ଗୌର କହିବାରୁ ପାର୍ବତୀ ଲେଖିଥିଲେ କାହାଣୀ

୪୬ ବର୍ଷ ପରେ ପ୍ରଦର୍ଶିତ ହେଲା ‘ସ୍ତ୍ରୀ’

ଭୁବନେଶ୍ୱର: ଗୌର ଘୋଷ ତାଙ୍କୁ କହିଲେ, ତୁ କାହାଣୀ ଲେଖୁନୁ। ସ୍ୱାମୀଙ୍କଠୁ ପ୍ରେରଣା ପାଇବା ପରେ ପାର୍ବତୀ ଘୋଷ ଲେଖିଲେ। କାହାଣୀ ସିନା ଲେଖିଦେଲେ, କିନ୍ତୁ ଭରସା ପାଉନଥିଲା। କାଳେ ଫିଲ୍ମ ଫ୍ଲପ୍‌ ହେଇଯିବ। ଗୌର କିନ୍ତୁ ପାର୍ବତୀଙ୍କୁ ଭରସା ଦେଲେ। ପାର୍ବତୀଙ୍କୁ ଛଦ୍ମନାମ (ଶ୍ରାବଣୀ) ସଜେଇ କାହାଣୀକାର ପରିଚୟ ଦେଲେ। ସେଇ କାହାଣୀକୁ ଆଧାର କରି ୧୯୬୬ରେ ନିର୍ମିତ ହେଲା କାଳଜୟୀ ଓଡ଼ିଆ ସିନେମା ‘ସ୍ତ୍ରୀ’। ୧୯୬୯ ମସିହାରେ ମୁକ୍ତିଲାଭ କରିଥିବା ‘ସ୍ତ୍ରୀ’ ରାଷ୍ଟ୍ରପତି ପୁରସ୍କାର ଲାଭ କରିଥିବା ବେଳେ ଆଜି ଦୀର୍ଘ ୪୬ ବର୍ଷ ପରେ ବଡ଼ ପରଦାରେ ଏହି କ୍ଲାସିକ୍‌ ସିନେମା ଉପଭୋଗ କରିବାର ସୁଯୋଗ ଜୁଟିଥିଲା। ଫିଲ୍ମ ଜର୍ଣ୍ଣାଲିଷ୍ଟ୍‍ସ ଫୋରମ୍‌ ଏବଂ ପାର୍ବତୀ ଘୋଷଙ୍କ ପରିବାରର ସହଯୋଗରେ ଆଜି ଓଡ଼ିଶୀ ଗବେଷଣା କେନ୍ଦ୍ରରେ ‘ସ୍ମୃତିଛାୟା’ରେ ପ୍ରଦର୍ଶିତ ହୋଇଥିଲା ଏହି ଚଳଚ୍ଚିତ୍ର।

ଏହି ଚଳଚ୍ଚିତ୍ର ପାଇଁ ସେତେବେଳେ ୩ଲକ୍ଷ ଟଙ୍କା ଖର୍ଚ ହୋଇଥିବା ବେଳେ ୧ଲକ୍ଷ ୭୫ ହଜାର ଟଙ୍କାର ଋଣ କରିଥିଲେ ପାର୍ବତୀ। ସେ ସମୟରେ ଏହା ଥିଲା ବ୍ୟୟବହୁଳ ଚଳଚ୍ଚିତ୍ର। ‘ନାରୀ ମୁଁ ସର୍ବଂସହା’, ‘ସିନ୍‌ ନମ୍ବର ୬୬’, ‘ସ୍ତ୍ରୀ’ ପୁସ୍ତିକା ଲୋକାର୍ପିତ ହୋଇଥିଲା। କବି ପଦ୍ମଭୂଷଣ ରମାକାନ୍ତ ରଥ, ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଚଳଚ୍ଚିତ୍ର ସହ ସମ୍ପୃକ୍ତ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ, ଶ୍ୟାମଳେନ୍ଦୁ, କ୍ଷୀରୋଦ ନାୟକ ଏବଂ ପାର୍ବତୀଙ୍କ ପରିବାରର ରାତ୍ରୀ ଘୋଷ, ଶେଖର ଦେବ ବର୍ମନ, ପାଭଲିନା ଏବଂ ବାପୁ ଲେଙ୍କାଙ୍କୁ ସମ୍ବର୍ଧିତ କରାଯାଇଥିଲା।। ଗୀତିକାର ବିଜୟ ମଲ୍ଲ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶେଷରେ ସୂର୍ଯ୍ୟ ଦେଓ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର