ଗ୍ରୀଷ୍ମ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା: ରଙ୍ଗବତୀ ଗୀତରେ ଝୁମିଲେ

ଖଣ୍ଡଗିରି: ଆଜି ଗ୍ରୀଷ୍ମ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ଭରପୂର ମନୋରଂଜନର ଖୋରାକ୍‌ ଦେଇଥିଲା ବଲାଙ୍ଗୀର ଜିଲ୍ଲା ଢୋଲମହୁରୀ କଳା ପରିଷଦର କଳାକାରମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ଓ ଗୀତ। ଜାଇଫୁଲ ଓ ରଙ୍ଗବତୀର ଗୀତ ଓ ନୃତ୍ୟର ତାଳେତାଳେ ଦର୍ଶକମାନେ ଝୁମି ଉଠିଥିଲେ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଖଣ୍ଡଗିରିସ୍ଥିତ ବ୍ୟାଖ୍ୟାନ କେନ୍ଦ୍ରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଜିି ଓଡ଼ିଆ କଣ୍ଠଶିଳ୍ପୀ ରୋଜାଲିନ୍‌ ସାହୁ, ଶଶାଙ୍କ ଶେଖର ଓ ପୁଷ୍ପାଞ୍ଜଳି ଜେନାଙ୍କ ସଂଗୀତ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା। ରୋଜାଲିନ୍‌ଙ୍କ ‘ଯୋଛନା ଲୁଚନା ଦୂର ନୀଳ ଗଗନେ’, ‘ଲମ୍ବି ଜୁଦାଇ’ ଓ ‘ନାହିଁ ମୋ ପାଦେ ଆଜି ଘୁଙ୍ଗୁର’ ଭଳି ମନ ମତାଣିଆ ଗୀତ ଦର୍ଶକଙ୍କ ମନ କିଣିଥିଲା। ଶଶାଙ୍କ ଶେଖରଙ୍କ ‘ମୁସ୍କରାନେ କି ଏ ବଜା’ ଓ ପୁଷ୍ପାଞ୍ଜଳିଙ୍କ ‘ତୁମ୍‌ ହୋ ହମାରି’ ଆଦି ଗୀତ ବେଶ୍‌ ମନଛୁଅାଁ ହୋଇଥିଲା। ଏଥିରେ ରାଜ୍ୟ ପୂର୍ତ୍ତ ଓ ଖଣି ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ଡ. ପ୍ରସନ୍ନ ପାଟ୍ଟାଶାଣୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ବିଭାଗୀୟ ସଚିବ ମନୋରଂଜନ ପାଣିଗ୍ରାହୀ ସ୍ୱାଗତ ଭାଷଣ ଓ ନିର୍ଦେଶକ ବିଜୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଆସନ୍ତାକାଲି ଉଦ୍‌ଯାପନୀ ଉତ୍ସବରେ ବଲିଉଡ୍‌ କଣ୍ଠଶିଳ୍ପୀ ଅନ୍ତରା ମିତ୍ର ମେଲୋଡି ପରିବେଷଣ କରିବେ।

ସମ୍ବନ୍ଧିତ ଖବର