ ଥିଲା। କିନ୍ତୁ ଏଥର ପ୍ରଶ୍ନଗୁଡ଼ିକ ଭଲ ଆସିଥିଲା। ତେଣୁ ସମସ୍ତ ପ୍ରଶ୍ନର ଉତ୍ତର ଲେଖିଛି। ୯୦% ପ୍ରଶ୍ନର ଉତ୍ତର କରିଛି। ଏବେ ନର୍ଭସ ଲାଗୁଛି କିଭଳି ର‍୍ୟାଙ୍କ ମିଳିବ।
ପ୍ରତୀକ୍ଷା ଖୁସ୍‌, ପରୀକ୍ଷାର୍ଥୀ
ପରୀକ୍ଷା ପାଇଁ କୌଣସି କୋଚିଂ ନେଇନଥିଲି। ନିଜ ପ୍ରସ୍ତୁତିରେ ଆଜି ଏହି ପରୀକ୍ଷା ଦେବାକୁ ଆସିଥିଲି। ପ୍ରଶ୍ନପତ୍ରରେ ଯେତିକି ପ୍ରଶ୍ନ ରହିଥିଲା ସେଥିରୁ ଅଧିକାଂଶ ପ୍ରଶ୍ନର ଉତ୍ତର କରିଛି। ପ୍ରାୟ ୪୨୦ ମାର୍କର ଉତ୍ତର କରିଛି। ତଥାପି କିଛି ରହିଗଲା। ଆଶା କରୁଛି, ଭଲ ର‍୍ୟାଙ୍କ ମିଳିବ।
ଜ୍ୟୋତିପ୍ରଭା ପଣ୍ଡା, ପରୀକ୍ଷାର୍ଥୀ
କୋଚିଂ ନେଇଥିବାରୁ ପରୀକ୍ଷାରେ ସେଭଳି କିଛି ଅସୁବିଧା ହେଲାନି। ପରୀକ୍ଷା ଲାଗି ନିଜକୁ ଭଲ ଭାବେ ପ୍ରସ୍ତୁତ କରିଥିଲି। ୯୫% ପ୍ରଶ୍ନର ଉତ୍ତର ଦେଇଛି। ଜୀବବିଜ୍ଞାନ ବିଭାଗରେ ପ୍ରଶ୍ନଗୁଡ଼ିକ ଭଲ ଥିଲା। ଆଶା ଅଛି ଭଲ ର‍୍ୟାଙ୍କରେ ଆସିବ।
ସୋମିତରାଜ ମନ୍ତ୍ରୀ, ପରୀକ୍ଷାର୍ଥୀ

ସମ୍ବନ୍ଧିତ ଖବର

Leave A Reply

Your email address will not be published.