କ୍ଲାସ୍‌ ସମୟରେ ବାହାରେ ପିଲା, ଅମାନିଆଙ୍କୁ ଲଗାମ୍‌

କାମ ଦେବନି ନକଲି ବାପା, ମା’ କିମ୍ବା ଆନ୍ଦୋଳନ ଧମକ, ଉପସ୍ଥାନ ନ ରହିଲେ ପରୀକ୍ଷାରୁ ବଞ୍ଚିତ ହେବେ

ଭୁବ‌ନେଶ୍ବର : ପିଲାଙ୍କୁ କଲେଜ ପଠାଇଛନ୍ତି ଅଭିଭାବକ। ଗାଡ଼ି କିଣି ଦେଉଛନ୍ତି। ପାଠ ପଢ଼ିବାକୁ ଅର୍ଥ ଦେଉଛନ୍ତି। ପ୍ରତିଦିନ ସକାଳୁ ପକେଟ୍‌ ଖର୍ଚ୍ଚ ବି ଧରାଇ ଦେଉଛନ୍ତି। ହେଲେ ପିଲାଙ୍କୁ କ୍ଲାସ୍‌ରେ ଦେଖିବାକୁ ମିଳୁନି। କଲେଜ ନାଁରେ ଘରୁ ସିନା ବାହାରିଯାଉଛନ୍ତି କିନ୍ତୁ କଲେଜରେ ପହଞ୍ଚୁ ନାହାନ୍ତି। ଏ ଖବର ଅଭିଭାବକଙ୍କ ପାଖରେ ନାହିଁ। ଏପରିକି ଖବର ରଖିବାକୁ ସୁଯୋଗ ହିଁ ନାହିଁ। ପରିଣାମ ସ୍ବରୂପ ପରୀକ୍ଷା ସମୟ ଆସିଲେ ପିଲାଙ୍କୁ ହଟହଟା ହେବାକୁ ପଡ଼ୁଛି। ଉପସ୍ଥାନ ଅଭାବରୁ କଲେଜ କର୍ତୃପକ୍ଷ ପିଲାଙ୍କୁ ପରୀକ୍ଷା ଲାଗି ସୁଯୋଗ ଦେଉନାହାନ୍ତି। କଲେଜ ନିଷ୍ପତ୍ତିକୁ ବିରୋଧ କରି ଛାତ୍ରଛାତ୍ରୀ କ୍ୟାମ୍ପସ୍‌ରେ ଆନ୍ଦୋଳନର ଧମକ ଦେଉଛନ୍ତି। ବିଜେବି ସମେତ ଭୁବନେଶ୍ବରର ପ୍ରମୁଖ କଲେଜ କ୍ୟାମ୍ପସ୍‌ରେ ଏଭଳି ସମସ୍ୟା ସୃଷ୍ଟି ହେଉଥିବାରୁ ଅମାନିଆ ଛାତ୍ରଛାତ୍ରୀଙ୍କ ଉପରେ ଲଗାମ ଲଗାଇବା ପାଇଁ ଏଥର ଯୋଜନା ପ୍ରସ୍ତୁତ ହୋଇଛି। ନାମଲେଖା ବେଳୁ ହିଁ ସେମାନଙ୍କ ଉପସ୍ଥାନ ବିଷୟରେ ଅବଗତ କରାଯିବା ସହ ଚେତାବନୀ ବି ଦିଆଯାଉଛି।

ଗୋଟିଏ ପଟେ ପାସ୍‌ହାର କମୁଥିବାରୁ ଭୁବନେଶ୍ବରର ଅନେକ କଲେଜ କର୍ତୃପକ୍ଷଙ୍କୁ ବଦନାମ ମୁଣ୍ଡାଇବାକୁ ପଡ଼ୁଛି। ଏପଟେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଯୋଗୁଁ ଅଧ୍ୟକ୍ଷମାନଙ୍କୁ ହଟହଟା ହେବାକୁ ପଡ଼ୁଛି। ଯେଉଁଥିପାଇଁ ଭୁବନେଶ୍ବରର କିଛି ନାମକରା କଲେଜ କର୍ତୃପକ୍ଷ ଏନେଇ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି। ପ୍ରସ୍ତାବ ଦେଇଛନ୍ତି ଯେ ନାମ ଲେଖାଇବା ସମୟରେ ହିଁ ପିଲାଙ୍କୁ ଉପସ୍ଥାନ ନେଇ ଅବଗତ କରାଯାଉ। ଯଦି କୌଣସି ପିଲାର ଉପସ୍ଥାନ ଭଲ ନ ରହିବ ତେବେ ସେ ପରୀକ୍ଷାରୁ ବଞ୍ଚିତ ହେବ। ସେତେବେଳେ କିଛି ବି ଶୁଣାଯିବ ନାହିଁ। ଆନ୍ଦୋଳନ କଲେ ପୁଲିସ ସହାୟତାରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ।

ପରୀକ୍ଷା ପୂର୍ବରୁ ଫର୍ମ ପୂରଣ ବେଳେ କିଛି ଛାତ୍ରଛାତ୍ରୀ ଅସୁସ୍ଥତା ଦର୍ଶାଇ ମେଡିକାଲ ସାର୍ଟିଫିକେଟ୍‌ ଦାଖଲ କରିଥାନ୍ତି। ତେବେ ଦାଖଲ ହେଉଥିବା ସାର୍ଟିଫିକେଟ୍‌ ମଧ୍ୟରୁ ଅଧିକାଂଶ ନକଲି ରହିଥାଏ। ପିଲାମାନେ ଅସୁସ୍ଥ ନ ଥିଲେ ବି ମେଡିକାଲ ସାର୍ଟିଫିକେଟ୍‌ ଦେଇ ଫର୍ମ ପୂରଣ କରିଥାନ୍ତି। ବର୍ଷ ସାରା କ୍ଲାସ କରୁ ନଥିବାରୁ ପରୀକ୍ଷାରେ ଫେଲ୍‌ ହେଉଛନ୍ତି। ଏହାଦ୍ବାରା କଲେଜ ବଦନାମ ହେବା ସହ ପାସ୍‌ହାର ବି କମୁଛି। ‌ତେଣୁ ଯେଉଁମାନେ ମେଡିକାଲ ସାର୍ଟିଫିକେଟ୍‌ ଦାଖଲ କରୁଛନ୍ତି ତାହାକୁ ଭଲ ଭାବେ ଯାଞ୍ଚ କରିବାକୁ ସମସ୍ତ କଲେଜ କର୍ତୃପକ୍ଷଙ୍କୁ କୁହାଯାଇଛି। ଏବେ ଉଭୟ ଯୁକ୍ତ୨ ଓ ଯୁକ୍ତ୩ ନାମଲେଖା ଚାଲିଥିବାରୁ ପିଲାମାନେ ନକଲି ସାର୍ଟିଫିକେଟ୍‌ ଦାଖଲ କରିବାର ବି ଆଶଙ୍କା ରହିଛି। ଏଥିପ୍ରତି ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଯାଇଛି।

ଗତ ଯୁକ୍ତ୨ ପରୀକ୍ଷା ସମୟରେ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ରେ ଛାତ୍ରଛାତ୍ରୀଙ୍କ ନକଲି ଉପସ୍ଥାନ କାମ ଦେଇ ନଥିଲା। କଲେଜକୁ ନ ଆସି କୌଣସି ପରୀକ୍ଷା ନ ଦେଇ ଏକାଥରେ ବାର୍ଷିକ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀ ଯେଉଁ ଉଦ୍ୟମ କରୁଥି‌ଲେ, ତାହା ଫସର ଫାଟିଥିଲା। ୨୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ। ନାମଲେଖା ପରେ ନିୟମିତ କ୍ଲାସ୍‌କୁ ନ ଆସିବା, ଦୁଇ ବର୍ଷ ଭିତରେ କୌଣସି ଗୋଟିଏ ବି ପରୀକ୍ଷାରେ ଅଂଶଗ୍ରହଣ କରି ନ ଥିବାରୁ ଛାତ୍ରଛାତ୍ରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଏଥର ନାମଲେଖା ସମୟରେ ହିଁ ପିଲାଙ୍କୁ ଉପସ୍ଥାନ ବିଷୟରେ ଅବଗତ କରାଯାଉଛି। ନିୟମିତ ଭାବେ କ୍ଲାସ୍‌ କରିବାକୁ ପରାମର୍ଶ ଦିଆଯାଉଛି ବୋଲି କଲେଜ ଅଧ୍ୟକ୍ଷ ବିଷ୍ଣୁ ଚରଣ ଦାସ କହିଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ନେଇ କଲେଜ କର୍ତୃପକ୍ଷ କଡ଼ା ପଦକ୍ଷେପ ନିଅନ୍ତୁ। ନିୟମ ଅନୁଯାୟୀ ଯେଉଁ ଛାତ୍ରଛାତ୍ରଙ୍କ ଉପସ୍ଥାନ ୭୫% ହେଉନି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏବେ ଯୁକ୍ତ୨ କଲେଜଗୁଡ଼ିକ ଲାଗି ନାମଲେଖା ଚାଲିଥିବାରୁ ଆରମ୍ଭରୁ ପିଲାଙ୍କୁ ସଚେତନ କରାଇବା‌ ଦିଗରେ ପଦକ୍ଷେପ ନେବା ଆବଶ୍ୟକ।

କୃଷି କଲେଜର ୬ ଛାତ୍ରଛାତ୍ରୀ ପରୀକ୍ଷାରୁ ବଞ୍ଚିତ

କେବଳ ଯେ ଯୁକ୍ତ୨ କିମ୍ବା ଯୁକ୍ତ୩ କଲେଜରେ ଏଭଳି ସମସ୍ୟା ହେଉଛି ତାହା ନୁହେଁ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଅଧୀନ କୃଷି କଲେଜରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି। ଯେଉଁଥିପାଇଁ କଲେଜ କର୍ତୃପକ୍ଷ ବଡ଼ ନିଷ୍ପତ୍ତି ନେଇଛନ୍ତି। ୭୦ ପ୍ରତିଶତରୁ କମ୍‌ ଉପସ୍ଥାନ ଥିବା ଦର୍ଶାଇ କଲେଜର ଦ୍ବିତୀୟ ବର୍ଷର ୬ ଜଣ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାରୁ ବଞ୍ଚିତ କରାଯାଇଛି। ଏହାକୁ ନେଇ ଛାତ୍ରମାନେ ଆନ୍ଦୋଳନ କରିବେ ବୋଲି ଧମକ ଦେଇଥିବା ବେଳେ କୃଷି କଲେଜ ଡିନ୍‌ ପ୍ରଫେସର କେ କେ ରାଉତ କହିଛନ୍ତି ଯେ ଦ୍ବିତୀୟ ବର୍ଷରେ ୧୯୦ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୬ ଜଣ ଛାତ୍ରଙ୍କ ଉପସ୍ଥାନ ୭୦%ରୁ କମ୍‌ ରହିଛି। ତେଣୁ ସେମାନଙ୍କୁ ଫର୍ମ ପୂରଣ ଓ ପରୀକ୍ଷାରୁ ବଞ୍ଚିତ କରାଯାଇଛି। ଆଉ କୌଣସି ଛାତ୍ରଛାତ୍ରୀଙ୍କର କିଛି ବି ଅସୁବିଧା ନାହିଁ। କ୍ରୀଡ଼ାରେ ଭାଗ ନେଇଥିବା କୌଣସି ପିଲାଙ୍କୁ ନାମଲେଖାରୁ ବଞ୍ଚିତ କରାଯାଇନି। କୃଷି କଲେଜର ଗୌରବକୁ ବଦନାମ କରିବାକୁ କିଛି ଛାତ୍ର ଚକ୍ରାନ୍ତ କରୁଛନ୍ତି। କଲେଜରେ ଗୁଣାତ୍ମକ ଶିକ୍ଷା ସହ ଶୈକ୍ଷିକ ବାତାବରଣ ସୃଷ୍ଟି ଉପରେ ଗୁରୁତ୍ବ ଦିଆଯାଉଛି।

ସମ୍ବନ୍ଧିତ ଖବର