ପିଲାଙ୍କୁ ଆସୁନି ବ୍ଲକ୍‌ କି ଜିଲ୍ଲା ନାମ

ମଧ୍ୟାହ୍ନ ଭୋଜନ ପରେ ପାଠପଢ଼ା ଶୂନ

ବାଲିପାଟଣା: ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି। ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସବୁବେଳେ କିଛି ନା କିଛି ଯୋଜନା ଚାଲିଛି। ମଧ୍ୟାହ୍ନଭୋଜନ ସହିତ ବହି, ପୋଷାକ, ସାଇକେଲ୍‌ ଆଦି ମାଗଣା ବଣ୍ଟା ଯାଉଛି। ବିଭିନ୍ନ ସମୟରେ ଶିକ୍ଷକ, ପ୍ରଧାନଶିକ୍ଷକ, ସିଆର୍‌ସିସି ଓ ବିଆର୍‌ସିସିମାନଙ୍କୁ ତାଲିମ ଦିଆଯାଉଛି। ଏତେସବୁ ପରେ ମଧ୍ୟ ପିଲାମାନେ ଦେଶର ନାଁ ମଧ୍ୟ ଠିକ୍‌ ଭାବେ କହିପାରୁ ନାହାନ୍ତି। ଏପରିକି ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଶ୍ରେଣୀର ପିଲାମାନେ ନିଜ ବ୍ଲକ୍‌ କି ଜିଲ୍ଲାର ନାମ ମଧ୍ୟ କହି ପାରୁ ନଥିବା ଜଣାପଡ଼ିଛି। ଗ୍ରାଉଣ୍ଡ ଜିରୋ ରିପୋର୍ଟ ସଂଗ୍ରହ କରିବା ସମୟରେ ବାଲିପାଟଣା ବ୍ଲକ୍‌ରେ କେତେକ ସ୍କୁଲରେ ଏଭଳି ଘଟଣା ନଜରକୁ ଆସିଛି। ୭ଟି ସ୍କୁଲରୁ ପ୍ରାୟ ୬ଟି ସ୍କୁଲର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଶ୍ରେଣୀ ପିଲା ନିଜ ବ୍ଲକ୍‌, ଜିଲ୍ଲା, ରାଜ୍ୟ କିମ୍ବା ଦେଶର ନାଁ ଠିକ୍‌ଭାବେ କହିପାରି ନାହାନ୍ତି। ଏସବୁ ପ୍ରଶ୍ନ ପଚାରିବାରୁ ବିଚିତ୍ର ଉତ୍ତର ଶୁଣିବାକୁ ମିଳିଛି। ପିଲାଙ୍କୁ ପ୍ରଶ୍ନ ପଚାରିବା ସମୟରେ ଉପସ୍ଥିତ ଶିକ୍ଷକମାନେ ବି ଅଜବ ଯୁକ୍ତି ଦର୍ଶାଇଛନ୍ତି। କିଏ କହିଛନ୍ତି ଖରାଛୁଟି ହୋଇଯାଇଥିବାରୁ ପିଲାମାନେ ପାଠ ଭୁଲି ଯାଇଛନ୍ତି। ଆଉ କିଏ କହିଛନ୍ତି ପିଲାମାନେ ଆପଣଙ୍କୁ ଦେଖି ନର୍ଭସ ହୋଇ ଯାଇଛନ୍ତି। ଆମେ ପ୍ରାର୍ଥନା କ୍ଲାସ୍‌ରେ ସବୁବେଳେ ଏସବୁ କଥା ପିଲାଙ୍କୁ ଶିକ୍ଷାଦେଉଛୁ ହେଲେ ସେମାନେ ଜମା ମନେ ରଖୁନାହାନ୍ତି।

ମଧ୍ୟାହ୍ନ ଭୋଜନ ପରେ ପାଠପଢ଼ା ନାହିଁ!
ଆମେ କେତେକ ସ୍କୁଲରେ ଅପରାହ୍ନ ପ୍ରାୟ ୨ଟା ପରେ ପହଞ୍ଚିଥିଲୁ। ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ପିଲାଙ୍କ ପାଠପଢ଼ା ଏକପ୍ରକାର ଠପ୍‌ ହୋଇଯାଇଥିଲା। ଅନେକ ସ୍କୁଲରେ ପିଲାଙ୍କୁ କ୍ଲାସ୍‌ରୁମ୍‌ରେ ଛାଡ଼ିଦେଇ ସାର୍‌ମାନେ ଲୋକଙ୍କ ସହ ଗପରେ ମାତିଥିବାର ଦେଖାଯାଇଥିଲା। କିଏ କିଏ ଗାଁ ଲୋକଙ୍କ ସହ ମିଶି ପାଚିଲା ସପୁରି ଖାଉଥିଲେ। କେଉଁ ସାର୍‌ ଫୋନ୍‌ରେ ଗପ କରୁଥିଲେ ତ ଆଉ କିଏ ଅଫିସ୍‌ରୁମରେ ବସି ରିପୋର୍ଟ ପ୍ରସ୍ତୁତ କରୁଥିଲେ।

ପିଲାଙ୍କ ଛକିଶୂନ ଖେଳ
ସ୍କୁଲରେ ସାର୍‌ ରିପୋର୍ଟ ତିଆରି କରୁଥାନ୍ତି। ଆଉ ଜଣେ ଦିଦି ମୋବାଇଲରେ ବ୍ୟସ୍ତ। ସେପଟେ ପିଲାମାନେ କ୍ଲାସରୁମ୍‌ ଭିତରେ ଛକିଶୂନ ଖେଳରେ ମାତିଥାନ୍ତି। ଆଉ କେଉଁଠି କ୍ଲାସରୁମରେ ପିଲାମାନେ ହୋ-ହଲ୍ଲା ହେଉଥିବାବେଳେ ଦିଦିମାନେ ଗପରେ ମାତିଥାନ୍ତି। ଗୋଟିଏ ସ୍କୁଲରେ ସାର୍‌ କ୍ଲାସରୁମରେ ପିଲାଙ୍କୁ ତଳେ ବସେଇଦେଇ ଫୋନ୍‌ରେ ଗପ କରିବାରେ ବ୍ୟସ୍ତ। ଅନେକ ସ୍କୁଲରେ ‘ଉଜ୍ଜ୍ୱଳ’ କାର୍ଯ୍ୟକ୍ରମର ଆଖଦୃଶିଆ କାର୍ଯ୍ୟ ହେଉ ନଥିବା ନଜରକୁ ବି ଆସିଥିଲା।

ପିଲାଙ୍କୁ ଭଲ ପାଠପଢ଼ା ଦେଇ ନାଁ କରିବୁ: ବ୍ଲକ ଶିକ୍ଷାଧିକାରୀ
ପ୍ରାୟ ଦୁଇମାସ ହେବ ବ୍ଲକ ଶିକ୍ଷାଧିକାରୀ ଭାବେ ଯୋଗଦେବା ପରେ ମୁଁ ୪୦ରୁ ଊ୍ଵର୍ଧ୍ୱ ସ୍କୁଲ ବୁଲି ସାରିଲିଣି। ସବୁ ସ୍କୁଲରେ ସମାନ ଅବସ୍ଥା ନାହିଁ। ସିଆର୍‌ସିସି,ଏବିଇଓ ଓ ମୁଁ ସବୁଦିନ ସ୍କୁଲ ବୁଲି ପାଠପଢ଼ା ପାଇଁ ଗୁରୁତ୍ୱ ଦେଉଛୁ। ଶିକ୍ଷକଙ୍କୁ ଉତ୍ସାହିତ କରିବା ସହିତ କିପରି ଗୁଣାତ୍ମକ ଶିକ୍ଷା ଦିଆଯିବ ସେ ସଂପର୍କରେ ଆଲୋଚନା କରୁଛୁ। ୧୨୦ସ୍କୁଲରେ ପିଲାଙ୍କୁ ପାଠ୍ୟ ଉପକରଣ ମାଗଣାରେ ବଣ୍ଟି ଆମେ ଜିଲ୍ଲାରେ ୧ନଂ ହୋଇଛୁ। ଆସନ୍ତା ସପ୍ତାହରେ ପ୍ରଧାନଶିକ୍ଷକଙ୍କ ଏକ ସମ୍ମିଳନୀ କରାଯିବ ଓ ସବୁ ବିଷୟ ଆଲୋଚନା କରାଯିବ। ଆମେ ସବୁଥିରେ ଶତପ୍ରତିଶତ ସଫଳତା ହାସଲ କରିବୁ ବୋଲି ବ୍ଲକ ଶିକ୍ଷାଧିକାରୀ ମହେଶ୍ୱର ସାହୁ ଦୃଢ଼ତାର ସହ କହିଛନ୍ତି।

ସମ୍ବନ୍ଧିତ ଖବର