ରବିବାରିଆ ଅବସର, ରାଜଭବନ ଉଦ୍ୟାନରେ ୪ହଜାର ପର୍ଯ୍ୟଟକ

ଭୁବନେଶ୍ବର: ନୂଆ ବର୍ଷ ଯିବାର ଗୋଟିଏ ସପ୍ତାହ ପୂରିନି। ଲୋକଙ୍କ ବୁଲାବୁଲି କରିବାର ନିଶା ବି ଖସିନି। ଠିକ୍ ଏହି ସମୟରେ ସହର ଭିତରେ ଅବସର ସମୟକୁ ମନଭରି ଉପଭୋଗ କରିବା ପାଇଁ ରାଜଧାନୀବାସୀଙ୍କୁ ପୁଣି ସୁଯୋଗ ମିଳିଯାଇଛି। ପୁସ୍ତକ ମେଳାରେ ବୌଦ୍ଧିକ ଆସରର ଅବସର ଚାଲିଥିବା ବେଳେ ରାଜଭବନ ଉଦ୍ୟାନରେ ପ୍ରକୃତିର ମନଲୋଭା ପରିବେଶକୁ ଉପଭୋଗ କରିବାର ସୁଯୋଗ ଆସିଛି। ତୋଷାଳି ଓ ଶିଶିର ସରସରେ ଗ୍ରାମ୍ୟ ପରମ୍ପରା ଓ ସଂସ୍କୃତିର ଝଲକ ଝଲସୁଛି। କିଣାକିଣି ଠାରୁ ଆରମ୍ଭ କରି ଖିଆପିଆ, ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଉପଭୋଗ୍ୟ ହେଉଛି। ଆଜି ରବିବାରିଆ ଛୁଟିଦିନ ଥିବାରୁ ମେଳା ଜନସମୁଦ୍ର ପାଲଟିଛି।

ତୋଷାଳିରେ ହ୍ୟୁମାନ ସାଗର 

ପିଲାଙ୍କ ପାଇଁ ମୁଖ୍ୟ ଆକର୍ଷଣ ସାଜିଛି ‘ତୋଷାଳି ମେଳା’ର କିଡ୍‌ ଜୋନ୍‌। ୱାଟର ବୋଟ୍‌ରୁ ଆରମ୍ଭ କରି ଜମ୍ପ୍‌ ଗେମ୍‌, ଦୋଳି, ଖସଡ଼ା ଖେଳ ନିକଟରେ ପିଲାମାନେ ଭିଡ଼ ଲଗାଉଛନ୍ତି। ପୁଣି ମଞ୍ଚରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ହ୍ୟୁମାନ ସାଗରଙ୍କ ଗୀତ ଦର୍ଶକଙ୍କୁ ଆନମନା କରିଛି। ବନ୍ଦେ ମାତରମ… ରୁ ଆରମ୍ଭ କରି ‘ନିଶ୍ବାସ ତୋ ବିନା ମୋର ଚାଲେନା…’, ‘ଭିଜେଇ ଦେଇ ଯା ପ୍ରିୟା…’ ଓ ପ୍ରେମ ଚଢ଼େଇ … ଆଦି ସଙ୍ଗୀତ ଦର୍ଶକଙ୍କୁ ରୋମଞ୍ଚିତ କରିଥିଲା। ସଂଧ୍ୟାରେ ପର୍ଯ୍ୟଟନ ବିଭାଗର ଶାସନ ସଚିବ ବିଶାଳ ଦେବ ଓ କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଅତିଥି ଭାବେ ଯୋଗ ଦେଇଥିଲେ। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସଚିବ ଶୁଭା ଶର୍ମା ଉପସ୍ଥିତ ଥିଲେ।

ରାଜଭବନ ଉଦ୍ୟାନରେ ୪ହଜାର ପର୍ଯ୍ୟଟକ

ଅପରାହ୍‌ଣରେ ସୁନେଲି ଖରା ସହ ପାଣି ଫୁଆରାର ଖେଳ ଓ ସବୁଜିମା ଘାସ ଗାଲିଚା ଯେମିତି ସ୍ବପ୍ନ ଦୁନିଆ‌କୁ ଟାଣି ନେଉଥିଲା। ନାଲି, ହଳଦିଆ, ଗୋଲାପି ଓ ନାରଙ୍ଗୀ ରଙ୍ଗର ଫୁଲର ସମ୍ଭାର ସାଙ୍ଗକୁ ପଲପଲ ହରିଣଙ୍କ ଡିଆଁକୁ ଉପଭୋଗ କରିଥିଲେ ଦର୍ଶକ। କିଏ ପ୍ରକୃ୍ତିର ଏହି ସୌନ୍ଦର୍ଯ୍ୟକୁ ଆଖି ପୂରେଇ ଦେଖି ନେଉଥିଲା ତ’ କିଏ କ୍ୟାମେରା ଲେନ୍ସରେ କଏଦ କରୁଥିଲା। ଆଜି ରାଜଭବନ ଉଦ୍ୟାନ ଖୋଲିବା ପରେ ଏହିଭଳି ଏକ ଅବକାଶ ଜୁଟିଥିଲା। ଦିନ ୨ଟାରେ ରାଜଭବନ ସର୍ବସାଧାରଣଙ୍କ ପାଇଁ ଖୋଲିବା ପରେ ୪ ହଜାର ପର୍ଯ୍ୟଟକଙ୍କ ସମାଗମ ହୋଇଥିଲା। ଫୁଲ ଉଦ୍ୟାନରେ ଦେଖିବାକୁ ମିଳିଥିଲା ୩୯ କିସମର ଫୁଲ। ବେଙ୍ଗାଲୁରୁରୁ ଅନେକ ଫୁଲ ଚାରା ମଗା ଯାଇଥିଲା। ୧୨ ଜଣ ମାଳି ଫୁଲ ବଗିଚାକୁ ଆକର୍ଷଣୀୟ ଢଙ୍ଗରେ ସଜେଇ ରଖିଥିଲେ। ପିଟୁନିଆ, ଗ୍ଲାଡିଓଲି, ଏଜେଲିଆ, କେଲେଣ୍ତୁଲା, ଡାଲିଆ ଓ ସେବତୀ ସାଙ୍ଗକୁ ଅର୍କିଡ୍‌ ହାଉସ୍‌ ଓ କାକ୍‌ଟସ ହାଉସ୍‌ ଆକର୍ଷଣ ସାଜିଥିଲା। ଏଥିସହ ରଙ୍ଗିନ ଆଲୋକମାଳା ମଧୢରେ ଜଳ ଫୁଆରାର ନୃତ୍ୟ ଆମୋଦିତ କରିଥିଲା।  ଏହି ଉଦ୍ୟାନ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ଦିନ ୨ଟାରୁ ସାଢେ଼ ୪ଟା ପର୍ଯ୍ୟନ୍ତ ଲୋକେ ଉଦ୍ୟାନ ବୁଲି ଦେଖି ପାରିବେ।

‘ଶିଶିର ସରସ’ରେ ଖାଦ୍ୟର ମଜା

ମେଳା ବୁଲି ସାରିବା ବେଳକୁ ମାଂସ ତରକାରୀର ବାସ୍ନା ଖାଦ୍ୟ ହାଟକୁ ଟାଣି ନେଉଛି। ଚକୁଳି ସାଙ୍ଗକୁ ଆରିସା, କାକରା ଓ ମଣ୍ଡାର ମହମହ ବାସ୍ନା ଅଟକାଇ ଦେଉଛି। ରବିବାର ଆମିଷ ବାର ଥିବାରୁ ‘ଶିଶିର ସରସ’ର ଫୁଡ୍‌ କୋର୍ଟ ‘ଓଡ଼ିଆଣୀ’ରେ ଭିଡ଼  ଦେଖିବାକୁ ମିଳିଛି। ୨୩ଟି ରାଜ୍ୟର ହସ୍ତଶିଳ୍ପକୁ ପରଖି ଦେଖିବା ସହ ଲୋକେ ହଳଦୀ, ସୋ‌ରିଷ, ଆମ୍ବୁଲ, କୋଳଥ ଓ ମାଣ୍ଡିଆ ଭଳି ଦେଶୀ ସାମଗ୍ରୀ କିଣି ନେଉଛନ୍ତି।

ସବୁ ବର୍ଗର ପାଠକଙ୍କୁ ଟାଣୁଛି ପୁସ୍ତକ ମେଳା

ବହି କିଣିବା, ବୁଲିବା ଓ ଚିତ୍ତ ବିନୋଦନ ପାଇଁ ରାଜଧାନୀ ପୁସ୍ତକ ମେଳା ଅବସର ସୃଷ୍ଟି କରିଛି। ବିଭିନ୍ନ ରାଜ୍ୟରୁ ଆସିଥିବା ସାହିତ୍ୟ ପୁସ୍ତକ, ଧର୍ମ ପୁସ୍ତକ, ସୂଚନା ପୁସ୍ତକ ସହ ସ୍କୁଲ/କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟପୁସ୍ତକ ଓ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ସହାୟକ ପୁସ୍ତକ, ପୁସ୍ତକ ସିଡି ଆଦି ଉପଲବ୍ଧ ହେଉଛି। ଏହି ମେଳା ସବୁ ବର୍ଗର ପାଠକଙ୍କୁ ତୁଷ୍ଟ କରୁଛି। ଆଜି ପୁସ୍ତକ ମେଳାର ଦ୍ବିତୀୟ ଦିନ ହୋଇଥିବା ବେଳେ ରବିବାର ଥିବାରୁ ବହୁତ ଭିଡ଼ ଦେଖିବାକୁ ମିଳିଥିଲା।

‌‘ନବକେଳବର କଥା’ର ବଙ୍ଗଳା ଅନୁବାଦ ଉନ୍ମୋଚିତ

ରାଜଧାନୀ ପୁସ୍ତକ ମେଳାରେ ‘ସୃଜନ’ ଷ୍ଟଲ୍‌ରେ ବିଶିଷ୍ଟ ଗବେଷକ ଅସିତ ମହାନ୍ତିଙ୍କ ଲୋକପ୍ରିୟ ‘ନବକଳେବର କଥା’ ପୁସ୍ତକର ବଙ୍ଗଳା ଅନୁବାଦ ‘ଶ୍ରୀଜଗନ୍ନାଥ ମହାପ୍ରଭୂର ନବକେଳବର’ ଉନ୍ମୋଚିତ ହୋଇଛି। ଉଲ୍ଲେଖ‌ଯୋଗ୍ୟ ଯେ, ମୂଳ ପୁସ୍ତକଟି ‘ଆମ ଓଡ଼ିଶା’ ଦ୍ବାରା ପ୍ରକାଶିତ ହୋଇ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର