ଘରୋଇ ସ୍କୁଲ୍‌ ଛାତ୍ରାବାସରୁ ଝୁଲନ୍ତା ଶବ ଜବତ

ଖଣ୍ଡଗିରି: ବାପା,ମାଆଙ୍କ ଲକ୍ଷ୍ୟ ଥିଲା ପୁଅ ରାଜଧାନୀରେ ପଢ଼ିବ ଏବଂ ସ୍କୁଲରୁ ଭଲ ଫଳାଫଳ ନେଇ ଘରକୁ ଫେରିବ। କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ। ପାଠ ପଢ଼ିବାକୁ ଯାଇ ରାଜଧାନୀରେ ଜୀବନ ଯାଇଛି। ଘରୋଇ ସ୍କୁଲର ଛାତ୍ରାବାସରୁ ଝୁଲନ୍ତା ମୃତଦେହକୁ ଜବତ କରିଛି ପୁଲିସ। ସାଙ୍ଗମାନଙ୍କ ସହ ଖେଳିବାକୁ ନ ଯାଇ ରୁମ୍‌ରେ ଏକୁଟିଆ ଥିବା ବେଳେ ଆତ୍ମହତ୍ୟା କରିଛି ବୋଲି କର୍ତ୍ତୃପକ୍ଷ କହିଥିବା ବେଳେ ପରିବ‌ାର ଲୋକ ଆଣିଛନ୍ତି ହତ୍ୟା ଅଭିଯୋଗ। ମୃତ ଛାତ୍ର ହେଉଛନ୍ତି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ମହୀଧରପଡ଼ା ଗ୍ରାମର ମୁରଲୀଧର ବେହେରାଙ୍କ ପୁଅ ଚିନ୍ମୟ (୧୫)। ଏ ବର୍ଷ ଦଶମ ଶ୍ରେଣୀରେ ପାଠ ପଢ଼ିବା ପାଇଁ ଭୁବନେଶ୍ବରର ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ଆବାସିକ ବିଦ୍ୟାଳୟରେ ନାମ ଲେଖାଇଥିଲେ। ବୁଧବାର ସନ୍ଧ୍ୟାରେ ପୁଅର ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ଯଥାଶୀଘ୍ର ଆସିବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଚିନ୍ମୟଙ୍କ ପରିବାରବର୍ଗଙ୍କୁ ଫୋନ୍‌ ଯୋଗେ ଖବର ଦେଇଥିଲେ। ଏଭଳି ଖବର ପାଇ ଚିନ୍ମୟଙ୍କ ବାପା, ମା’ ଓ ମାମୁ ବିଳମ୍ବିତ ରାତ୍ରୀରେ ହଷ୍ଟେଲ ପହଞ୍ଚିଥିଲେ। ସେତେବେଳକୁ ଚିନ୍ମୟଙ୍କୁ ଏକ ଘରୋଇ ହସ୍‌ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିସାରିଥିଲେ। ଅନ୍ୟପକ୍ଷରେ ପୁଅ କେବେ ଏଭଳି ଆଚରଣ କରି ନଥିବ ଓ ଗାଁ’ରେ ତାର ସ୍ବଭାବ ଭଲ ବୋଲି ପରିବାର ଲୋକେ କହିଛନ୍ତି। ସେ ଜଣେ ମେଧାବୀ ଛାତ୍ର ଥିବା ସହ ସବୁ ପରୀକ୍ଷାରେ ପ୍ରାୟ ୭୫ରୁ ୮୦ ପ୍ରତିଶତ ନମ୍ବର ରଖୁଥିଲା। ସେ କୌଣସି ପ୍ରକାର ମାନସିକ ଚାପରେ ଥିବା ନେଇ କେହି କେବେ ସୁରାକ୍ ପାଇ ନଥିଲେ। ହଠାତ୍ ସେ କାହିଁକି ଏଭଳି ଚରମ ପଦକ୍ଷେପ ନେଲା ତାହା ସମସ୍ତଙ୍କୁ ବିସ୍ମିତ କରିଛି। ପରିବାର ଲୋକେ ସନ୍ଦେହ କରି ଖଣ୍ଡଗିରି ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇଛି। ଅନ୍ୟପକ୍ଷରେ ମେଧାବୀ ମାଟ୍ରିକ୍ ଛାତ୍ର ଚିନ୍ମୟଙ୍କ ଅକାଳ ମୃତ୍ୟୁରେ ତାଙ୍କ ଗ୍ରାମ ମହୀଧରପଡ଼ାରେ ଗଭୀର ଶୋକ ପ୍ରକାଶ ପାଇଛି। ହତ୍ୟା ଅଭିଯୋଗ ଆସିଥିବାରୁ ପୁଲିସ ଚିନ୍ମୟଙ୍କ ସାଙ୍ଗମାନଙ୍କୁ ପଚରାଉଚରା କରୁଛି। ପୁଲିସ ସୂଚନା ମୁତାବକ, ଗତକାଲି ଅପରାହ୍‌ଣରେ ସାଙ୍ଗମାନେ ଖେଳିବା ପାଇଁ କ୍ୟାମ୍ପସ ଭିତର ପଡ଼ିଆକୁ ଯାଇଥିଲେ, କିନ୍ତୁ ଚିନ୍ମୟ ରୁମ୍‌ରେ ହିଁ ରହି ଯାଇଥିଲେ। ଖେଳ ସାରି ସନ୍ଧ୍ୟା ପ୍ରାୟ ୬ଟା ବେଳେ ସାଙ୍ଗମାନେ ରୁମ୍‌କୁ ଫେରିବା ବେଳେ ଚିନ୍ମୟ ଫ୍ୟାନ୍‌ ଝୁଲୁଥିବା ଦେଖିଥିଲେ। ଶିକ୍ଷକମାନଙ୍କ ସହଯୋଗରେ ତାଙ୍କୁ ଉଦ୍ଧାର କରାଯାଇ ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର