ଜଟଣୀରେ ଚାଞ୍ଚଲ୍ୟ: ଜୀବନ ହାରିଲେ ପ୍ରେମୀଯୁଗଳ!

ଦୁଇ ପ୍ରକୋଷ୍ଠରୁ ମିଳିଲା ଝୁଲନ୍ତା ମୃତଦେହ, ସୁଇସାଇଡାଲ୍‌ ନୋଟ୍‌ ଜବତ କଲା ପୁଲିସ

ଖୋର୍ଧା/ଜଟଣୀ: ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ବାଛରାପାଟଣା ଖାସମାହାଲ କଲୋନିରେ ଆଜି ରାତିରେ ଏକ ପ୍ରେମୀଯୁଗଳ ଆତ୍ମହତ୍ୟା କରିଛନ୍ତି। ମୃତ ପ୍ରେମୀଯୁଗଳ ହେଲେ, ଆଶିଷ କୁମାର ସ୍ୱାଇଁ (୧୮) ଓ ମିତା ବାରିକ (୧୭)। ଆଶିଷ ବାଛରାପାଟଣା ଖାସମାହାଲ କଲୋନିରେ ରହୁଥିବା ଅଭିରାମ ସ୍ୱାଇଁଙ୍କ ପୁଅ ବୋଲି ଜଣାପଡ଼ିଛି। ମିତାଙ୍କ ଘର ପିପିଲି ଅଞ୍ଚଳରେ ବୋଲି କୁହାଯାଉଛି। ଜଟଣୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି। ମିତାଙ୍କ ଶବ ନିକଟରୁ ଏକ ସୁଇସାଇଡିଆଲ ନୋଟ୍‌କୁ ପୁଲିସ ଜବତ କରିଛି। ମୋବାଇଲକୁ କେନ୍ଦ୍ର କରି ଉଭୟ ଆତ୍ମହତ୍ୟା କରିଥିବା ସୁଇସାଇଡିଆଲ ନୋଟ୍‌ରୁ ପୁଲିସକୁ ସୂଚନା ମିଳିଛି। ତେବେ ଉଭୟ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଆଉ କିଛି ରହସ୍ୟ ରହିଛି, ସେ ନେଇ ପୁଲିସ ଖୋଳତାଡ଼ ଚଳାଇଛି। ଖବର ଲେଖା ହେବା ବେଳକୁ ଏ ସଂପର୍କରେ ଜଟଣୀ ଥାନାରେ କୌଣସି ମାମଲା ରୁଜୁ ହୋଇ ନଥିଲା। ଉଭୟ ଆଶିଷ ଓ ମିତା ଗତ ମାସକ ତଳେ ଏକ ମନ୍ଦିରରେ ପ୍ରେମ ବିବାହ କରିଥିଲେ ବୋଲି ଶୁଣିବାକୁ ମିଳୁଛି। ଏହି ଘଟଣା ଆଜି ଏଠାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ, ବାଛରାପାଟଣା ଖାସମାହାଲ କଲୋନିର ଅଭିରାମ ସ୍ୱାଇଁ ପୁରୀରେ ରହନ୍ତି। ଏଠାରେ ତାଙ୍କ ପୁଅ ଆଶିଷ କୁମାର ଓ ଝିଅ ଇମାଜିନ ସ୍ୱାଇଁ ରୁହନ୍ତି।

ଇମାଜିନ ସ୍ଥାନୀୟ ଏକ ହିରୋ ସୋ-ରୁମ୍‌ରେ କାମ କରନ୍ତି। ଆଜି ରାତି ପ୍ରାୟ ୮ଟାରେ ନିଜ କର୍ମକ୍ଷେତ୍ରରୁ ଫେରି ଇମାଜିନ୍‌ ଘରେ ପହଞ୍ଚିବା ପରେ ଘରର କବାଟ ଭିତରୁ ଦିଆଯାଇଥିବା ଦେଖି କବାଟ ବାଡ଼େଇଥିଲେ। ମାତ୍ର କେହି କବାଟ ନ ଫିଟାଇବାରୁ ଇମାଜିନ୍‌ ଘରର ଝରକା ବାଟେ ଦେଖିବାରୁ ମିତାଙ୍କ ଶବ ଝୁଲୁଥିବା ଦେଖିବାକୁ ପାଇଥିଲେ। ସେ ସଙ୍ଗେ ସ୍ଥାନୀୟ ଲୋକଙ୍କୁ ଖବର ଦେବା ସହ ଜଟଣୀ ପୁଲିସକୁ ଜଣାଇଥିଲେ। ଜଟଣୀ ପୁଲିସ ଘର କବାଟ ଭାଙ୍ଗି ଭିତରେ ପଶିଥିଲେ। ପ୍ରଥମ ରୁମ୍‌ର ଝରକାରେ ବେକରେ ଗାମୁଛା ଦେଇ ମିତା ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ଆଶିଷର ମୋବାଇଲକୁ ବାରମ୍ବାର ଫୋନ କରିବାରୁ ସେ ନ ଧରିବାରୁ ସନ୍ଦେହ ବୃଦ୍ଧି ପାଇଥିଲା। ପରେ ସେହି ଘରର ଦ୍ଵିତୀୟ ରୁମରେ ଆଶିଷ ବେକରେ ପ୍ଲାଷ୍ଟିକ ରଶି ଦେଇ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ମତା ନିକଟରୁ ମିଳିଥିବା ସୁଇସାଇଡ଼ିଲ ନୋଟ୍‌ରେ ‘ମୁଁ ମୀତା, ସେ ଶୋଇଥିଲେ, ମୁଁ ତାଙ୍କ ଫୋନରେ ଲାଗୁଥିଲି ବୋଲି ସେ ମୋତେ ବାଡ଼େଇଲେ। ମୁଁ ଏଇ କଥା ମୋ ଘର ଲୋକଙ୍କୁ ଫୋନ କରି ଜଣେଇବାରୁ ମୋତେ ସେ ଆହୁରି ବାଡ଼େଇଲେ। ମୋ କାନମୁଣ୍ଡରୁ ରକ୍ତ ବାହାର କରିଦେଲେ। ତାପରେ ସେ ମୋତେ ଘର କବାଟ ବନ୍ଦ କରି ନିଜେ ଚାଲିଗଲେ ସେପଟ ଘରକୁ । କିଛି ସମୟ ପରେ ତାଙ୍କର କେମିତି ପାଟି ଶୁଣାଗଲା। ମୁଁ ଭାବିଲି ସେ ବଞ୍ଚିବେନି, ମୁଁ କାହିଁକି ବଞ୍ଚିବି’ ବୋଲି ଲେଖା ରହିଛି।

ସମ୍ବନ୍ଧିତ ଖବର