ଭୁବନେଶ୍ବର: ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ନେତାଜୀ ସୁଭାଷ ବୋଷଙ୍କୁ ଆମେ ଯେଉଁଭଳି ଆତ୍ମୀୟତା ଦେବା କଥା, ତାହା ଦେଇ ପାରିନାହୁଁ। ଭାରତର ଦୁଇ ଦିଗ୍ଗଜ ସ୍ବାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ନେତାଜୀ ଅନ୍ୟତମ। ଓଡ଼ିଶାର ପାଣିପବନରେ ବଢ଼ିବା ସହ ଏହିଠାରୁ ହିଁ ଶିକ୍ଷା ଗ୍ରହଣ କରିଥିଲେ। କିନ୍ତୁ ଆମର ବୁଦ୍ଧିଜୀବୀମାନେ ଏହାକୁ ଅନ୍ୟମାନଙ୍କ ଆଗରେ ଉପସ୍ଥାପନ କରିବାରେ ବିଫଳ ହୋଇଛନ୍ତି। ଏବେ ଓଡ଼ିଆ ମାଟି ସହ ନେତାଜୀଙ୍କ ନିବିଡ଼ତାକୁ ଦେଖାଇବା ସହ ତାଙ୍କୁ ନେଇ ଗର୍ବ କରିବାର ସମୟ ଆସିଛି। ଆଜି ବୁଦ୍ଧ ମନ୍ଦିରରେ ‘ଉତ୍କଳ ବିକାଶ ଯୁବ ପରିଷଦ’ ପକ୍ଷରୁ ଆୟୋଜିତ ‘ନେତାଜୀ ସୁଭାଷ ଉତ୍ସବ’ ଅବସରରେ ଉପସ୍ଥିତ ଅତିଥିମାନେ ଏପରି ମତ ରଖିଛନ୍ତି। କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ଯୋଗ ଦେଇ କହିଲେ, ସଂପ୍ରତି ଶିକ୍ଷା କ୍ଷେତ୍ରରେ ଭୟଙ୍କର ସଂକଟ ଦେଖାଦେଲାଣି। ଇଂରାଜୀ ମାଧ୍ୟମ ଓ ଓଡ଼ିଆ ମାଧ୍ୟମ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପାତରଅନ୍ତର କରାଯାଉଛି। ଓଡ଼ିଆ କହୁଥିବା ଛାତ୍ରଛାତ୍ରୀଙ୍କୁ କେଉଁଠି ଛୋଟ ଦୃଷ୍ଟିରେ ଦେଖିଯାଉଛି ତ’ କେଉଁଠି ଇଂରାଜୀ ମାଧ୍ୟମ ଛାତ୍ରଛାତ୍ରୀ ଓଡ଼ିଆ ଅକ୍ଷର ଲେଖି ପାରୁନାହାନ୍ତି। ଏମିତି ହେଲେ, ଦେଶ ତଥା ରାଜ୍ୟର ଉନ୍ନତି କିପରି ସମ୍ଭବ ବୋଲି ଶ୍ରୀ ବିଶ୍ବାଳ ପ୍ରଶ୍ନ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସମ୍ମାନିତ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଲେ, ଆମକୁ ଦେଶ କ’ଣ ଦେଉଛି, ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ। ଦେଶକୁ ଆମେ କେତେ ଦେଇପାରିବା, ତାହା ଗୁରୁତ୍ବପୂର୍ଣ୍ଣ। ଯାହା ଆମକୁ ନେତାଜୀଙ୍କ ଜୀବନୀରୁ ଶିଖିବାକୁ ମିଳୁଛି। ଅନ୍ୟତମ ଅତିଥି ଭାବେ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ ଓ ଶିଶୁ ସୁରକ୍ଷା ପରିଷଦର ସଦସ୍ୟା ରାଜଲକ୍ଷ୍ମୀ ଦାସ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ(ବାର୍ତ୍ତା) ଅରବିନ୍ଦ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ଅନେକ ସମୟରେ ମହାତ୍ମା ଗାନ୍ଧୀ ଓ ନେତାଜୀଙ୍କ ମଧ୍ୟରେ ଆଦୌ ତାଳମେଳ ନଥିଲା ବୋଲି ଏକ ଅତି ସାଧାରଣ ଏବଂ ଶସ୍ତା କଥା ଭାରତୀୟମାନଙ୍କ ମନ ଭିତରେ ଭର୍ତ୍ତି କରାଯାଇଛି। କିନ୍ତୁ କିଛି ବିଚାର ବା ନୀତିକୁ ଛାଡ଼ି ଦେଲେ, ଉଭୟଙ୍କ ଉଦ୍ଦେଶ୍ୟ ଓ ମତ ପ୍ରାୟ ସମାନ ଥିଲା। ବିବିଧତାର ଏହି ଦେଶରେ ସବୁ ବିଚାର (ଯଦି ତାହା ନିହାତି ଏକ ଅବିଚାର ହୋଇନଥିବ)କୁ ସମ୍ମାନ ଦେବା ସହ ଗ୍ରହଣ କରିବାକୁ ପଡ଼ିବ ବୋଲି ଶ୍ରୀ ଦାସ କହିଥିଲେ। ଏହି ଅବସରରେ ନିଶାମୁକ୍ତି ଆନ୍ଦୋଳନ ପାଇଁ ସୁଶାନ୍ତ ସାମଲ ଓ କବିତା ପାତ୍ର, ସଚ୍ଚୋଟ ଓ ନୀତିବାଦୀ ରାଜନୀତି ପାଇଁ ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ଭ୍ରଷ୍ଟାଚାର ବିରୋଧରେ ସ୍ବର ଉତ୍ତୋଳନ ପାଇଁ ପ୍ରଦୀପ ପ୍ରଧାନ, ଚାଷୀ ସଂଗଠକ ଓ ସଫଳ ଚାଷୀ ସମ୍ବଲପୁରର କୁଶଧ୍ବଜ ଚୌଧୁରୀ ଏବଂ ରକ୍ତଦାନକୁ ଗଣଆନ୍ଦୋଳନରେ ପରିଣତ କରିଥିବା ସମ୍ବଲପୁରର ‘ତ୍ୟାଗ’ ଅନୁଷ୍ଠାନର ସଭାପତି ଦୁର୍ଗାପ୍ରସାଦ ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ପୂର୍ବରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଛି। ସଭାରେ ପରିଷଦର ସଭାପତି ଦେବୀ ପୃଷ୍ଟି ସଭାପତିତ୍ବ କରିଥିଲେ।