ଫ୍ୟାନ୍‌ରେ ଝୁଲି ଯୁବକଙ୍କ ଆତ୍ମହତ୍ୟା

ଖଣ୍ଡଗିରି: ବୁଧବାର ସକାଳ ପ୍ରାୟ ୯ଟା ବେଳେ ସ୍ଥାନୀୟ ଖଣ୍ଡଗିରିବାରୀସ୍ଥିତ ଏକ ଘରୋଇ ଫାଇନାନ୍‌ସ କମ୍ପାନିର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ କାର୍ଯ୍ୟାଳୟ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ, କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅରିଶଲ ଗାଁର ମଣ୍ଟୁ ନାଏକ ଓରଫ୍‌ ଟୁନା(୨୭)। ପୁଲିସ ମୃତଦେହକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି। କାର୍ଯ୍ୟାଳୟ ପରିସରରେ ଅଘଟଣ ଘଟିଥିବାରୁ ଏହାକୁ ନେଇ ନାନା କଥା ଆଲୋଚନା ହେଉଛି। ସୂଚନାନୁସାରେ, ଟୁନା ସବୁଦିନ ଭଳି ଗାଁରୁ ଆସି ସକାଳ ପ୍ରାୟ ସାଢ଼େ ୮ଟାରେ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହା ପରେ ପ୍ରାୟ ୯ଟା ୧୫ରେ ହଠାତ୍ ସେ ଗାଏବ୍ ହୋଇଯାଇଥିଲେ। ସିସିଟିଭି ଫୁଟେଜ୍‌ରୁ ଜଣାଗଲା ଯେ ସେ ଉପର ମହଲାକୁ ଯାଇଛନ୍ତି। ସହକର୍ମୀମାନେ ଉପର ମହଲାରେ ପହଞ୍ଚିବା ବେଳକୁ ସେ ବେକରେ ଗାମୁଛା ବାନ୍ଧି ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ। କା‌ଳେ ବଞ୍ଚିଥିବେ ବୋଲି ଆଶା କରି କର୍ମଚାରୀମାନେ ତୁରନ୍ତ ତାଙ୍କୁ ସମ୍ ହସ୍ପିଟାଲକୁ ନେଇଥିଲେ, ମାତ୍ର ସେଠାରେ ଅଳ୍ପ କିଛି ସମୟ ଚିକିତ୍ସାଧୀନ ରହିବା ପରେ ସେ ଆଖି ବୁଜି ଦେଇଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରିଥିଲା। ଖଣ୍ଡଗିରି ଥାନା ପୁଲିସ ଉକ୍ତ କାର୍ଯ୍ୟାଳୟରେ ପହଞ୍ଚି ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଟୁନାଙ୍କ ଆତ୍ମହତ୍ୟା ପଛର କାରଣ ଖୋଜୁଛି। ନିଜ ଗାଁର ଜଣେ ମହିଳା କର୍ମଚାରୀଙ୍କ ପାଇଁ ଘରେ ସୃଷ୍ଟି ହେଉଥିବା କଳହ କାରଣକୁ ନେଇ ଟୁନା ଏଭଳି କାଣ୍ଡ କରିଥିବା ପୁଲିସ ଅନୁମାନ କରୁଛି।

ସମ୍ବନ୍ଧିତ ଖବର