ବର୍ଷ ସରିଯାଏ, ଦୁଃଖ ସରେନି…

ଭୁବନେଶ୍ୱର (ସତ୍ୟନାରାୟଣ ରାଉତରାୟ): କମ୍ବଳଟେ ମିଳିଛି ଯେ, ତାକୁ ଲୁଚେଇ ଦେଇଛି। ଘୋଡ଼ି ହେଲେ କମ୍ବଳ ବି ଟାଣି ନେଇ ପଳଉଛନ୍ତି ଆଜ୍ଞା। କାଳେ କିଏ ନେଇଯିବ ସେଇ ଡରରେ ଘୋଡ଼ି ହେଉନି। ଜିରୋ ଆଓ୍ଵାର ସେଲେବ୍ରେସନ୍‌ରେ ସାରା ସହର ଯେତେବେଳେ ଉଲ୍ଲାସରେ ଉଚ୍ଛୁଳି ପଡ଼ୁଥିଲା, ସେତେବେଳେ ୯୦ ବର୍ଷୀୟା ବୃଦ୍ଧା ବି ଚାଲ୍ଲାମା ଛାର୍‌ କମ୍ବଳଟିଏ ପାଇଁ ରାସ୍ତାକଡ଼ରେ ଘୁମଉ ଘୁମଉ ଚିହିଁକି ଉଠୁଥିଲେ। ଯାଇ କହିଲୁ, ନୂଆବର୍ଷର ଅଭିନନ୍ଦନ। ଏତିକି ଶୁଣୁଶୁଣୁ ଅନେକ ଦିନରୁ ଲିଭିଯାଇଥିବା ଚେନାଏ ହସ ତାଙ୍କ ପାକୁଆ ପାଟିରୁ ଉବୁକି ଆସିଥିଲା। ସେ ଟିକେ ଲାଜେଇ ଯାଇଥିଲେ। ଶୁଖିଲା ମୁହଁ ଦେଖି ପଚାରିଲୁ, କ’ଣ ଖାଇଛ ? କହିଲେ, ବୁଟ୍‌ ଦୋକାନ ପାଖେ ବସିଥିଲି ଯେ, ବାବୁମାନେ ୩୦ ଟଙ୍କା ଦେଲେ। ହୋଟେଲ୍‌କୁ ଗଲି। ହୋଟେଲ୍‌ ବାଲା କହିଲା, ଯା ୪୦ ନେଇକି ଆସିବୁ ନୋହିଲେ ଖାଇବା ଫାଇବା କିଛି ନାଇଁ। ସେଇଠୁ ୧୦ ଟଙ୍କାରେ ବିସ୍କୁଟ୍‌ ଆଉ ଚା କପେ ପିଇଛି। ୨୦ କାନିରେ ବାନ୍ଧିଛି। କାଲିକି ବାବୁମାନେ ସୁଇଟର୍‌ ଦେବେ। ଆଉ ୩୦ ଟଙ୍କା ଆଣିବି। ହୋଟେଲ୍‌ରେ ବାବୁମାନଙ୍କ ଭଳି ଖାଇବି। ସାରା ସହର ଯେତେବେଳେ ଜିରୋ ନାଇଟ୍‌ ସେଲେବ୍ରେସନ୍‌ରେ ମସ୍‌ଗୁଲ୍‌ ଥିଲା ଆସନ୍ତାକାଲି ପାଇଁ ଗୋଟେ ବକ୍ତ ଖାଇବା ଯୋଗାଡ଼ିବାକୁ ସ୍ୱପ୍ନ ଦେଖୁଥିଲା ବି. ଚାଲ୍ଲାମା।

ରାଜଧାନୀବାସୀ ନୂଆବର୍ଷକୁ ସ୍ୱାଗତ କରୁଥିବାବେଳେ ଅନେକ ଚାଲ୍ଲାମା ଫୁଟ୍‌ପାଥ୍‌ରେ ନିଜ କାନିରେ ବନ୍ଧା ୨୦ ଟଙ୍କାକୁ ସୁରକ୍ଷିତ ରଖିବା ଲାଗି ଉଜାଗର ରହିଥିଲେ। ପ୍ଲାଟ୍‌ଫର୍ମ ଛାତ ତଳେ ଶୋଇ ପଡ଼ିବାରୁ ତାଙ୍କୁ କାଳେ ବଞ୍ଜାରାମାନେ ମଦ ପିଇ ବାଡ଼େଇବାକୁ ଗୋଡ଼େଇଲେ। ପୁଣି ଆର୍‌ପିଏଫ୍‌ଙ୍କ ବେତ ଦେଖା ନାଲି ଆଖିର ଡର ତାଙ୍କୁ ଏତେ ଘାରିଥିଲା ଯେ, ସେ ପ୍ଲାଟ୍‌ଫର୍ମ ପିଣ୍ଡି ନିକଟରେ ବସିରହିବାକୁ ବାଧ୍ୟ ହୋଇଥିଲେ।

ସେଇଠୁ ଫେରି ପିଏମ୍‌ଜି ବାଟେ ଆସୁଆସୁ ନଜରରେ ପଡ଼ିଥିଲେ ଫକୀର। ସମାଜ ଆଖିରେ ସେ ଥିଲେ ପାଗଳ। ଆମେ ବି ସେୟା ଭାବୁଥିଲୁ। ତଥାପି ସାହସ ବାନ୍ଧି କହିଲୁ, ନୂଆବର୍ଷର ଅଭିନନ୍ଦନ। ଜରି ପୁଡ଼ିଆରୁ ଅଣ୍ଡାଳି ଅଣ୍ଡାଳି କ’ଣ ଖାଉଥିବା ବେଳେ ମୁଣ୍ଡ ଟେକି ଚାହିଁ କେମିତି ଗୋଟେ ହସିଦେଲେ। କହିଲେ, କି ନୂଆବର୍ଷ। ମୁଁ ପାଠସାଠ ପଢ଼ିନି ଆଜ୍ଞା। ୩୦ ବର୍ଷ କଟକରେ ରିକ୍ସା ଚଲାଉଥିଲି। ପଇସା ମିଳିଲାନି। ବେଉସା ବୁଡ଼ିଗଲା। ଦିନରେ ନବୀନ ନିବାସ ପାଖେ ବୁଲୁଛି। ରାତିରେ ପିଏମ୍‌ଜିରେ ଶୋଉଛି। ଆମ ସାଙ୍ଗେ ଏତକ କଥା ହଉହଉ ସେ ଖାଉଥିବା ଜରି ପୁଡ଼ିଆଟା ଗୋଟେ କୁକୁର ଝାମ୍ପିନେଇ ଦୌଡ଼ିଲା। ଆମେ ହେ ହେ..କହି ଗୋଡ଼େଇଲୁ। ହେଲେ ଫକୀର କହିଲେ, ନାଇଁନାଇଁ ଥାଉ ତାକୁ ମାରନି.. ସେ ଖାଉ। ତା’ର ବି ମୋ ଭଳି କେହି ନାହାନ୍ତି ଅଜ୍ଞା…। କାନକୁ କଥାଟା ମୋଟେ ବିଶ୍ୱାସ ହେଉନଥିଲା। କିନ୍ତୁ ଏହା ହିଁ ଥିଲା ନିଚ୍ଛକ ବାସ୍ତବତା।

ସମ୍ବନ୍ଧିତ ଖବର