ହଷ୍ଟେଲ୍‌ ପାଇଁ ଡହଳ ବିକଳ

ଚିନ୍ତାରେ ଯୁକ୍ତ ୨ ଓ ଯୁକ୍ତ ୩ କଲେଜ ପିଲା

ଭୁବନେଶ୍ୱର: ଦଶମ ଓ ଦ୍ୱାଦଶ ଶ୍ରେଣୀ ପାସ୍‌ ପରେ ପିଲା ରାଜଧାନୀରେ ରହି ପଢ଼ନ୍ତୁ ବୋଲି ଅଭିଭାବକଙ୍କ ଇଚ୍ଛା। ଯେଉଁଥିପାଇଁ ପ୍ର୍ରତିବର୍ଷ ହଜାର ହଜାର ମେଧାବୀ ଛାତ୍ରଛାତ୍ରୀ ଆଖିରେ ଆଖିଏ ସ୍ୱପ୍ନ ନେଇ ଭୁବନେଶ୍ୱରରେ ପଢ଼ିବା ପାଇଁ ଧାଇଁ ଆସୁଛନ୍ତି। ଭଲ କଟ୍‌ ଅଫ୍‌ ମାର୍କ ରହିଥିବାରୁ ବିଜେବି, ରମାଦେବୀ, ବେସିକ୍‌ ସାଇନ୍ସ, ମହର୍ଷି, ରାଜଧାନୀ ପରି କଲେଜରେ ସିଟ୍‌ ମିଳିଯାଉଛି। ହେଲେ ରହିବା ପାଇଁ ହଷ୍ଟେଲ ମିଳୁନି। ଏଦୁଆର ସେଦୁଆର ବୁଲି ଡହଳବିକଳ ହୋଇ ହଷ୍ଟେଲ ଖୋଜୁଛନ୍ତି। ଯେଉଁ କଲେଜରେ ନାମ ଲେଖାଉଛନ୍ତି, ସେଠାରେ ହଷ୍ଟେଲ ନ ଥିବାରୁ କ୍ୟାମ୍ପସ ବାହାରେ ଚଢ଼ାଦରରେ ଘର ଭଡ଼ା ନେଇ ରହୁଛନ୍ତି। ପ୍ରତିବର୍ଷ ଏଭଳି ସମସ୍ୟା ହେଉଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁନି। ଅଧିକ ହଷ୍ଟେଲ ନିର୍ମାଣ ଦିଗରେ ପଦକ୍ଷେପ ନିଆଯାଉ ନାହିଁ। ସେଲ୍ଫ ଫାଇନାନ୍ସିଂ କଲେଜ ବ୍ୟତୀତ ଭୁବନେଶ୍ୱରରେ ୧୫ଟି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଯୁକ୍ତ୨ ଓ ଯୁକ୍ତ୩ କଲେଜ ରହିଛି। ସେଥିମଧ୍ୟରୁ ବିଜେବି, ରମାଦେବୀ, ଶ୍ରୀସତ୍ୟସାଇ ମହିଳା କଲେଜ ବ୍ୟତୀତ ଆଉ କୌଣସି କଲେଜରେ ହଷ୍ଟେଲ ନାହିଁ। ଯାହାର ଫାଇଦା ନେଉଛନ୍ତି ସେଲ୍ଫ ଫାଇନାନ୍ସିଂ କଲେଜ। ଛାତ୍ରଛାତ୍ରୀଙ୍କ ରହିବା ପାଇଁ ହଷ୍ଟେଲ ସୁବିଧା କରି ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ପିଲାମାନେ ଟଙ୍କା ଗଣି ନୟାନ୍ତ ହେଉଛନ୍ତି।

ପିଲାଙ୍କୁ ଚାହିଁ ହଷ୍ଟେଲ୍‌ ନାହିଁ
ରମାଦେବୀ ବିଶ୍ୱବିଦ୍ୟାଳୟ ନୂଆ ହଷ୍ଟେଲରୁ ତାଲା ଖୋଲୁନି

ମିଳିଥିବା ସୂଚନା ଅନୁଯାୟୀ, ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ବିଜେବି ଯୁକ୍ତ୨ କଲେଜ ଛାତ୍ରଛାତ୍ରୀଙ୍କ ରହିବା ପାଇଁ ହଷ୍ଟେଲ ସୁବିଧା ରହିଛି। ବିଜେବି ଯୁକ୍ତ୨ କଲେଜରେ ଉଭୟ ଛାତ୍ର ଓ ଛାତ୍ରୀଙ୍କ ପାଇଁ ୧୮୦ଟି ହଷ୍ଟେଲ ସିଟ୍‌ ରହିଛି। ଛାତ୍ରଙ୍କ ପାଇଁ କଳା ବିଭାଗର ୩୧, ବିଜ୍ଞାନରେ ୫୭, ବାଣିଜ୍ୟରେ ୧୨ଟି ସିଟ୍‌ ରହିଛି। ଛାତ୍ରୀଙ୍କ ପାଇଁ କଳାରେ ୩୦, ବିଜ୍ଞାନରେ ୪୫, ବାଣିଜ୍ୟରେ ୧୫ଟି ସିଟ୍‌ ରହିଛି। ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରଙ୍କ ପାଇଁ ୨୦ ଓ ଛାତ୍ରୀଙ୍କ ଲାଗି ୪୮ଟି ସିଟ୍‌ ରହିଛି। ସେହିପରି ରମାଦେବୀ ଜୁନିଅର କଲେଜରେ ଏସ୍‌ଟି ଛାତ୍ରୀଙ୍କ ପାଇଁ ୫୦, ଏସ୍‌ସିଙ୍କ ପାଇଁ ୬୦ ଓ ସାଧାରଣ ବର୍ଗ ଛାତ୍ରୀଙ୍କ ଲାଗି ୮୦ ସିଟ୍‌ ରହିଛି। ରମାଦେବୀ ବିଶ୍ୱବିଦ୍ୟାଳୟ ଅଧୀନରେ ସ୍ନାତକ ଓ ସ୍ନାତକୋତ୍ତରରେ ୪ ହଜାରରୁ ଅଧିକ ଛାତ୍ରୀ ପଢ଼ୁଥିବା ବେଳେ ହଷ୍ଟେଲରେ ମାତ୍ର ୮୦୦ ଶଯ୍ୟା ରହିଛି। ୨୦୧୭ ଜାନୁଆରି ୧୭ରେ ୪୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ୍‌ ନିର୍ମାଣ ପାଇଁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଶିଳାନ୍ୟାସ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ନାହିଁ। ସେତେବେଳେ ବିଶ୍ୱବିଦ୍ୟାଳୟ ଓଏସ୍‌ଡି ଥିବା ପ୍ରଫେସର ପଦ୍ମଜା ମିଶ୍ର ଏବେ କୁଳପତି ପଦକୁ ପଦୋନ୍ନତି ପାଇଛନ୍ତି। କିନ୍ତୁ ଏହି ହଷ୍ଟେଲ୍‌ କାମ ସରୁନି। ୩ ମାସ ହେଲା ବିଲ୍ଡିଂ କାମ ସରିଛି। ସାମଗ୍ରୀ କିଣାଯାଇ ପାରି ନାହିଁ। ସେହିପରି ଗତ ଶିକ୍ଷାବର୍ଷରୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପ୍ରତିଷ୍ଠା ହୋଇଥିବା ଦିବ୍ୟାଙ୍ଗ ଛାତ୍ରୀନିବାସ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇପାରିନି।

ଏ ତ ଗଲା ଭୁବନେଶ୍ୱରର ଦୁଇ ପ୍ରମୁଖ କଲେଜ କଥା। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ସାଧାରଣ ବର୍ଗରେ ୨୦, ଏସ୍‌ସି ଓ ଏସ୍‌ଟି ବର୍ଗ ପିଲାଙ୍କ ପାଇଁ ୫ଟି ଲେଖାଏ ସିଟ୍‌ ରହିଛି। ରାଜା ମଧୁସୂଦନ ଦେବ ଡିଗ୍ରି କଲେଜ ଅଫ୍‌ ସାଇନ୍ସରେ ଛାତ୍ରୀଙ୍କ ପାଇଁ ୨୨ ଶଯ୍ୟା ବିଶିଷ୍ଟ ହଷ୍ଟେଲ ଥିବା କଲେଜ ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ଶ୍ରୀ ସତ୍ୟସାଇ ମହିଳା କଲେଜରେ ଥିବା ହଷ୍ଟେଲରେ ଏସ୍‌ସି, ଏସ୍‌ଟି ଓ ସାଧାରଣ ବର୍ଗ ଛାତ୍ରୀଙ୍କ ପାଇଁ ୩୫ଟି ଲେଖାଏ ସିଟ୍‌ ରହିଥିବା ଜଣାପଡ଼ିଛି। ରାଜଧାନୀ କଲେଜ, ସିଟି ଓମେନ୍ସ କଲେଜ, ଏକାମ୍ର କଲେଜ, ମହର୍ଷି କଲେଜ ଅଫ୍‌ ନାଚୁରାଲ ଲ’, କମଳା ନେହେରୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଦେବରାୟ କଲେଜ, ରାଜା ମଧୁସୂଦନଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶ୍ରୀ ଜୟଦେବ କଲେଜ, ବିଜୁ ପଟ୍ଟନାୟକ କଲେଜରେ ଏପର୍ଯ୍ୟନ୍ତ ସୁବିଧା ହୋଇପାରି ନାହିଁ।

ସମ୍ବନ୍ଧିତ ଖବର