ବଜ୍ରପାତରେ ୬ ବଖରା ପାଉଁଶ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଖଣ୍ଡଗିରି: ରବିବାର ଭୋର୍‌ ପ୍ରାୟ ୪ଟାବେଳେ ହୋଇଥିବା କାଳବୈଶାଖୀ ପବନ ଓ ବଜ୍ରପାତରେ ତମାଣ୍ଡୋ ଥାନା ନାରଗୋଦା ଗାଁରେ ୬ ବଖରା ଘର ଭସ୍ମୀଭୂତ ହୋଇଯାଇଥିବାବେଳେ ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ପାଉଁଶ ହୋଇଯାଇଛିି। ଫଳରେ ଅଗ୍ନିକାଣ୍ଡରେ କ୍ଷିତଗ୍ରସ୍ତ ହୋଇଥିବା ସନ୍ତୋଷ କୁମାର ଚମ୍ପତ୍ତି ଓ ନବା କରଣ ଏବେ ବାସହରା ହେବା ସହ ସର୍ବସ୍ୱ ହରାଇଛନ୍ତି। ଗତକାଲି ଭୋର୍‌ ପ୍ରାୟ ୪ଟାବେଳେ ହଠାତ୍‌ କାଳବୈଶାଖୀ ବର୍ଷା ମାଡ଼ି ଆସିଥିଲା। ବର୍ଷା ହେବା ପୂର୍ବରୁ ପ୍ରବଳ ଘଡ଼ଘଡ଼ି ମାରିଥିଲା ଓ ବଜ୍ରପାତ ହୋଇଥିଲା। ନାରଗୋଦା ଗାଁର ସନ୍ତୋଷଙ୍କ ଘର ଉପରେ ବଜ୍ରପାତ ହେବାରୁ ନିଅାଁ ଲାଗି ଯାଇଥିଲା। ବର୍ଷା ପବନ ଓ ଘଡ଼ଘଡ଼ି ଯୋଗୁଁ ଲୋକେ ଘରୁ ବାହାରିବାକୁ ଭୟ କରୁଥିବାବେଳେ ନିଅାଁ ଲାଗିଥିବା କଥା କେହି ଜାଣିପାରି ନଥିଲେ। ତେବେ ସନ୍ତୋଷଙ୍କ ପରିବାର ଲୋକଙ୍କ ପାଟି ଶୁଣି ଗାଁ ଲୋକେ ଏକାଠି ହେଲାବେଳକୁ ନିଅାଁ ତାଙ୍କର ୪ ବଖରାଘରକୁ ପୂରା ବ୍ୟାପୀ ସାରିଥିଲା। ପରେ ସନ୍ତୋଷଙ୍କ ପଡ଼ୋଶୀ ନବା କରଣଙ୍କ ଘରକୁ ବି ନିଅାଁ ଡେଇଁଥିଲା। ଗ୍ରାମବାସୀମାନେ ନିଅାଁକୁ ଆୟତ୍ତ କରିବାକୁ ବହୁ ଉଦ୍ୟମ କରିଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବାବେଳକୁ ଲୋକେ ପ୍ରାୟ ୮୦ ଭାଗ ନିଅାଁ ଲିଭାଇ ସାରିଥିଲେ। ତେବେ ନବା କରଣଙ୍କ ଘର ଚାଳ ଛପର ତଳେ ଆଟୁ ଥିବାରୁ ଅଧିକ କିଛି କ୍ଷତି ହୋଇ ନଥିଲା। ମାତ୍ର ସନ୍ତୋଷଙ୍କ ଖାଲି ଚାଳ ଘର ଯୋଗୁଁ ଭିତରେ ଟିଭି, ଫ୍ରିଜ୍‌ ଠାରୁ ଆରମ୍ଭ କରି ସମସ୍ତ ଆସବାବପତ୍ର, ଲୁଗାପଟା ଓ ଧାନଚାଉଳ ପୋଡ଼ି ପାଉଁଶ ହୋଇ ଯାଇଥିଲା। ସେହିଭଳି ବଜ୍ରପାତ ଯୋଗୁଁ ଗାଁର ବହୁ ଲୋକଙ୍କ ଘରେ ବିଦ୍ୟୁତ୍‌ ଉପକରଣ ସବୁ ନଷ୍ଟ ହୋଇଯାଇଛି।

ସମ୍ବନ୍ଧିତ ଖବର